ନୂଆଦିଲ୍ଲୀ: ଦେଶରେ ପୂର୍ବାପେକ୍ଷା ବୃଦ୍ଧି ପାଇବାରେ ଲାଗିଛି ଟ୍ରାଫିକ ଦୁର୍ଘଟଣା । ଗତ ବର୍ଷ (2021) ରେ ସାରା ଦେଶରେ ମୋଟ 4.22 ଲକ୍ଷ ବଭିନ୍ନ ଦୁର୍ଘଟଣା ଘଟିଛି । ଯେଉଁଥିରେ 1.73 ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି (People Died In Traffic Accidents)। ସେହିପରି ରାଜ୍ୟଓ୍ବାରୀ ହିସାବକୁ ନେଲେ ଉତ୍ତର ପ୍ରଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ରହିଛି । ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ରହିଛି 24,711। ସେହିପରି 16,685 ମୃତ୍ୟୁ ସହ ତାମିଲନାଡୁ ଦ୍ବିତୀୟ ରାଜ୍ୟ ଭାବେ ତାଲିକାରେ ସ୍ଥାନ ପାଇଛି ।
ଜାତୀୟ କ୍ରାମଇ୍ ରେକର୍ଡ ବ୍ୟୁରୋ (NCRB) ପ୍ରକାଶ କରିଥିବା ତଥ୍ୟ ଅନୁସାରେ, 2020 ତୁଳନାରେ 2021ରେ ଏହି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁସାରେ, 2020 ରେ ଏହି ସଂଖ୍ୟା 3,68,828 ଥିବାବେଳେ 2021ରେ 4,22,659 କୁ ବୃଦ୍ଧି ପାଇଛି । ଏହି ଟ୍ରାଫିକ ଦୁର୍ଘଟଣା ମଧ୍ୟରେ 4,03,116 ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ, 17,993 ଟି ଟ୍ରେନ ଦୁର୍ଘଟଣାଜନିତ ମୃତ୍ୟୁ ଓ 1,550 ଟି ରେଲଓ୍ବେ କ୍ରସିଂ ଜନିତ ଦୁର୍ଘଟଣା ରହିଛି । ଏହି ଦୁର୍ଘଟଣାରେ ଯଥାକ୍ରମେ, 1,55,622 ଜଣ 16,431 ଓ 1,807 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ପଞ୍ଜୀକୃତ ହୋଇଛି (People Died In Traffic Accidents) ।
ସେହିପରି ଗତ ଏକ ବର୍ଷ ବ୍ୟବଧାନ (2020-21) ମଧ୍ୟରେ ଦୁର୍ଘଟଣା ବଢିଥିବା ତାଲିକାରେ ଥିବା ରାଜ୍ୟଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ରାଜ୍ୟ ତାମିଲନାଡୁ । ଏହା ପଛକୁ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କେରଳ ଯାଥାକ୍ରମେ ସ୍ଥାନ ପାଇଛନ୍ତି । ସେହିପରି ଦୁର୍ଘଟଣାଜନିତ ଆହତଙ୍କ ସଂଖ୍ୟା ମଧ୍ୟ ତୂଳନାତ୍ମକ ଭାବେ ପୂର୍ବ ବର୍ଷ ଗୁଡିକ ଠାରୁ 2021ରେ ବୃଦ୍ଧି ପାଇଛି ।
ଗତବର୍ଷର ମୃତ୍ୟୁ ସଂଖ୍ୟାକୁ ହିସାବକୁ ନେଲେ ଉତ୍ତର ପ୍ରଦେଶରେ ସର୍ବାଧିକ 24,711 ମୃତ୍ୟୁ ମାମଲା, ଦ୍ବିତୀୟ ସ୍ଥାନରେ ତାମିଲନାଡୁ 16,685 ମୃତ୍ୟୁ ମାମଲା ଓ 16,446 ମୃତ୍ୟୁ ମାମଲା ସହ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି । ଦେଶରେ କ୍ରମାଗତ ଯାନବାହନ ସଂଖ୍ୟା ବଢିଚାଲିଥିବା ଯୋଗୁ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦୁର୍ଘଟଣା ବୃଦ୍ଧି ହେବା କାରଣରୁ ମୃତ୍ୟୁ ସଂଖ୍ୟା (Number of Deaths in India) ମଧ୍ୟ ବଢିବାରେ ଲାଗିଛି ।