ଇମ୍ଫାଲ: ବୀରେନ ସରକାରଙ୍କ ଦ୍ବିତୀୟ ପାଳିରେ ବଡ ନିଷ୍ପତ୍ତି । ଏଣିକି ମଣିପୁରରେ ସପ୍ତାହରେ ମାତ୍ର ୫ଟି ସରକାରୀ କାର୍ଯ୍ୟଦିବସ ରହିବ । ସରକାରୀ କର୍ମଚାରୀମାନେ ୬ଦିନ ପରିବର୍ତ୍ତେ ମାତ୍ର ୫ଦିନ କାର୍ଯ୍ୟ କରିବେ । ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି ।
ନୂଆ ନିୟମ ଅନୁସାରେ, ରାଜ୍ୟର ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ସପ୍ତାହରେ ମାତ୍ର ୫ କାର୍ଯ୍ୟଦିବସ ରହିବ । ସପ୍ତାହରେ ଶନିବାର ଓ ରବିବାର ଦୁଇ ଦିନ ଛୁଟି ପାଇବେ କର୍ମଚାରୀ । ସାଧାରଣ କାର୍ଯ୍ୟ ସମୟ ସକାଳ ୯ ଟାରୁ ସଂନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ରହିବ । ସେହିପରି ଶୀତ ଋତୁ (November to February)ରେ ଏହି ସମୟ ସଂନ୍ଧ୍ୟା ୫.୩୦ ପରିବର୍ତ୍ତେ ଅଧଘଣ୍ଟା ପୂର୍ବରୁ ଅର୍ଥାତ ୫ ଟାରେ ଶେଷ ହେବା ନେଇ ନିଷ୍ପତ୍ତି ହୋଇଛି ।
ସେହିପରି ବର୍ଷସାରା ଅପରାହ୍ନ 1ଟାରୁ ରାତି 1.30 ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହେବ । ଏହାସହ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ /ଘରୋଇ ବିଦ୍ୟାଳୟ ପାଇଁ ସକାଳ 8 ଟାରୁ ସ୍କୁଲ ସମୟ ଆରମ୍ଭ ହେବ ବୋଲି ଏଥିରେ କୁହାଯାଇଛି । ଶିକ୍ଷା ବିଭାଗ (ବିଦ୍ୟାଳୟ) ବିଭିନ୍ନ ସ୍ତର ପାଇଁ ପୃଥକ ପୃଥକ ସମୟ ସୀମା ନିର୍ଦ୍ଧାରଣ କରିବେ ବୋଲି ଏହି ନିୟମରେ ବ୍ୟବସ୍ଥା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ