ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଢିଚାଲିଛି ତାଲିବାନର ଅତ୍ୟାଚାର । ବର୍ବରତାର ଚରମସୀମାରେ ପହଁଞ୍ଚିଛନ୍ତି ଆତଙ୍କୀ । ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜାକୁ ନେଇସାରିବା ପରେ ରାଜଧାନୀ କାବୁଲ ମୁହାଁ ହୋଇଛି ତାଲିବାନ । ଏହାରି ମଧ୍ୟରେ ଭାରତ ଓ ଆମେରିକା ସମେତ ୧୨ ଦେଶ କରିଛନ୍ତି ବଡ ଘୋଷଣା ।
ଆଫଗାନିସ୍ତାନରେ ବନ୍ଧୁକଧାରୀ ସରକାରକୁ ଦିଆଯିବନି ସମର୍ଥନ । ଏନେଇ ଭାରତ ଓ ଆମେରିକା ସମେତ ୧୨ ଦେଶ କରିଛନ୍ତି ଘୋଷଣା । ୧୨ ଦେଶ ଜାତିସଂଘ ଓ ୟୁରୋପୀୟ ସଂଘର ପ୍ରତିନିଧିଙ୍କ ସହ ମିଶି ନିଷ୍ପତ୍ତି ନେଇଛନ୍ତି ଯେ ବନ୍ଧୁକ ମୁନରେ ନିୟନ୍ତ୍ରଣ ହାସଲ କରିବାକୁ ଚାହୁଁଥିବା ସରକାରକୁ ଆଫଗାନିସ୍ତାନରେ ଦିଆଯିବନି ସମର୍ଥନ । ଯୁଦ୍ଧଗ୍ରସ୍ତ ଦେଶରେ ତାଲିବାନ ପକ୍ଷରୁ ହେଉଥିବା କ୍ରମାଗତ ଆକ୍ରମଣ ମଧ୍ୟରେ ଆମେରିକା ପକ୍ଷରୁ ଦିଆଯାଇଛି ଏହି ବୟାନ ।
ଭାରତ, ଆମେରିକା, କତାର, ଚୀନ, ଉଜବେକିସ୍ତାନ, ପାକିସ୍ତାନ, ବ୍ରିଟେନ, ୟୁରୋପୀୟ ସଂଘ, ଜର୍ମାନୀ, ନରୱେ, ତାଜାକିସ୍ତାନ, ତୁର୍କୀ ଓ ତୁର୍କମେନିସ୍ତାନର ପ୍ରତିନିଧି ଗୁରୁବାର ଏକ ସମ୍ମିଳନୀରେ ସାମିଲ ହୋଇ ଆଫଗାନିସ୍ତାନରେ ଦ୍ରୁତଗତିରେ ବିଗିଡି ଚାଲିଥିବା ସୁରକ୍ଷା ସ୍ଥିତିକୁ ନିୟନ୍ତ୍ରଣ କରିବାର ଉପାୟ ଉପରେ ଆଲୋଚନା କରିଥିଲେ ।
ଏବେ ରାଜଧାନୀ କାବୁଲଠାରୁ ଆଉ ମାତ୍ର ୯୦ କିଲୋମିଟର ଦୂରରେ ରହିଛନ୍ତି ତାଲିବାନ ଆତଙ୍କୀ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣିଥରେ ତାଲିବାନ ଆତଙ୍କବାଦର ହୋଇଛି କାୟାବିସ୍ତାର । ଆଫଗାନିସ୍ତାନର ମୋଟ ୩୪ ରାଜ୍ୟରୁ ପାଖାପାଖି ୧୨ରୁ ଉର୍ଦ୍ଧ୍ବ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ତାଲିବାନ ଦଖଲକୁ ଆସିସାରିଛି । କାନ୍ଦାହାର ଆଫଗାନିସ୍ତାନର ଦ୍ବିତୀୟ ସର୍ବବୃହତ ସହର । ତେବେ ଏଠାରେ ତାଲିବାନର କବଜା ଦେଶ ପାଇଁ ବଡ ବିପଦ କୁହାଯାଇପାରେ ।
ଗୁରୁବାର ବିଳମ୍ବିତ ରାତିରେ କାନ୍ଦାହାରକୁ ନିଜ କବଜାକୁ ନେଇଥିଲା ତାଲିବାନ । ଏହି ସମୟରେ ସରକାରୀ କର୍ମଚାରୀ ଓ ଅନ୍ୟ ସାଧାରଣ ଲୋକେ ସହର ଛାଡି ପଳାୟନ କରିଛନ୍ତି । କାନ୍ଦାହାର ପରେ ଆଫଗାନିସ୍ତାନର ତୃତୀୟ ବଡ ସହରର ହେରାତକୁ ମଧ୍ୟ ନିଜ ହାତକୁ ନେଇଛନ୍ତି ତାଲିବାନ ଆତାଙ୍କୀ ।