ପାଟନା: ଛଟ୍ ପୂଜା ସମୟରେ ବିହାରରେ ଅଘଟଣ । ତିନି ଦିନ ଧରି ପାଳନ କରାଯାଉଥିବା ଛଟ୍ ପୂଜାରେ ବିହାରର ବିଭିନ୍ନ ଅଞ୍ଚଳରେ ପାଣିରେ ବୁଡି ୩୩ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।
ଛଟ୍ ପୂଜା ପାଳନ ପୂର୍ବକ ଶ୍ରଦ୍ଧାଳୁମାନେ ଦ୍ବିତୀୟ ଅର୍ଘ୍ୟ ଦେବା ପରେ ବୁଡ ପକାଇବା ପାଇଁ ନଦୀ, ପୋଖରୀ ଭିତରକୁ ଯାଇ ପାଣିରେ ବୁଡିଛନ୍ତି । ଗୁରୁବାର ରୋହତାସ, ସାରନ, ଗୟା ଏବଂ ଶିବାନ ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ଜଣାପଡିଛି । ବିହାରସରଫି ଏବଂ ବକ୍ସର ଜିଲ୍ଲାରେ ଜଣେ ଲେଖାଏଁ ପାଣିରେ ବୁଡି ପ୍ରାଣ ହରାଇଥିବାବେଳେ ବେଗୁସରାଇ ଜିଲ୍ଲାରେ ୩, ସମସ୍ତିପୁରରେ ୪ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି । ସେହିପରି ରାଜ୍ୟର ସହରସା ଏବଂ ଖଗଡିଆରେ ୪ ଜଣ ଲେଖାଏଁ, ସୁପୌଲ ଏବଂ ସଖିସରାଇରେ ୨ଜଣ ଲେଖାଏଁ, ମଧେପୁରା, ପୁର୍ନିଆ, ଓ ଭାଗଲପୁର ଜିଲ୍ଲାରେ ଜଣେ ଲେଖାଏଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ।
ଏହିସବୁ ଅଘଟଣ ପାଇଁ ମୃତକଙ୍କ ଆତ୍ମୀୟ ପରିଜନ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଛଟ୍ ପୂଜା ବୁଡ ପୂର୍ବରୁ ପ୍ରଶାସନ ବିପଦସଙ୍କୁଳ ଘାଟକୁ ଚିହ୍ନଟ କରିବାରେ ବିଫଳ ହୋଇଛି । ଯେଉଁ କାରଣରୁ ଏଭଳି ଅଘଟଣ ଘଟିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । କେତେକ ସ୍ଥାନରେ ଏନେଇ ଉତ୍ୟକ୍ତ ଲୋକେ ପୋଲିସ ଉପରେ ପଥର ମାଡ କରିବା ସହ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।