ଗୋପାଳଗଞ୍ଜ: ବିହାରର ଗୋପାଳଗଞ୍ଜ ଖଜୁର୍ବାନୀରେ ବହୁ ଚର୍ଚ୍ଚିତ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବଡ ଦଣ୍ଡାଦେଶର ଶୁଣାଣି । ଏଡିଜେ କୋର୍ଟ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ 13 ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଅନ୍ୟପକ୍ଷେ ମାମଲାରେ ବାକି 4 ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।
5 ବର୍ଷ ପୂର୍ବେ ଘଟିଥିବା ଏହି ଘଟଣାରେ ବିଷାକ୍ତ ମଦ ପିଇ 19 ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷେ 6 ଜଣ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସୂଚନା ଅନୁଯାୟୀ, ଖଜୁର୍ବାନୀ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୋଟ 14 ଜଣଙ୍କୁ ଗିରଫ କରାଯାଇଥିଲା । ଏଥିମଧ୍ୟରୁ ଜଣେ ଅଭିଯୁକ୍ତ ଗ୍ରହଣ ପାସୀର ମୃତ୍ୟୁ ହୋଇଯାଇଛି ।
13 ଅଭିଯୁକ୍ତଙ୍କୁ ଏଡିଜେ କୋର୍ଟ ଦୋଷୀ ସାବ୍ୟସ୍ତ କରି 5 ମାର୍ଚ୍ଚରେ ଦଣ୍ଡାଦେଶର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । ଶୁକ୍ରବାର କୋର୍ଟଙ୍କ ଶୁଣାଣି ଉପରେ ରହିଥିଲା ନଜର । ମାମଲାରେ ଏଡିଜେ କୋର୍ଟ 9 ଜଣ ପୁରୁଷ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ସେହିପରି 4 ମହିଳାଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।
ବିଷାକ୍ତ ମଦମୃତ୍ୟୁ ଘଟଣା 5 ବର୍ଷ ପୁରୁଣା । 16 ଅଗଷ୍ଟ 2016ରେ ନଗର ଥାନାର ଖଜୁର୍ବାନୀରେ ଘଟଇଥିଲା ଏହି ଘଟଣା । ଏଥିରେ 19 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ନିଜ ଦୃଷ୍ଟିଶକ୍ତି ହରାଇଥିଲେ । ମାମଲାର ଶୁଣାଣିରେ ବିଷାକ୍ତ ମଦରେ ମିଥାଇଲ ଆଲକୋହଲ ମିଶାଯାଇଥିବା ସ୍ପଷ୍ଟ ହୋଇଥିଲା ।