ଚେନ୍ନାଇ: ମଶା ଘଉଡ଼ାଇବା ମେସିନ୍ ନେଲା 4 ଜୀବନ। ଏକାଥରେ ଚାଲିଗଲା ଗୋଟିଏ ପରିବାରର 4ଟି ଜୀବନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁର ଚେନ୍ନାଇ ଠାରେ। ଯେଉଁଠାରେ ଏକାଥରେ ଚାଲିଗଲା ଗୋଟିଏ ପରିବାରର 4ଟି ଜୀବନ।
ସୂଚନା ଅନୁସାରେ, ଶନିବାର ତାମିଲନାଡୁ ଚେନ୍ନାଇର ମାଥୁର ଅଞ୍ଚଳର ଗୋଟିଏ ପରିବାରର ଜେଜେ ମାଆ ସାନ୍ତନାଲକ୍ଷ୍ମୀ (67) ଓ ତିନି ନାତୁଣୀ ସନ୍ଧ୍ୟା (10), ପ୍ରିୟା ଲକ୍ଷ୍ମୀ (8) ଏବଂ ପବିତ୍ରା (7) ଘରେ ମଶା ଘଉଡ଼ାଇବା ମେସିନ୍ ଲଗାଇ ଶୋଇଥିଲେ। ତେବେ ମଧ୍ୟରାତ୍ରୀରେ ଏହି ମସିନ୍ରେ ବୈଦ୍ୟୁତିକ ସଟ୍ ସର୍କିଟ ହୋଇଥିଲା। ତେବେ ସଟ୍ ସର୍କିଟ ହୋଇ ତଳେ ଥିବା ଏକ କାର୍ଡବୋର୍ଡରେ ନିଆଁ ପଡି ଏହା ତରଳିବାକୁ ଲାଗିଥିଲା। ଏହାପରେ ଏଥିରୁ ଘରେ ନିଆଁ ଲାଗିଯାଇଥିଲା। ତେବେ ସମସ୍ତେ ଶୋଇଥିବା ଅବସ୍ଥାରେ ଘରେ ହଠାତ୍ ନିଆଁ ଲାଗିଯିବା କାରଣରୁ ଘର ଭିତରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ...କାଳ ହେଲା ମଶା ଧୂପ, ସିଲିଣ୍ଡର ଫାଟି ସ୍ବାମୀ ସ୍ତ୍ରୀ ମୃତ
ତେବେ ମୃତ୍ୟୁ ବରଣ କରିଥିବା ଝିଅମାନଙ୍କ ବାପା ଉଦୟ ( 40) ଏକ ଫୁଡ୍ ଡେଲିଭରି କମ୍ପାନୀରେ କାର୍ଯ୍ୟ କରୁଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ଏକ ବାଇକ ଦୁର୍ଘଟଣାରେ ଆହତ ହୋଇ କେଏମସି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଘଟଣା ଘଟିବା ଦିନ ଉଦୟଙ୍କ ସ୍ତ୍ରୀ ସେଲଭି (32) ହସ୍ପିଟାଲରେ ରହି ଉଦୟଙ୍କ ଯତ୍ନ ନେଉଥିଲେ। ଯେତେବେଳେ ସେ ଶନିବାର ସକାଳୁ ଘରକୁ ଫେରିଥିଲେ ଘରର ଡୋର ବନ୍ଦ ଥିବା ଦେଖି କବାଟ ଖୋଲିବା ପାଇଁ ତାଙ୍କ ଝିଅମାନଙ୍କୁ ଡାକିଥିଲେ। ତେବେ ଅନେକ ସମୟ ଧରି ଡାକିବା ପରେ ମଧ୍ୟ କେହି କବାଟ ନଖୋଲିବାରୁ ସେ ଝରକା ପାଖକୁ ଯାଇ ଝିଅମାନଙ୍କୁ ମୃତ ଅବସ୍ଥାରେ ଘରେ ପଡି଼ଥିବାର ଦେଖିବାକୁ ପାଇଥିଲେ।
ତେବେ ଏହା ଦେଖିବା ପରେ ସେଲଭି ଏନେଇ ତୁରନ୍ତ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ମାଦବରାମ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାପେର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଚେନ୍ନାଇର ଷ୍ଟାନଲି ହସ୍ପିଟାଲକୁ ପାଠାଇଥିଲେ। ତେବେ ମଶା ଘଉଡ଼ାଇବା ମେସିନ୍ରୁ ଘରେ ନିଆଁ ଲାଗିଯିବା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା।
ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ମଶା ଧୂପରୁ ନିଆଁ ଲାଗିଯିବା କାରଣରୁ ଗ୍ୟାସ ବିସ୍ପୋରଣ ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ