ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁସାରେ ରେଳବାଇକୁ ପ୍ରଥମେ ଟ୍ରାନ୍ସଫର୍ମ କରିବାକୁ ପଡିବ । ଗତ 8 ବର୍ଷର ମୋଦି ସରକାରଙ୍କ ସମୟରେ ରେଳ ବିଭାଗରେ ଅନେକ ପରିବର୍ତ୍ତନ ଆସିଛି । ଷ୍ଟେସନ ଠାରୁ ଆରମ୍ଭ କରି ଟ୍ରାକ ପର୍ଯ୍ୟନ୍ତ ସ୍ବଚ୍ଛ ହୋଇଛି । କବଚ ଭଳି ଯାନ୍ତ୍ରିକ କୌଶଳ, ବନ୍ଦେ ଭାରତ ଭଳି ଟ୍ରେନ ତିଆରି ହେଲା । ତେବେ ଏହି 8 ବର୍ଷ ଭିତରେ ଯେତିକି ବିକାଶ ହୋଇଛି, ତାକୁ ଆହୁରି ଆଗକୁ ନେବାର ଅଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଥିବା ରେଳ ମନ୍ତ୍ରଣାଳୟର ଜାତୀୟ ରେଳୱେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳ ବିକାଶ ପ୍ରସଙ୍ଗରେ ରେଳମନ୍ତ୍ରୀ କହିଛନ୍ତି ପ୍ରଥମେ ରେଳ ଷ୍ଟେସନ ଗୁଡିକର ପୁନଃ ବିକାଶ କରିବାକୁ ପଡିବ । ପୁରୀ ଷ୍ଟେସନର ଡିଜାଇନ ପ୍ରସ୍ତୁତ ଶେଷ ହେବା ସହ ଟେଣ୍ଡର ଦିଆଯାଇଛି । ଖୁବଶୀଘ୍ର ଓଡିଶାରେ ଆଉ 7ଟି ଷ୍ଟେସନର ବିକାଶ ପାଇଁ ଟେଣ୍ଡର ହେବ । ଦେଶ ସାରା ପାଖାପାଖି 50ଟି ଷ୍ଟେସନର କାମ ଆରମ୍ଭ ହୋଇଯାଇଛି । 500 ଷ୍ଟେସନକୁ ଉନ୍ନତ କରିବାର ଲକ୍ଷ୍ୟ ରଖାଯାଇଛି । ସେପ୍ଟେମ୍ବର ମାସରୁ ବନ୍ଦେ ଭାରତ ଭଳି 4ରୁ 5ଟି ଟ୍ରେନ ପ୍ରତି ମାସ ତିଆରି କରାଯିବ । ଦେଶ ସାରା ସେହି ଟ୍ରେନ ଗୁଡିକୁ ନିୟୋଜିତ କରାଯିବ। ତେବେ ଏହି ପୁରସ୍କାର ବିତରଣ ଉତ୍ସବରେ 156 ଜଣ ରେଳବାଇ କର୍ମଚରୀଙ୍କୁ ପୁରସ୍କାର ପ୍ରଦାନ ହୋଇଛି ।
ଓଡିଶାକୁ ପ୍ରଥମ ଥର ପାଖାପାଖି 10 ହଜାର କୋଟି ଟଙ୍କାର ରେଳ ଅନୁଦାନ ଆସିଛି । ଖୋର୍ଦ୍ଧା-ବଲାଙ୍ଗୀର, ତାଳଚେର-ଅନୁଗୁଳ ଆଦି ପ୍ରକଳ୍ପ, ନୂଆ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି । ବୁଲେଟ ଟ୍ରେନ ଚଳାଚଳ କରିବା ପାଇଁ 50ଟି ଟାୱାର ତିଆରି ହୋଇସାରିଲାଣି । ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଉନ୍ନତ ଜ୍ଞାନ କୌଶଳ ଦେଖିବା ପାଇଁ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ବିଭାଗ ପକ୍ଷରୁ ପଠାଯିବ।
ସେହିପରି ରେଳ ଟ୍ରାକରେ ହାତୀ ମୃତ୍ୟୁ ରୋକାଯିବା ପଦକ୍ଷେପ ପ୍ରସଙ୍ଗ ମନ୍ତ୍ରୀ କହିଛନ୍ତି ଏଥିପାଇଁ ବିଭିନ୍ନ ଗବେଷଣା କରାଯାଇଛି । ଯେଉଁ ସବୁ ସ୍ଥାନରେ ବନ୍ୟଜନ୍ତୁ ଚଳ ପ୍ରଚଳ କରୁଛନ୍ତି । ସେହି ସବୁ ସ୍ଥାନରେ ଟ୍ରାକ ତଳେ ପୋଲ ତିଆରି କରାଯିବ । ଯେମିତି କି ଏକା ଥରେ 8ଟି ହାତୀ ଅତିକ୍ରମ କରିପାରିବେ । ରେଳ ବୋର୍ଡ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର କରାଯିବ । ଏହାପରେ ଦେଶ ସାରା ପୋଲ ତିଆରି କରାଯିବ। ବହୁ ବର୍ଷ ପରେ ଭୁବନେଶ୍ବରରେ ରେଳ ବିଭାଗର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପୁରସ୍କାର ପାଇଥିବା ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ଅଭିନନ୍ଦନ ଦେଉଛି ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର