ଲକ୍ଷ୍ନୌ: ଏବେ ସାରାଦେଶରେ କୋରୋନାର ଦ୍ବିତୀୟ ଲହର ହାହାକାର ମଚାଇଥିବା ବେଳେ ଏଥିରୁ ବଞ୍ଚିବା ପାଇଁ କେତେ କିଏ ଅଭିନବ ପରୀକ୍ଷଣ ଏବଂ ଉଦ୍ଭାବନ କରୁଛନ୍ତି । ଏଥିରୁ ନିସ୍ତାର ପାଇବା ପାଇଁ ବିଶେଷଜ୍ଞମାନେ ଦିନ ରାତି ଏକ କରି ଦେଇଥିବା ବେଳେ ଉତ୍ତର ପ୍ରଦେଶ ବାରଣାସୀର ଏକ ଘରୋଇ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରସ୍ତୁତ କରିଛନ୍ତି ନିଆରା ହେଲମେଟ ।
ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ତାଲାବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି । ତେଣୁ ପିଲାମାନେ ପୂର୍ବଭଳି ଘରେ ବସି ଅନଲାଇନରେ ପାଠ ପଢୁଛନ୍ତି । ତେବେ ଏହି ଲକଡାଉନ ସମୟରେ କେହି କେହି ଘରେ ବସି ରହି ସମୟର ସଦୁପଯୋଗ କରୁଥିବା ବେଳେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରସ୍ତୁତ କରିଛନ୍ତି କୋଭିଡ ସୁରକ୍ଷା ହେଲମେଟ। ଏହି ସ୍ବତନ୍ତ୍ର ହେଲମେଟ ଆମକୁ ସୁରକ୍ଷା ଦେବା ସହିତ ମେଡିକାଲ ଏମରଜେନ୍ସିରେ ମଧ୍ୟ ସହାୟକ ହେବ। ଛାତ୍ରୀଙ୍କ ଅପେକ୍ଷା ଅନୁସାରେ, ଏହି ହେଲମେଟ ବାୟୁକୁ ପରିମଳ କରିବା ସହିତ ଭୂତାଣୁ ମୁକ୍ତ କରିବାରେ ସକ୍ଷମ ଅଟେ। ତେବେ ହେଲମେଟର ଡାହାଣ ପାର୍ଶ୍ୱରେ ଆଇଆର ସେନସର ଅଛି । ଯଦି କୌଣସି ବସ୍ତୁ ସେନସର ସମ୍ମୁଖରେ ଆସେ, ତେବେ ହେଲମେଟରେ ଥିବା ସାନିଟାଇଜର ସିଷ୍ଟମ ଟର୍ନ୍ ଅନ୍ ହୋଇଯିବ। ଫଳରେ ସମ୍ମୁଖରେ ଯେଉଁ ବସ୍ତୁ ଥିବ ତାହା ଅଟୋମେଟିକ ଭାଇରସ ମୁକ୍ତ ହୋଇଯିବ ।
ତେବେ ଏହି ହେଲମେଟର ଦାମ ରହିଛି ମାତ୍ର ୧୫୦୦ ଟଙ୍କା । ଏହାର ପରିସର ବର୍ତ୍ତମାନ କେବଳ ତିନି ମିଟର ପର୍ଯ୍ୟନ୍ତ । ଏହି ପ୍ରୋଟୋଟାଇପ୍ ବର୍ତ୍ତମାନ ନିର୍ମାଣ କରାଯାଇଛି । ଯଦି ଟ୍ରାଫିକ ବିଭାଗ ଅନୁମୋଦନ କରେ, ତେବେ ଅଧିକ ହେଲମେଟ ତିଆରି କରାଯାଇପାରିବ । ଏହା ଏକ ଘଣ୍ଟା ଚାର୍ଜ କଲେ ଦୁଇ ଦିନ ଧରି କାର୍ଯ୍ୟକ୍ଷମ ହେବ । ଏହାକୁ ତିଆରି କରିବା ପାଇଁ ଅଦରକାରୀ ଖେଳନାର ଅଂଶ, ରିଲେ, ଆଇଆର ସେନ୍ସର, ନଟ-ଭୋଲ୍ଟ ବ୍ୟାଟେରୀ ବ୍ୟବହାର କରାଯାଇଛି ବୋଲି 12 ବର୍ଷୀୟା ଛାତ୍ରୀ ଅପେକ୍ଷା ଦାବି କରିଛନ୍ତି। ଏହା ସହିତ, ଏହି ହେଲମେଟରେ ଏକ ଡାକ୍ତରୀ ଜରୁରୀକାଳୀନ କଲ୍ ଅଛି, ଯେଉଁଥିରେ ଆପଣ, ଆପଣଙ୍କ ଡାକ୍ତରଙ୍କ ନମ୍ବର ମଧ୍ୟ ସେଟ୍ କରିପାରିବେ । ଯାହା ଦ୍ବାରା କୌଣସି ପ୍ରକାରର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିରେ ଆପଣ ଥରେ ବଟନ୍ ଦବାଇ ଠିକ୍ ସମୟରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ।