ମୁମ୍ବାଇ: ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର 5 ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ (5 arrested from Uddhav faction)। ଅନ୍ୟ 30ରୁ 40 ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଥିବା ନେଇ ସୂଚନା ମିଳିଛି । ଏମାନେ ସମସ୍ତେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଥିବା ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର ସଦସ୍ୟ ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର ସଦସ୍ୟ ସନ୍ତୋଷ ତାଲଭଣେ ଏହି ମାମଲାରେ ପୋଲିସରେ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ (controversial social media post in Maharashtra)। ପରେ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଉଦ୍ଧବ ଠାକରେଙ୍କ ଗୋଷ୍ଠୀର 5 ଜଣଙ୍କୁ ଗିରଫ କରାଯିବା ସହ ଅନ୍ୟ ପ୍ରାୟ 30 ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି । ଆଗକୁ ମଧ୍ୟ ଏହି ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଶୁକ୍ରବାର ଗଣପତି ବିସର୍ଜନକୁ ନେଇ ଶିବସେନାର ଉଭୟ ଗୋଷ୍ଠୀ (ଠାକରେ-ସିନ୍ଧେ) ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ପରେ ଏହି ଆରୋପ ପ୍ରତ୍ୟାରୋପ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ମାମଲାରେ ଗୋଟିଏ ଗୋଷ୍ଠୀ ସୋସିଆଲ ମିଡିଆରେ ଉତ୍ତେଜକ ତଥା ଆପତ୍ତିଜନକ ଏକାଧିକ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ଉଦ୍ଧବ ଗୋଷ୍ଠୀର କିଛି କର୍ମୀ ବିଧାୟକ ସର୍ବଣକରଙ୍କ (MLA Sarvankar) ବାସଭବନ ବାହାରେ ଏକତ୍ରିତ ହୋଇ ନାରାବାଜୀ କରିବାକୁ ଲାଗିଲେ । ଖବର ପାଇ ଘଟଣାସ୍ଥଳରେ ସିନ୍ଧେ ଗୋଷ୍ଠୀର କିଛି କର୍ମୀ ପହଞ୍ଚି ନାରାବାଜୀ କରିବା ପରେ ସ୍ଥିତି ଅଣାୟତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
ପରେ ସୋସିଆଲ ମିଡିଆରେ ଉଦ୍ଧବ ଗୋଷ୍ଠୀ ସେମାନଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହୋଇଥିଲେ ସିନ୍ଧେ ଗୋଷ୍ଠୀ । ପୋଲିସ ପ୍ରଥମିକ ତଦନ୍ତ ପରେ ଠାକରେ ଗୋଷ୍ଠୀର 5 ଜଣଙ୍କୁ ଗିରଫ କରିବା ସହ କିଛି କର୍ମୀଙ୍କ ନାମରେ ମାମଲା ରୁଜୁ କରିଛି । ଅନ୍ୟପଟେ ବିଧାୟକ ସର୍ବଣକର ଗୁଳି ଫୁଟାଇ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ପୋଲିସ ଏହି ମାମଲାର ମଧ୍ୟ ତଦନ୍ତ ଜାରି ରଖିଛି ।
ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ମଧ୍ୟ ସୂଚନା ଦେଇଛି ପୋଲିସ । ମହାରାଷ୍ଟ୍ର ରାଜନୀତିରେ ମହାନାଟକ ପରେ ମୂଳ ଶିବସେନା ଏବେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି । ଗୋଟିଏ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ବ ନେଉଛନ୍ତି ଦଳର ବିଦ୍ରୋହ କରିଥିବା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ । ଉଭୟ ଗୋଷ୍ଠାଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।