ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ଅବିଶ୍ରାନ୍ତ ଉଦ୍ୟମ ଜାରି ରହିଛି । ବିଶେଷଭାବେ ଖାର୍କିଭ ଏବଂ ସୁମିରୁ ଭାରତୀୟଙ୍କ ସ୍ଥାନାନ୍ତରଣ ଉପରେ ଅଧିକ ଜୋର ଦିଆଯାଉଛି । କାରଣ ଋଷ ସେନା କିଭ୍, ଖାର୍କିଭ ଓ ସୁମିରେ ପ୍ରଚଣ୍ଡ ଆକ୍ରମଣ କରୁଛି । ଭାରତ ସରକାରଙ୍କ ଅପରେସନ ଗଙ୍ଗା ଜରିଆରେ ଶୁକ୍ରବାର ରାତି ସୁଦ୍ଧା ପ୍ରାୟ ୨୦ ହଜାରରୁ ଅଧିକ ନାଗରିକ ସ୍ବଦେଶ ଫେରିସାରିଛନ୍ତି । ଏହାସତ୍ତ୍ବେ ମଧ୍ୟ ଏବେ ବି ୟୁକ୍ରେନର ଉତ୍ତେଜନାପୂର୍ଣ୍ଣ ଜୋନରେ ୧୦୦୦ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି ।
ସରକାରୀ ସୂତ୍ରରୁ ସୂଚନା ଅନୁଯାୟୀ, ଖାର୍କିଭରେ ୩୦୦ ଛାତ୍ରଛାତ୍ରୀ ଫସିଥିବାର ଖବର ଥିବାବେଳେ ସୁମିରେ ୭୦୦ ଫସିଛନ୍ତି । ସେମାନଙ୍କର ଉଦ୍ଧାର ପାଇଁ ଋଷିଆ ଏବଂ ୟୁକ୍ରେନ ସହ ଭାରତ ନିରନ୍ତର ସମ୍ପର୍କରେ ରହିଛି ଏବଂ ସ୍ଥାନୀୟ ଅସ୍ତ୍ରବିରତି ପାଇଁ ନିବେଦନ କରିଛି । ଯଦ୍ବାରା ୟୁକ୍ରେନର ପୂର୍ବାଞ୍ଚଳ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତରଣ କରାଯାଇପାରିବ । ଶୁକ୍ରବାର ହରଜୋତ ସିଂହ ନାମକ ଜଣେ ଭାରତୀୟ ଛାତ୍ର ଟ୍ୟାକ୍ସି ଯୋଗେ କିଭ୍ ଛାଡି ଯାଉଥିବା ସମୟରେ ଗୁଳିମାଡର ଶିକାର ହୋଇଥିଲେ ।
ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ୍ ବାଗଚୀ କହିଛନ୍ତି, ଛାତ୍ରଙ୍କ ଚିକିତ୍ସାଜନିତ ସମସ୍ତ ବ୍ୟୟ ସରକାର ବହନ କରିବେ । ଭାରତୀୟ ଅଧିକାରୀ ହରଜୋତ ସିଂହଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଯେହେତୁ ଏହା ଏକ ଯୁଦ୍ଧ ଜୋନ ତେଣୁ ଯୋଗାଯୋଗରେ ସମସ୍ୟା ହେଉଛି ।
ଖାର୍କିଭ ନିକଟ ପେସୋଚିନ(pesochin)ରେ ପହଞ୍ଚିଥିବା ୧୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଜଣ ୨ଟି ବସ୍ ଯୋଗେ ଲବିବ୍(Lviv) ଅଭିମୁଖେ ଏବଂ ଆଉ କିଛି ୩ଟି ବସରେ ମୋଲଡୋଭା ବର୍ଡର ଆଡକୁ ଯାତ୍ରା କରୁଛନ୍ତି । ସେହିପରି ଭାରତୀୟଙ୍କୁ ଉଦ୍ଧାର ପାଇଁ ସନ୍ଧ୍ୟାରେ ଆଉ ଦୁଇଟି ବସ୍ ନିୟୋଜିତ ହେବାର ଯୋଜନା ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ଋଷ ୧୩୦ ବସ୍ ପଠାଇବାକୁ ପ୍ରସ୍ତୁତ ଥିବା ଘୋଷଣାକୁ ଭାରତ ସରକାର ପ୍ରଶଂସା କରିଛନ୍ତି ।