ଭୋପାଳ: ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଥିବା ସୋନ ଘଡ଼ିଆଳ ଅଭୟାରଣ୍ୟ(Son Gharial Sanctuary) ଖେଳିଲା ଖୁସିର ଲହରୀ । ୬ ବର୍ଷ ପରେ ପୁଣି ସୃଷ୍ଟି ହେଲା ଖୁସିର ମାହୋଲ । ଆଉ ଏହା ପ୍ରମାଣିତ ହୋଇଛି ଯେ ଏଠାକାର ପରିବେଶ ଘଡ଼ିଆଳ କୁମ୍ଭୀରଙ୍କୁ ପାଇଁ ଅନୁକୂଳ । ୨ଟି ଘଡ଼ିଆଳ କୁମ୍ଭୀରଙ୍କ ଅଣ୍ଡାରୁ ୭୨ଟି (୭୨ children born from two female crocodiles) ଛୁଆ ଜନ୍ମ ନେଇଛନ୍ତି । ଘଡ଼ିଆଳ ସୋନ ନଦୀ କୂଳ ବାଲିରେ ଅଣ୍ଡା ଦେଇଥିଲେ । ଏହି ଅଣ୍ଡାଗୁଡ଼ିକ ସୁରକ୍ଷିତ ରହିଥିବା ବେଳେ ୭୨ଟି ଛୁଆ ସେଥିରୁ ଜନ୍ମ ନେଇଛନ୍ତି ।
ଏଠାରେ ଆହୁରି ଅଧିକ କୁମ୍ଭୀର ଜନ୍ମ ନେବାର ସମ୍ଭାବନା ରହିଛି । ଘଡିଆଳ କୁମ୍ଭୀର ଅଣ୍ଡା ଦେବା ପରେ ସେମାନଙ୍କର ଶିକାରର ଭୟ ରହିଥାଏ । ପୁରୁଷ ଘଡ଼ିଆଳ କୁମ୍ଭୀର ସମେତ ପଶୁମାନେ ଏହାର ଶିକାର କରିବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଉଭୟ ମହିଳା ଘଡ଼ିଆଳ ନିଜ ପିଲାମାନଙ୍କ ସୁରକ୍ଷା ପାଇଁ ସେମାନଙ୍କ ଚାରିପାଖରେ ରହିଛନ୍ତି । ମା' କୁମ୍ଭୀର ସେହି ସ୍ଥାନରେ ରହି ନିଜ ପିଲାଙ୍କ ଉପରେ ନଜର ରଖିଛନ୍ତି । ଛୋଟ ଘଡ଼ିଆଳଗୁଡିକ ସ୍ବାଭାବିକ ଭାବରେ ୨ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟର ଆବଶ୍ୟକତା କରନ୍ତି ନାହିଁ । ଏହା ପରେ ସେମାନଙ୍କୁ ଖାଦ୍ୟ ଭାବେ ଛୋଟ ମାଛ ଦିଆଯାଏ ।
ସୋନ ଘଡ଼ିଆଳ ଅଭୟାରଣ୍ୟରେ ପୁରୁଷ ଘଡ଼ିଆଳ ନଥିବା ଯୋଗୁଁ ଏଠାରେ ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି ପାଉନଥିଲା । ଏଥିଲାଗି ଗତ ଡିସେମ୍ବର ୧୭ ତାରିଖରେ ମୁରୈନାରୁ ପୁରୁଷ ଘଡ଼ିଆଳଙ୍କୁ ଅଣାଯାଇଥିଲା । ଯାହାର ଫଳ ମିଳିଛି । ୫ ମାସ ମଧ୍ୟରେ ୭୨ ଘଡ଼ିଆଳ ଜନ୍ମ ନେଇଛନ୍ତି । ଏମାନଙ୍କୁ ନଜରରେ ରଖିବା ଲାଗି ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଦୀର୍ଘ ସମୟ ପରେ ଅଭୟାରଣ୍ୟକୁ ଏହି ଖୁସି ମିଳିଛି ।