ଇସଲାମାବାଦ: ଆଫଗାନିସ୍ତାନର ସୀମାରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି ପାକିସ୍ତାନ ବାୟୁସେନା । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ପାକିସ୍ତାନ ବାୟୁସେନା ପକ୍ଷରୁ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ଏହି ଏୟାର ଷ୍ଟ୍ରାଇକ କରାଯାଇଥିବା ଓ ଏହି ଆକ୍ରମଣରେ ମହିଳା ଶିଶୁଙ୍କ ସମେତ ପ୍ରାୟ 30ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଥିବା ଆଫଗାନିସ୍ତାନ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।
ଖୋଷ୍ଟ ଅଞ୍ଚଳର ଏକାଧିକ ଗ୍ରାମ ମିରପାର, ମନ୍ଦେଶ, ସାଇଦି, ସପୁରା, କାଇ ଆଦିି ଅଞ୍ଚଳରେ ଆକାଶ ମାର୍ଗରୁ ବୋମା ବର୍ଷଣ କରିଥିଲା ପାକିସ୍ତାନ ବାୟୁସେନା । ପାକିସ୍ତାନ ଏୟାର ଫୋର୍ସର ପ୍ରାୟ 26 ଲଢୁଆ ବିମାନ ଏହି ଏୟାର ଷ୍ଟ୍ରାଇକରେ ଅଂଶଗ୍ରହଣ କରିଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ 9ଟାବେଳେ ପାକିସ୍ତାନ ସେନା ଓ ତାଲିବାନ ସେନା ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଦୁଇ ସେନା ମଧ୍ୟରେ ସଂଘର୍ଷ ପରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନ ପକ୍ଷରୁ ମହିଳା ଶିଶୁଙ୍କ ମୃତ୍ୟୁକୁ ଖଣ୍ଡନ କରାଯାଇଛି ।
ଉତ୍ତର ୱାଜିରିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି । ତେବେ ପାକିସ୍ତାନ ସରକାର ଏବଂ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ଔପଚାରିକ ମନ୍ତବ୍ୟ ଦେଇନାହାଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ