ନୂଆଦିଲ୍ଲୀ: ସାରାଦେଶରେ ଏବେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ଆସୁଥିବା ବେଳେ ହଜାର ହଜାର ଲୋକ ପ୍ରତିଦିନ ମରୁଛନ୍ତି। ଅଧିକାଂଶ ଭାରତୀୟ ଦେଶର ଅବସ୍ଥାକୁ ନେଇ ଚିନ୍ତିତ, ଦୁଃଖିତ ଏବଂ କ୍ରୋଧିତ ବୋଲି ଏକ ସର୍ଭେରେ ନିଶ୍ଚିତ ହୋଇଛି। ସର୍ବେକ୍ଷଣରୁ ଜଣାପଡିଛି ଯେ, କୋରୋନା ମାମଲା ବୃଦ୍ଧି ହେତୁ ଲୋକମାନେ ଅତ୍ୟଧିକ ଚାପଗ୍ରସ୍ତ ହେଉଛନ୍ତି। ଉପରେ ସରକାର ଲାଗୁ କରିଥିବା ଲକଡାଉନରେ ଘରେ ରହିବା ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ।
ସିଟିଜେନ ଏଂଙ୍ଗେଜମେଣ୍ଟ ପ୍ଲାଟଫର୍ମ ଲୋକାଲ ସର୍କଲ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, 61 ପ୍ରତିଶତ ଭାରତୀୟ ମାନସିକ ସ୍ତରରେ ଚାପଗ୍ରସ୍ତ ହେଉଛନ୍ତି। ଏପରିକି କ୍ରୋଧ ଆସିବା, ନିଦ ନହେବା, ଚିନ୍ତିତ ରହିବା ଭଳି ଅନେକ ରୋଗ ମଧ୍ୟ ଲୋକଙ୍କୁ ଗ୍ରାସ କରୁଛି । ସାରା ଦେଶରେ କୋରୋନା ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ମରୁଛନ୍ତି। ଏ ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, "କୋରୋନାରେ ଏଭଳି ଲୋକଙ୍କ ମୃତ୍ୟୁକୁ ଆମେ ଦେଖିପାରୁନୁ । ଏବେ ଆମକୁ ଏପରି ଲାଗୁଛି ଯେ, କୋରୋନାର ଅବଧି ଶେଷ ସୁଦ୍ଧା ବୋଧହୁଏ ଲକ୍ଷ ଲକ୍ଷ ଲୋକ ଡିପ୍ରେସନର ଶିକାର ହୋଇଯାଇଥିବେ।"
ସର୍ବେକ୍ଷଣରେ ଲୋକଙ୍କୁ ପଚରାଯାଇଥିଲା କି କୋରୋନା ମହାମାରୀର ମୁକାବିଲା ପାଇଁ ସରକାର ସଠିକ୍ ଦିଗରେ କାର୍ଯ୍ୟ କରୁଛନ୍ତି କି? ଏହା ଉପରେ 41 ପ୍ରତିଶତ ଲୋକ ‘ହଁ’ରେ ଉତ୍ତର ଦେଇଥିବାବେଳେ 45 ପ୍ରତିଶତ ଲୋକ ସରକାରଙ୍କ ପଦକ୍ଷେପକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।