ଚେନ୍ନାଇ: ସୁଟିଂସେଟରେ ଦୁର୍ଘଟଣାର ଶିକାର ହେବା ପରେ ଦୀର୍ଘ 30ବର୍ଷ ଧରି କୋମା ଷ୍ଟେଜରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ଆଖି ବୁଜିଛନ୍ତି ତାମିଲ ସିନେମା ଜଗତର ଅଭିନେତା ବାବୁ । 1991 ମହିସାରେ ସୁଟିଂ ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ଶଯ୍ୟାଶାୟୀ ହୋଇରହିଥିଲେ ଅଭିନେତା ବାବୁ । ଏକ ଫାଇଟ ସିନ ସୁଟିଂରେ ସେ ଷ୍ଟଣ୍ଟ ପ୍ରଦର୍ଶନ କରଥିବା ବେଳେ ମେରୁଦଣ୍ଡରେ ସେ ଗଭୀର ଆଘାତ ପ୍ରାପ୍ତ ହୋଇଥିଲେ । ତେବେ 3 ଦଶନ୍ଧି ଧରି ମୃତ୍ୟୁ ସହ ସଂଗ୍ରାର କରିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ।
ବାବୁଙ୍କ ଦୁର୍ଘଟଣା କେବେ ଘଟିଲା?
1991 ମସିହାରେ 'ମନସାରା ଭାଜାଥୁଙ୍ଗାଲେନ୍’ ଚଳଚିତ୍ରର ସୁଟିଂସେଟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ଅଭିନେତା ବାବୁ । ଏକ ଫାଇଟିଂ ଦୃଶ୍ୟର ସୁଟିଂ ହେବାର ଥିଲା । ଏଥିରେ ଅଭିନେତା ବାବୁଙ୍କୁ ଏକ ଷ୍ଟଣ୍ଟ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ମିଳିଥିଲା । ହେଲେ ସୁରକ୍ଷା ସମ୍ପର୍କିତ ସମସ୍ତ ବ୍ୟବସ୍ଥା ଓ ନିୟମକୁ ଅଣଦେଖା କରି ଏହି ସିନ୍ ସୁଟ କରିବା ପାଇଁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଥିଲା । ଏକ ଜମ୍ପ ସିନ୍ ଦେଉଥିବା ବେଳେ ଏଥିରେ ବାବୁ ଗମ୍ଭୀର ଆହତ ହୋଇଥିଲେ । ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଜୀବନ ବଞ୍ଚିଯାଇଥିଲେ ସୁଦ୍ଧା ସେ ଜୀବନ ସହ ସଂଗ୍ରାମ କରିଥିଲେ । ବର୍ଷ ବର୍ଷ ଧରି ହସ୍ପିଟାଲ ବେଡରେ ପଡିରହିଥିଲେ । ପ୍ରାୟ 30 ବର୍ଷ ଧରି ସେ ଶଯ୍ୟାଶାୟୀ ହୋଇ ରହିବା ସହ ପରବର୍ତ୍ତୀ ସମୟରେ କୋମା ଷ୍ଟେଜକୁ ମଧ୍ୟ ଚାଲିଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ :- ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଓ 3 ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ
ଅଭିନେତା ବାବୁଙ୍କ ଅଭିନୟ କ୍ୟାରିୟର:-
1990ରେ ସିନେମାରେ ଯାତ୍ରା ଆରମ୍ଭ କରି ବେଶ ଖ୍ୟାତି ଅର୍ଜନ କରିଥିଲେ ଅଭିନେତା ବାବୁ । ପ୍ରଖ୍ୟାତ ତାମିଲ ସିନେ ନିର୍ଦ୍ଦେଶକ ଭାରତୀରାଜଙ୍କ ସହ ସେ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ । 1990ରେ ତାଙ୍କ ଅଭିନୟ ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ ଆସିଥିଲା । ନିର୍ଦ୍ଦେଶକ ଭାରତୀରାଜ 1990ରେ ମୁକ୍ତିଲାଭ କରିଥିବା ତାଙ୍କୁ 'ଏନ୍ ଉଇର ଥୋଜାନ୍' ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରଟି ତାମିଲ ସିନେମା ପ୍ରେମୀଙ୍କଠାରୁ ବେଶ ଆଦୃତି ମଧ୍ୟ ଦେଇଥିଲା । ହେଲେ ତାର ପରବର୍ଷ 1991 ରେ ସେ 'ମନସାରା ଭାଜାଥୁଙ୍ଗାଲେନ୍’ ଚଳଚିତ୍ରର ସୁଟିଂସେଟରେ ଏହି ଦୁର୍ଘଟଣାର ଶିକାର ହୋଇ ଆଜୀବନ ଶଯ୍ୟାଶାୟୀ ହୋଇଯାଇଥିଲେ । ଆଜି ଦୀର୍ଘ 3 ଦଶନ୍ଧିର ଯନ୍ତ୍ରଣାଦାୟକ ଜୀବନରୁ ସେ ଆଖି ବୁଜିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ