ଭୋକିଲା ମୁହଁରେ ଦାନା ଦେଉଛି ହେଲପିଙ୍ଗ ସୋସାଇଟି, ଭୋକମୁକ୍ତ ଅଭିଯାନରେ ଯୁବ ଗୋଷ୍ଠୀ - Zero Hunger Program

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 7, 2024, 7:09 PM IST

Zero Hunger Program By Helping Society: ବାଲେଶ୍ବର: ସାମାଜିକ କାର୍ଯ୍ୟରେ ଅନେକ ସାମାଜିକ ସଂଗଠନ ଲିପ୍ତ ଥିବାବେଳେ ବହୁ ସମୟରେ ସେମାନଙ୍କ କିଛି କାର୍ଯ୍ୟ ସେମାନଙ୍କୁ ପ୍ରଶଂସାର ପାତ୍ର କରାଇଥାଏ । ସେହିପରି ବାଲେଶ୍ଵରର ସାମାଜିକ ସଂଗଠନ ହେଲପିଙ୍ଗ ସୋସାଇଟି ମଧ୍ୟ ଏମିତି କିଛି କାର୍ଯ୍ୟ କରୁଛି, ଯାହା ସାଧାରଣ ତଥା ଅସହାୟ ଲୋକଙ୍କ ପାଇଁ ବେଶ ସହାୟକ ହୋଇପାରିଛି । ହେଲପିଙ୍ଗ ସୋସାଇଟି ଦ୍ୱାରା ପ୍ରାୟ ତିନି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଭୋକମୁକ୍ତ ଅଭିଯାନ । ଏହି ଅଭିଯାନରେ ଭିକ୍ଷାବୃତ୍ତି କରୁଥିବା ଲୋକ, ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ଲୋକ ଏବଂ ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଖାଦ୍ୟ ବଣ୍ଟନ କରାଯାଇ ସେମାନଙ୍କ କ୍ଷୁଧା ମେଣ୍ଟାଇବାରେ ସହାୟକ ହୋଇଛି ସଂଗଠନ ।

ଖାଲି ସେତିକି ନୁହେଁ, ଯଦି କୌଣସି ବ୍ୟକ୍ତି ନିଜର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ପାଳନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ହେଲପିଙ୍ଗ ସୋସାଇଟି ସହ ଯୋଗାଯୋଗ କରି କେତେବେଳେ ବୃଦ୍ଧାଶ୍ରମ ତ ପୁଣି କେତେବେଳ ଦିବ୍ୟାଙ୍ଗ ବିଦ୍ୟାଳୟରେ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି । ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ପାନୀୟ ବନ୍ଦୋବସ୍ତ ଦାୟିତ୍ୱ ହେଲପିଙ୍ଗ ସୋସାଇଟିର ସଦସ୍ୟମାନେ ନେଇଥାନ୍ତି । ସହରର ଗଳିକନ୍ଦିରେ ଅସହାୟ ଅବସ୍ଥାରେ ଭୋକ ଉପାସରେ ରହିଥିବା ଲୋକମାନଙ୍କ ପାଇଁ କେତେବେଳେ ଶୁଖିଲା ଖାଦ୍ୟ ତ ପୁଣି କେତେବେଳେ ରନ୍ଧା ଖାଦ୍ୟ ନେଇ ଯୋଗାଇ ଦେଇଥାନ୍ତି ସଦସ୍ୟମାନେ । ଏମିତି କି ସଂଗଠନ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ନଥିବାବେଳେ ମଧ୍ୟ ସେମାନେ ବିଭିନ୍ନସ୍ତରରୁ ଏମିତି କାର୍ଯ୍ୟପାଇଁ ପାଣ୍ଠି ସଂଗ୍ରହ କରି ଲୋକଙ୍କ କ୍ଷୁଧା ମେଣ୍ଟାଉଛନ୍ତି ।

ଏହାସହ କୌଣସି ବିବାହ କିମ୍ବା ଭୋଜିଭାତରେ ବଳକା ଖାଦ୍ୟ ମଧ୍ୟ ନେଇ ଭୋକିଲାମାନଙ୍କ ମଧ୍ୟରେ ବାଣ୍ଟୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ସୋସିଆଲ ମିଡିଆରେ ନମ୍ବର ସେୟାର କରି ଲୋକମାନଙ୍କୁ ଏମିତି କାର୍ଯ୍ୟରେ ସାମିଲ ହେବାପାଇଁ ସଂଗଠନର କର୍ମକର୍ତ୍ତାମାନେ ଆହ୍ୱାନ ଦେଉଛନ୍ତି । ଯିଏ ଯେମିତି ଭାବେ ଅସହାୟଙ୍କୁ ସହାୟତା ପ୍ରଦାନ କରିବାକୁ ଇଚ୍ଛା କରୁଛି, ସେମିତି ଭାବେ ସଂଗଠନର କର୍ମକର୍ତ୍ତାମାନେ ଆୟୋଜନ କରିଥାନ୍ତି । ତିନିବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଭୋକମୁକ୍ତ ଅଭିଯାନରେ ବର୍ତ୍ତମାନ ଅନେକ ବ୍ୟକ୍ତିବିଶେଷ ସାମିଲ ହୋଇ ଭୋକିଲା ପେଟରେ ଦାନା ଦେବାରେ ସହାୟକ ହୋଇ ପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ମମତାର ଅନ୍ୟ ନାମ ‘ମାମି ଅପା’, ଅସହାୟ ନିଷ୍ପେସିତଙ୍କ ପାଇଁ ସାଜିଛନ୍ତି ମସିହା

ସେହିପରି ସଂଗଠନ ପକ୍ଷରୁ ତିନିବର୍ଷ ମଧ୍ୟରେ ପ୍ରାୟ 4 ହଜାରରୁ ଅଧିକ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ ସହ 10 ହଜାରରୁ ଅଧିକ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିବା କଥା କହିଛନ୍ତି ସଂଗଠନର ସଭାପତି ହୃତିକ ନାୟକ । ଏହି ସଂଗଠନ ମେଡିକାଲରେ ରୋଗୀମାନଙ୍କୁ ସେବା ଯୋଗାଇବାର ଏକ ମାଧ୍ୟମ ମଧ୍ୟ ପାଲଟିଛି । ଯେଉଁମାନେ ମେଡିକାଲ ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି ସେମାନଙ୍କୁ ଉଚିତ ଭାବେ ସେବା ପ୍ରଦାନରେ ସହଯୋଗ କରୁଛନ୍ତି । କାହାର ରକ୍ତ ଆବଶ୍ୟକ, କିଏ ଔଷଧ ଆଣିବାରେ ଅସୁବିଧା ଭୋଗୁଛି, କିଏ କୌଣସି ଟେଷ୍ଟ କରିବା ଜାଣି ପାରୁନି ସେ ସବୁ ସହାୟତା ସଂଗଠନ ପକ୍ଷରୁ ଯୋଗାଇ ଦିଆଯାଉଛି । ଏମିତିକି ରାସ୍ତା କଡ଼ରେ ଅସହାୟ ହୋଇ ପଡ଼ିଥିବା ଲୋକମାନଙ୍କୁ ସୋସାଇଟିର ସଦସ୍ୟମାନେ ମେଡିକାଲ ନେଇ ଚିକିତ୍ସା ସୁବିଧା ଯୋଗାଉଛନ୍ତି । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ମଧ୍ୟ ଷ୍ଟ୍ରେଚରରେ ନେଇ ୱାର୍ଡ ଭିତରେ ସେବା ଯୋଗାଇବାରେ ସହଯୋଗ କରୁଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.