କଂଗ୍ରେସ ଏବଂ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ଦ୍ବାରା ମହାମେଣ୍ଟ ଗଠନ ସତ୍ତ୍ବେ ଆସାମରେ ଶାସକ ବିଜେପି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ଯଦିଓ ଫଳାଫଳର ଚୂଡ଼ାନ୍ତ ତାଲିକା ସରକାରୀ ଭାବେ ଘୋଷିତ ହୋଇନାହିଁ, ଶାସକ ବିଜେପି ନେତୃତ୍ବାଧିନ ମେଣ୍ଟ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ସ୍ପଷ୍ଟ ହୋଇଯାଇଛି ।
ରାଜ୍ୟର ମୋଟ 126 ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ମେଣ୍ଟ 75 ଟି ଆସନ ହାସଲ କରିସାରିଥିବା ବେଳେ କଂଗ୍ରେସ ପରିଚାଳିତ ମେଣ୍ଟ କେବଳ ମାତ୍ର 50 ଟି ଆସନ ଓ ଅନ୍ୟ ଦଳକୁ ଯାଇଛି ଗୋଟିଏ ଆସନ । ଆସାମରେ ନୂଆ କରି ବିଜେପିର ସହଯୋଗୀ ହୋଇଥିବା ୟୁନାଇଟେଡ ପିପୁଲସ ପାର୍ଟି ଲିବରାଲ (ୟୁପିପିଏଲ୍) ବୋଡୋଲାଣ୍ଡ ଅଞ୍ଚଳରେ 6 ଟି ଆସନରେ ଜିତି ବିଜେପିକୁ ସହାୟତା କରିପାରିଛି । ଏହି ଦଳ ବୋଡୋଲାଣ୍ଡ ପିପୁଲସ ଫ୍ରଣ୍ଟ (ବିପିଏଫ)ର ଆସନ ସଂଖ୍ୟା କମାଇଛି, ଯାହାକି ବିଜେପି ବିରୋଧୀ ମେଣ୍ଟର ସଫଳତାକୁ ଏ ଅଞ୍ଚଳରେ ଅଙ୍କୁଶ ଲଗାଇଛି ।
ଏଥର ନିର୍ବାଚନରେ କିଛି ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି । ଜେଲରେ ଥିବା ଆରଟିଆଇ କର୍ମକର୍ତ୍ତା ଅଖିଳ ଗୋଗୋଇ ଆଦୌ ପ୍ରଚାର ନକରି ଶିବସାଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଲ୍ ଆସାମ ଷ୍ଟୁଡେଣ୍ଟସ ୟୁନିଅନ ନେତା ଲୁରିନଜ୍ୟୋତି ଗୋଗୋଇ ନହରକାଟିଆ ଏବଂ ଦୁଲିଆଜାନ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ଶିବସାଗର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ସୁରଭୀ ରାଜକୋନୱାରୀଙ୍କ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିବା ସତ୍ତ୍ବେ ଅଖିଲ ନିର୍ବାଚିତ ହେବାରେ ସଫଳ ହୋଇଛନ୍ତି । କିନ୍ତୁ ଲୁରିନଜ୍ୟୋତି ଦୁଇଟି ଯାକ ଆସନରେ ବିଜେପିର ପ୍ରାର୍ଥୀ ତରଙ୍ଗ ଗୋଗୋଇ ଏବଂ ତେରାସ ଗୋଆଲାଙ୍କଠାରୁ ହାରି ଯାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଖିଲ ଗୋଗୋଇ ନବଗଠିତ ରାଇଜୋର ଦଳ ଟିକେଟରେ ନିର୍ବାଚନ ଲଢୁଥିଲେ ଏବଂ ଲୁରିନଜ୍ୟୋତି ଗୋଗୋଇ ନିର୍ବାଚନର କିଛିଦିନ ପୂର୍ବରୁ ଗଠିତ ଏକ ନୂଆ ରାଜନୈତିକ ଦଳ ଆସାମ ଜାତୀୟ ପରିଷଦ (ଏଜିପି) ଟିକେଟରେ ପ୍ରାର୍ଥୀ ହୋଇଥିଲେ । ହେଲେ ଦୁଇଟି ଯାକ ନୂଆ ଦଳ ଆଞ୍ଚଳିକ ଦଳ ଭାବେ ଲୋକଙ୍କର ଯେଉଁ ସମର୍ଥନ ପାଇବା ଆଶା କରାଯାଉଥିଲା ସେଥିରେ ସେମାନ ଅସଫଳ ହୋଇଛନ୍ତି ।
ବିଜେପି ବିକାଶ କାର୍ଯ୍ୟକ୍ରମକୁ ଆଧାର କରି ନିର୍ବାଚନ ଲଢୁଥିଲା ଏବଂ ବିଗତ ପାଞ୍ଚ ବର୍ଷରେ ଦଳ ସରକାରରେ ଥିବା ବେଳେ କାର୍ଯ୍ୟକାରୀ କରିଥିବା ବିକାଶମୂଳକ କାର୍ଯ୍ୟର ଚିତ୍ର ଲୋକଙ୍କ ଆଗରେ ରଖିଥିଲା । ଅପରପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ଏବଂ ନବଗଠିତ ଦୁଇ ଆଞ୍ଚଳିକ ଦଳ ନାଗରିକ (ସଂଶୋଧନ) ଆଇନ (ସିଏଏ) ବିରୁଦ୍ଧରେ ଥିବା ଲୋକଙ୍କ ଅସନ୍ତୋଷକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଯୋଜନା କରିଥିବା ବେଳେ ସେମାନଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇନାହିଁ । ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟକୁ ଲକ୍ଷ୍ୟ ରଖି ଏଆଇୟଡିଏଫ ସହିତ କଂଗ୍ରେସ କରିଥିବା ମେଣ୍ଟ ଯୋଗୁଁ ମଧ୍ୟ ଏଥର କୌଣସି ଫାଇଦା ମିଳିନାହିଁ ।
ଆସାମରେ ବିଜେପି ପରିଚାଳିତ ସରକାରକୁ 2019 ପରଠାରୁ ଯଦିଓ ନାଗରିକତ୍ବ (ସଂଶୋଧନ) ଆଇନ (ସିଏଏ)କୁ କେନ୍ଦ୍ର କରି ବିଭିନ୍ନ ସମୟରେ ପ୍ରବଳ ବିରୋଧ ଓ ଜନଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିଥିଲା, ହେଲେ ବିଜେପି ରାଜ୍ୟବାସୀଙ୍କୁ ସିଏଏ ତୁଳନାରେ ବଦରୁଦ୍ଦିନ ଆଜମଲ ଅଧିକ ବିପଦପୂର୍ଣ୍ଣ ବୋଲି ବୁଝାଇବାରେ ସକ୍ଷମ ହୋଇପାରିଛି । କଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲେ ଆଜମଲ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର କରି ବିଜେପି କଂଗ୍ରେସ ପରିଚାଳିତ ମେଣ୍ଟକୁ ଟାର୍ଗେଟ୍ କରିଥିଲା ।
ରାଜ୍ୟରେ ଗତ ପାଞ୍ଚ ବର୍ଷ ଭିତରେ କାର୍ଯ୍ୟକାରୀ ହୋଇଥିବା ଅନେକ ଜନହିତକର ଯୋଜନା ବିଜେପି ସପକ୍ଷରେ ଅଧିକ ଭୋଟ ପଡିବାରେ ମଧ୍ୟ ସହାୟକ ହୋଇଛି। ଏସବୁ ମଧ୍ୟରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରୁଥିବା ଛାତ୍ରୀମାନଙ୍କୁ ସାଇକେଲ ବଣ୍ଟନ ଏବଂ ଅରୁଣଦୋଇ ଯୋଜନାରେ ଡାଇରେକ୍ଟ ବେନିଫିଟ୍ ଟ୍ରାନସଫର (ଡିବିଟି) ଜରିଆରେ ରାଜ୍ୟର ପ୍ରାୟ 22 ଲକ୍ଷ ପରିବାରକୁ ମାସକ 830 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ବିଶେଷ ଉଲ୍ଲେଖଯୋଗ୍ୟ ।
ରାଜ୍ୟରେ ବିଭିନ୍ନ ସଂସ୍ଥାରୁ ଛୋଟ ଛୋଟ ପରିମାଣର ଋଣ ନେଇଥିବା ମହିଳାମାନଙ୍କ ଋଣ ଛାଡ଼ କରିଦେବାକୁ ବିଜେପିର ଘୋଷଣାରେ ପ୍ରଭାବିତ ହୋଇ ରାଜ୍ୟରେ ଏଥର ବହୁସଂଖ୍ୟାରେ ମହିଳା ଭୋଟ ଦେଇଥିବା ବିବେଚନା କରାଯାଉଛି । ଏହା ଶାସକ ମେଣ୍ଟ ସପକ୍ଷରେ କିଛି ଯାଦୁ କରିଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ବିଜେପି ନେତୃତ୍ବାଧୀନ ସରକାର 2020 ଡିସେମ୍ବର ମାସରେ ମଧ୍ୟ ଆସାମ ମାଇକ୍ରୋଫାଇନାନସ ଇନଷ୍ଟ୍ୟୁଚସନ (ରେଗୁଲେସନ ଅଫ ମନି ଲେଣ୍ଡିଙ୍ଗ) ବିଲ୍ ଗୃହୀତ କରାଇଥିଲେ । ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ଆସାମରେ ଅନିୟନ୍ତ୍ରିତ ମାଇକ୍ରୋଫାଇନାନ୍ସ ଋଣ କାରବାର ଫଳରେ ହଜାର ହଜାର ମହିଳାଙ୍କ ମୁଣ୍ଡ ଉପରେ 1200 କୋଟି ଟଙ୍କାର ଋଣ ବୋଝ ରହିଛି ।
"ଏଥର ରାଜ୍ୟରେ ସମ୍ପୂର୍ଣ୍ଣ ରାଜନୈତିକ ଧ୍ରୁବୀକରଣ ହୋଇଛି। ଭୋଟ୍ ହାର 65 ପ୍ରତିଶତ ଏବଂ 35 ପ୍ରତିଶତ ଦୁଇ ଭାଗରେ ଭାଗ ଭାଗ ହୋଇଛି । ସରକାରଙ୍କ ଜନହିତକାରୀ ଯୋଜନା ମଧ୍ୟ ଏଥର ନିର୍ବାଚନକୁ ଅନେକାଂଶରେ ପ୍ରଭାବିତ କରିଛି । ଶାସକ ଦଳ ଯେହେତୁ ଉପଭୋକ୍ତା ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେଇ ଆସିଥିଲେ ସୁତରାଂ ଅନେକ ନିରବ ଭୋଟରେ ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି।" ବିଶିଷ୍ଟ ସାମ୍ବାଦିକ ତଥା ଆସାମର ସମ୍ପାଦକ ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ।
ରାଜନୈତିକ ସମୀକ୍ଷକ ତଥା ସ୍ତମ୍ଭକାର ବ୍ରଜେନ ଡେକା କହିଛନ୍ତି, " ନାଗରିକ ସଂଶୋଧନ ଆଇନ ଏବଂ ଆସାମ ଚୁକ୍ତିର ଧାରା 6 କାର୍ଯ୍ୟକାରୀ କରିବାରେ ବିଫଳତା ନେଇ ଅତୀତରେ ବିଜେପି ବିରୁଦ୍ଧରେ ପ୍ରତିବାଦ ହୋଇଥିଲା, ହେଲେ ନିର୍ବାଚନ ବେଳକୁ ଏହାର କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିନଥିଲା । ଗତ ପାଞ୍ଚ ବର୍ଷରେ ବିଜେପି ଯେଉଁସବୁ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରିଥିଲା ତାହାର ସୁଫଳ ଲୋକେ ପାଇଥିବାରୁ ବିଜେପି 2016 ଭଳି ତାହାର ଭୋଟ ହାର ବଜାୟ ରଖିବାରେ ସକ୍ଷମ ହୋଇପାରିଛି । "