ଶ୍ରୀନଗର: ବିଜ୍ଞାନକୁ ଭିନ୍ନ ଏକ ଉଜ୍ବଳମୟ ସ୍ତରରେ ପହଞ୍ଚାଇଲେ ଜଣେ ଗଣିତ ଶିକ୍ଷକ, ପ୍ରସ୍ତୁତ କଲେ ସୋଲାର କାର୍ । ଯେଉଁ କାର ବଡ ବଡ କମ୍ପାନୀର ବ୍ୟୟ ବହୁଳ, ବିଳାସପୂର୍ଣ୍ଣ କାର(Luxury Car)କୁ ମଧ୍ୟ ଟକ୍କର ଦେଇ ପାରିବ । ତେବେ ୧୫ ଲକ୍ଷ ବ୍ୟୟରେ ଶିକ୍ଷକ ଜଣକ ଏହି କାର୍ ପ୍ରସ୍ତୁତ କରିଛନ୍ତି ।
ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀର ଶ୍ରୀନଗର ସନତ ନଗର ନିବାସୀ ହେଉଛନ୍ତି ଇଞ୍ଜିନିୟର ବିଲାଲ ଅହମ୍ମଦ ମୀର । ସେ ପେଶାରେ ଜଣେ ଗଣିତ ଶିକ୍ଷକ । ପ୍ରଥମେ ବିଲାଲ ଦିବ୍ୟାଙ୍ଗମାନଙ୍କ ସୁବିଧାଜନକ ଯାତ୍ରା ପାଇଁ କୌଣସି ଯାନ ପ୍ରସ୍ତୁତି ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଆର୍ଥିକ ସମସ୍ୟା କାରଣରୁ କରି ପାରିନଥିଲେ । ଏହାପରେ ୨୦୦୯ରେ ସେ ସୌର ଚାଳିତ କାର୍ ପ୍ରସ୍ତୁତ ପାଇଁ ମନସ୍ଥ କରିଥିଲେ ।
ଦୀର୍ଘ ୧୩ ବର୍ଷର ଅବିଶ୍ରାନ୍ତ ପରିଶ୍ରମ ତାଙ୍କୁ ସଫଳତା ଦେଇଛି । ବିନା ପେଟ୍ରୋଲ-ଡିଜେଲରେ ଚାଲି ପାରୁଥିବା କାର୍ ପ୍ରସ୍ତୁତ କରି ବର୍ତ୍ତମାନ ସେ ଚର୍ଚ୍ଚାରେ । ସବୁଠୁ ବଡ କଥା ହଉଛି କି ଏହି କାର୍ ତିଆରି ପାଇଁ ବିଲାଲ ଅନ୍ୟ କାହାର ସାହାଯ୍ୟ ଲୋଡି ନାହାନ୍ତି । କାର୍ ପ୍ରସ୍ତୁତ ପାଇଁ ୧୫ ଲକ୍ଷ ଖର୍ଚ୍ଚ ହୋଇ ଥିବାବେଳେ ଏହାକୁ ସବୁ ଶ୍ରେଣୀର ଲୋକେ ବ୍ୟବହାର କରିପାରିବେ ବୋଲି କହିଛନ୍ତି ବିଲାଲ ।