ମୁମ୍ବାଇ: ମରିଯାଉଛି ମାନବିକତା । ନିଜ କାମନାକୁ ଚରିତାର୍ଥ କରିବାକୁ 20 ମାସର ଶିଶୁକୁ ବି ଛାଡ଼ିଲାନି ଅଭିଯୁକ୍ତ । ମୁମ୍ବାଇ ୱର୍ଲି ଅଞ୍ଚଳରେ ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ 20 ମାସର ଶିଶୁକୁ 35 ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।
ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ପୀଡ଼ିତା ପଡ଼ୋଶୀ ଅଟନ୍ତି । ଶିଶୁଙ୍କ ମାଆ କିଛି ସମୟ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଶିଶୁଟିଙ୍କୁ ଏକୁଟିଆ ପାଇଁ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲା । ମାଆ ଘରକୁ ଫେରିବା ବେଳେ ଶିଶୁଟି କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେ ନିକଟସ୍ଥ ଡାକ୍ତରଖାନାରେ ଝିଅକୁ ଭର୍ତ୍ତି କରିଥିଲେ । ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ଶିଶୁ ସହ ଦୁଷ୍କର୍ମ ହୋଇଛି ।
ଶିଶୁଙ୍କ ମାଆ ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । IPC ଧାରା 376 ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ । ସୋମବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀ କହିଛନ୍ତି ।
ନିକଟରେ ମୁମ୍ବାଇରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ମୁମ୍ବାଇ ସ୍ଥିତ ଅମ୍ବାଯୋଗୀ ରୋଡରେ ଜଣେ 16 ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ନେଇ ପୀଡ଼ିତା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ୩ ଜଣ ମହିଳାଙ୍କ ସମେତ 5 ଜଣଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଲାଟୁର ସହରର ଏକ କଲେଜରେ ପଢୁଥିବା 16 ବର୍ଷର ଅସହାୟ ଝିଅ ଜାନୁଆରୀ 18 ତାରିଖରେ କଲେଜ ଯାଇଥିଲେ । ଅପରାହ୍ନରେ କ୍ଲାସ ସରିବା ପରେ କ୍ୟାଣ୍ଟିନରେ ବସିଥିଲେ । ସେହି ସମୟରେ 3 ଜଣ ସାଙ୍ଗ ଆସି ତାଙ୍କୁ ଅମ୍ବାଯୋଗୀ ବୁଲିଯିବାକୁ କହିଥିଲେ । ତିନି ସାଙ୍ଗ ସହ ବୁଲିବାକୁ ଯାଇଥିଲେ ଛାତ୍ରୀ । ବାଟରେ ଏକ ନିଛାଟିଆ ସ୍ଥାନରେ ଅଟୋକୁ ଅଟକାଇଥିଲେ ୩ ବନ୍ଧୁଙ୍କ ପରିଚିତ ପୁରୁଷ ବନ୍ଧୁ । ଏହାପରେ ସେମାନେ ପୀଡିତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପରେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ ।