ଥିରୁଅନନ୍ତପୁରମ୍: ନାରୀ ଶକ୍ତି ଉପରେ ଯେତେ ବାହା ବା କହିଲେ ମଧ୍ୟ କମ୍ ହେବ । ବର୍ତ୍ତମାନ ଯୁଗରେ ନାରୀ ଯାଇଁ କେଉଁଠି ପହଞ୍ଚିଲାଣି । ସ୍ଥଳ, ଜଳ ଓ ଆକାଶ ନାରୀ ସବୁଆଡେ ତାର ଆଧିପତ୍ୟ ବିସ୍ତାର କରିସାରିଲାଣି । ଏମିତି କୌଣସି କାମ ନାହିଁ, ଯାହା ଜଣେ ନାରୀ କରିପାରିବ ନାହିଁ । ସମାଜ ଯେତେଥର ଜଣେ ନାରୀକୁ କମ୍ ବୋଲି ଭାବିଛି, ସେତେ ଥର ଜଣେ ନାରୀ ନିଜକୁ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ସାବ୍ୟସ୍ତ କରିସାରିଛି । ମହାକାଶଯାତ୍ରା ହେଉ ଅବା ସିଭିଲ ସର୍ଭିସ ପରୀକ୍ଷା, ସବୁ ବିଭାଗର ଅଧିକାଂଶ ବଡ ପୋଷ୍ଟରେ ଜଣେ ନାରୀ ଅବସ୍ଥାପିତ । ଦେଶରେ ବହୁ ଆଇପିଏସ୍ ଅଫିସରଙ୍କ କାରନାମା ଓ ବାହାଦୁରି ଶୁଣିବାକୁ ମିଳେ । ଏମିତି ହିଁ କେରଳର ଜଣେ ଝିଅ ପୋଲିସ ହେବା ପାଇଁ ପିଲାବେଳୁ ସ୍ବପ୍ନ ଦେଖୁଥିଲା । ସେ ଅନ୍ୟ ଝିଅଙ୍କ ପରି ୯ଟାରୁ ୫ଟା ପର୍ଯ୍ୟନ୍ତ ପ୍ରାଇଭେଟ ଚାକିରୀ କରିବାକୁ ଚାହୁଁ ନ ଥିଲେ । ପିଲାବେଳୁ ତାଙ୍କର ନିଶା ଥିଲା ଖାକି ପୋଷାକ ପିନ୍ଧିବା ଏବଂ ତାଙ୍କର ଏହି ସ୍ବପ୍ନ ପୂରଣ ମଧ୍ୟ ହୋଇଛି । ସେ ହେଉଛନ୍ତି IPS ଅଫିସର ମେରିନ ଯୋଶେଫ(Merin Joseph) । ବର୍ତ୍ତମାନ କେରଳ ହେଡକ୍ବାର୍ଟରରେ SP ପଦରେ ନିଯୁକ୍ତ ଅଛନ୍ତି ମେରିନ । ଚାଲନ୍ତୁ ନଜର ପକାଇବା ତାଙ୍କ କ୍ୟାରିୟର ଉପରେ । କେଉଁଠି ପଢିଥିଲେ ପାଠ, କେଉଁ କେସ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ...ETV BHARATର ସ୍ପେଶାଲ ରିପୋର୍ଟ...
ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସରେ B.A (Hons):
୧୯୯୦ ମସିହା ୨୦ ଏପ୍ରିଲରେ କେରଳର ତ୍ରିଭେନ୍ଦ୍ରମ(Trivandrum)ରେ ମେରିନ ଯୋଶେଫଙ୍କ ଜନ୍ମ । ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ(St. Stephen's college)ରୁ B.A (Hons) ଓ ଏମ୍ଏ(MA)ଡିଗ୍ରୀ ହାସଲ କରିଛନ୍ତି । ୨୦୧୨ରେ ମାତ୍ର ୨୫ ବର୍ଷ ବୟସରେ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ସେ ସଫଳତା ହାସଲ କରିଥିଲେ । ସର୍ବଭାରତୀୟ ସ୍ତରରେ ତାଙ୍କୁ ୧୮୮ ରାଙ୍କ ମିଳିଥିଲା । ତାଙ୍କ ବାପା କୃଷି ମନ୍ତ୍ରଣାଳୟର ପ୍ରମୁଖ ପରାମର୍ଶଦାତା ଓ ମାଆ ଅର୍ଥଶାସ୍ତ୍ରରେ ଶିକ୍ଷୟିତ୍ରୀ ଅଛନ୍ତି ।
ଏହି ଠାରୁ କରିଥିଲେ UPSCର ପ୍ରସ୍ତୁତି:
ଗ୍ରାଜୁଏସନ ପୁରା ହେବା ପରେ ମେରିନ UPSC କୋଚିଂ ପାଇଁ ଦିଲ୍ଲୀର ମୁଖାର୍ଜୀ ନଗର ଗସ୍ତ କରିଥିଲେ । ପରୀକ୍ଷା ସମୟରେ ତାଙ୍କୁ ୪ଟି ଅପ୍ସନ ଦିଆଯାଇଥିଲା । IAS, IFS, IRS ଓ IPS । ଏଥି ମଧ୍ୟରୁ ସେ IPS ବାଛିଥିଲେ ।
ସାଇକିୟାଟ୍ରିଷ୍ଟଙ୍କୁ କରିଛନ୍ତି ବିବାହ:
୨ ଫେବୃୟାରୀ ୨୦୧୫ରେ ମେରିନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କେରଳ ନିବାସୀ ସାଇକିୟାଟ୍ରିଷ୍ଟ(psychiatrist) ଡ. କ୍ରିସ ଆବ୍ରାହାମ(Dr. Chris Abraham)ଙ୍କ ସହ ତାଙ୍କ ବାହାଘର ହୋଇଥିଲା ।
ଜୀବନରେ କଷ୍ଟକୁ ଆପଣାନ୍ତୁ:
ମେରିନଙ୍କ ଅନୁସାରେ ଖେଳ, ଦୌଡ, ଶାରୀରିକ ବ୍ୟାୟାମରୁ କେବେ ମଧ୍ୟ ଦୂରେଇ ଯିବା ଉଚିତ୍ ନୁହେଁ, ପ୍ରଥମେ ପ୍ରଥମେ କଷ୍ଟ ହୋଇଥାଏ, କିନ୍ତୁ ପରେ ଏହାକୁ ଅଭ୍ୟାସରେ ପକାଇଲେ ଶରୀର ଖୁବ୍ ମଜବୁତ୍ ହେବା ସହ ଶକ୍ତିଶାଳୀ ହୋଇଥାଏ । ତେଣୁ ନିଜ ଜୀବନରେ ଆଥଲେଟିକ୍ସକୁ ସ୍ଥାନ ଦିଅନ୍ତୁ । ଏହା ଜଣେ ବ୍ୟକ୍ତିକୁ ଖୁବ୍ ଆଗକୁ ନେଇଥାଏ ।
୨୪x7 କଲ୍ ସୁବିଧା:
କାହାର କିଛି ବି ଅସୁବିଧା ହେଲେ ମେରିନଙ୍କୁ ୨୪x7 କଲ୍ କରିପାରିବେ । ଏ ନେଇ ମେରିନ ନିଜେ ନିଜ ସୋସିଆଲ ମିଡିଆରେ ଜଣାଇଥିଲେ । ସେ ଜନତାଙ୍କ ପାଇଁ ସଦାସର୍ବଦା ଜାଗ୍ରତ । ଘରୋଇ ହିଂସା ହେଉ କିମ୍ବା ଦୁର୍ଘଟଣା, ସବୁ ସମୟରେ ଆଇପିଏସ୍ ମେରିନ ଆପଣଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ । ମେରିନଙ୍କ ଏହି ଚିନ୍ତାଧାରା ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ପୋଲିସ ଅଫିସର ହୋଇପାରିଛନ୍ତି ।
ଏମିତି ହୋଇଥିଲା ମେରିନଙ୍କ ଟ୍ରେନିଂ:
ମେରିନଙ୍କ ଟ୍ରେନିଂ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ହୋଇଥିଲା । ସେ ଏହିଠାରେ ହିଁ ଅସ୍ତ୍ରଶସ୍ତ୍ର ଚଳାଇବା ଓ Swimming ଶିଖିଥିଲେ । ଏହାସହ ଘଞ୍ଚ ଜଙ୍ଗଲରେ ଏକୁଟିଆ ରହିବା, ଖାଲି ପାଦରେ ଚାଲିବା ତାଙ୍କ ଟ୍ରେନିଂର ମୁଖ୍ୟ ଅଂଶ ଥିଲା । ସେ ପ୍ରତ୍ୟହ ସକାଳ ୪.୪୫ରେ ଉଠି ୪-୫ କିମି ଦୌଡୁଥିଲେ । ଘୋଡା ଚଢିବା, ବନ୍ଧୁକ ଚାଳନା ଆଦି ବିଭିନ୍ନ କଠିନ କାମ ସେ ଉକ୍ତ ଟ୍ରେନିଂ ସମୟରେ ହିଁ ଶିଖିଥିଲେ । ଟ୍ରେନିଂ ପୁରା ହେବା ପରେ ମେରିନଙ୍କ ପ୍ରଥମ ପୋଷ୍ଟିଂ ଏର୍ଣ୍ଣାକୁଲମରେ ହୋଇଥିଲା । ସେ ସେଠାରେ ASP(under training) ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ । ସେ ପ୍ରଥମରୁ ହିଁ ନିଜ କାମକୁ ନେଇ ସିରିୟସ ଥିଲେ । ସେ କୌଣସି କାମକୁ ଛୋଟ ଭାବନ୍ତି ନାହିଁ । ତାଙ୍କ ନଜରରେ ସବୁ କେସ ସମାନ ।
୬ଷ୍ଠ ଶ୍ରେଣୀରୁ ଆଇପିଏସ୍ ସ୍ବପ୍ନ:
ଯେତେବେଳେ ମେରିନ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ, ସେତେବେଳୁ ହିଁ ସେ ସିଭିଲ ସର୍ଭିସ ଜଏନ କରିବାକୁ ଭାବୁଥିଲେ । ପାଠପଢା ସରିବା ମାତ୍ରେ ହିଁ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସେଥିପାଇଁ ପ୍ରଥମ ଥରରେ ହିଁ ସେ ସଫଳତା ହାସଲ କରିଥିଲେ ।
ସାଉଦି ଆରବରୁ ଦୁଷ୍କର୍ମକାରୀକୁ ଭିଡି ଆଣିଥିଲେ:
ମେରିନ ଯୋଶେଫଙ୍କ କାମ ଯୋଗୁଁ ତାଙ୍କୁ ସମସ୍ତେ ଜାଣନ୍ତି । ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ଓ ତାଙ୍କ ଟିମ୍ ସାଉଦି ଆରବରୁ ଦୁଷ୍କର୍ମକାରୀକୁ ଘୋଷାଡି ଆଣିଥିଲେ । ଏହା ପ୍ରଥମ ଥର ହୋଇଥିଲା, ଯେତେବେଳେ କୌଣସି ରେପିଷ୍ଟକୁ ବିଦେଶରୁ ଏମିତି ଭିଡିକି ଭାରତ ଅଣାଯାଇଥିବ । ସେତେବେଳେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଯେତେବେଳେ ମେରିନ ରିଆଦରେ ପହଞ୍ଚିଥିଲେ, ତାଙ୍କୁ ଜଣା ମଧ୍ୟ ନଥିଲା ଯେ, ଏତେ ବଡ ଦେଶରୁ କେମିତି ଜଣେ ଅପରାଧୀକୁ ଧରିବେ, କେଉଁଠୁ ମିଳିବ ଅପରାଧୀର ପତ୍ତା । କିନ୍ତୁ ଏହା ମଧ୍ୟ ଜଣାଥିଲା ଯେ, ଉକ୍ତ ନାବାଳିକାକୁ ନ୍ୟାୟ ମଧ୍ୟ ଦେବାର ଅଛି, ପରିସ୍ଥିତି ଯାହା ବି ହେଉ ନା କାହିଁକି, ସେ ଅପରାଧୀକୁ ଭାରତ ନେଇକି ଯିବେ ।
କିଏ ସେ ଦୁଷ୍କର୍ମକାରୀ:
ଅପରାଧୀର ନାଁ ସୁନୀଲ କୁମାର ଭଡ୍ରାନ । ସେ ୨୦୧୭ରେ ଛୁଟିରେ କେରଳ ଆସିଥିଲା । ସେତେବେଳେ ସେ ନିଜ ସାଙ୍ଗର ୧୩ ବର୍ଷୀୟ ଭାଣିଜୀ ସହ ୩ ମାସ ଧରି ଦୁଷ୍କର୍ମ କରିଥିଲା । ଏହି ଘୃଣ୍ୟ ଅପରାଧ ଘଟାଇ ସେ ୨ ବର୍ଷ ଧରି ଫେରାର ହୋଇଯାଇଥିଲା । ସାଉଦି ଆରବରେ ନିଜ ପରିଚୟ ଗୋପନୀୟ ରଖି ସେଠାରେ ଟାଇଲ କାମ କରୁଥିଲା । ସେ କେବେ ଭାବି ନଥିଲା ଯେ, ୨ ବର୍ଷ ତଳେ ଘଟାଇଥିବା ଏହି ଅପରାଧର ଚିଠା ଏମିତି ଖୋଲିବ ।
ଫାଇଲ ଖୋଲିବା ପରେ ଜଣାପଡିଲା ସତ:
କେରଳର କୋଲମରେ ପୋଷ୍ଟିଂ ଥିଲାବେଳେ ମେରିନ ଯୋଶେଫ ଯେତେବେଳେ ପେଣ୍ଡିଂ କେସର ଫାଇଲ ଖୋଲିଥିଲେ, ସେତେବେଳେ ତାଙ୍କ ନଜର ନାବାଳିକାର ଦୁଷ୍କର୍ମ କେସ ଉପରେ ପଡିଥିଲା । ଏହି କେସ ନେଇ ପୂର୍ବରୁ ପୋଲିସ କୌଣସି ତତ୍ପରତା ଦେଖାଇ ନ ଥିଲା । ଉକ୍ତ ଫାଇଲ ଉପରେ ଧୂଳି ଚଢିଯାଇଥିଲା । ମାମଲାକୁ ନେଇ କୌଣସି ଅପଡେଟ୍ ନ ଥିଲା । ମେରିନ ଅନୁଭବ କଲେ ଯେ, ପୋଲିସ ଓ ସ୍ଥାନୀୟ ନେତା ଏହି ମାମଲାକୁ ଛୋଟ ଭାବି ଛାଡି ଦେଇଛନ୍ତି । ତେଣୁ ସେ କେସକୁ ରିଓପନ କରିଥିଲେ । ଏହାପରେ ସେ ଏହି କେସକୁ ସମାଧାନ କରିବା ପଛରେ ହିଁ ପଡିଯାଇଥିଲେ । ନିଜ ଟିମ୍କୁ ପ୍ରସ୍ତୁତ କରି ସେ ସାଉଦି ଆରବ ପାଇଁ ବାହାରି ଯାଇଥିଲେ । ଯେଉଁ କେସ ୨ ବର୍ଷ ପୂର୍ବେ ସମାଧାନ ହୋଇଯିବାର ଥିଲା, ସେହି କେସକୁ ମାତ୍ର କେଇ ଦିନ ମଧ୍ୟରେ ମେରିନ ସମାଧାନ କରି ଦେଇଥିଲେ ।
ସୋସିଆଲ ମିଡିଆ ଟ୍ରେଣ୍ଡରେ ମେରିନ:
୩ ବର୍ଷ ତଳେ ଏକ ମିଡିଆ ସଂସ୍ଥା ଗୋଟିଏ ଷ୍ଟୋରୀ କରିଥିଲା, ଯେଉଁଥିରେ ଦେଶର ସୁନ୍ଦର IPS ଅଫିସର୍ସଙ୍କ ସମ୍ବନ୍ଧରେ ଲେଖାଯାଇଥିଲା । ଏଥିରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ କେରଳୀ ଆଇପିଏସ୍ ମେରିନ । ମହିଳାଙ୍କୁ ସୌନ୍ଦର୍ଯ୍ୟ ମାମଲାରେ କାହିଁକି ଜଜ୍ କରାଯାଉଛି, ଯଦି ଜଜ୍ କରିବାର ଅଛି ତେବେ ତାଙ୍କ କାମ ଦ୍ବାରା ତାଙ୍କୁ ଜଜ୍ କରାଯାଉ । ମେରିନଙ୍କ ଏହି ଦୃଢୋକ୍ତି କିଛି ୟୁଜର୍ସଙ୍କୁ ଭଲ ଲାଗିଥିବାବେଳେ ଆଉ କିଛି ଏହାକୁ ନେଇ ଖୁବ୍ ଆଲୋଚନା କରିଥିଲେ । ଏହାପର ଠାରୁ ମେରିନ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରିଥିଲେ । ମେରିନ ନିଜ ଉପଲବ୍ଧି ଓ ବ୍ୟକ୍ତିତ୍ବ ପାଇଁ ଖୁବ୍ ଲୋକପ୍ରିୟ । ଇଂରାଜୀ ଲେଖା ପାଇଁ ସେ ଅଧିକାଂଶ ସମୟରେ ଟ୍ରେଣ୍ଡରେ ଥାଆନ୍ତି । ତାଙ୍କ FB ପେଜ୍ ଦେଖିଲେ ଯେ, କେହି ବି କହିବେ, ସେ ଇଂରାଜୀରେ କେତେ ଦକ୍ଷ । ତାଙ୍କର ଅଧିକାଂଶ ପୋଷ୍ଟ ଇଂରାଜୀରେ ହିଁ ହୋଇଥାଏ ।
ମେରିନଙ୍କ ଅନ୍ୟାନ୍ୟ ସଫଳତା:
୨୦୧୬ରେ ରାଜ୍ୟ ସ୍ବତନ୍ତ୍ରତା ଦିବସ ପରେଡକୁ କମାଣ୍ଡ କରୁଥିବା ସବୁଠାରୁ କମ୍ ବୟସ ଅଫିସର ବନିଥିଲେ ମେରିନ ଯୋଶେଫ । ଏହା ପୂର୍ବରୁ ସେ କମାଣ୍ଡେଣ୍ଟ ଅଫ୍ କେରଳ ଆର୍ମ୍ଡ ପୋଲିସ ବାଟାଲିୟନ-୨ରେ ନିଯୁକ୍ତି ପାଇଥିଲେ । ଏହି ପୋଷ୍ଟରେ ସେ ପ୍ରଥମ ମହିଳା । ମେରିନ ମହିଳା ଓ ଶିଶୁଙ୍କ ସମ୍ବନ୍ଧୀୟ ମାମଲାକୁ ସମାଧାନ କରିବାରେ ଖୁବ୍ ଦକ୍ଷ । ମେରିନ କେରଳ କ୍ୟାଡରର ତୃତୀୟ ମହିଳା ମାଲାୟାଲମ IPS ଅଫିସର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ