ସ୍କୁଲ ସାମ୍ନାରେ ଲହଡି ଭାଙ୍ଗୁଛି ୨ ଫୁଟର ପାଣି, ଟ୍ରଲିରେ ବୁହା ହୋଇ ସ୍ୱାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ - water logging problem

By ETV Bharat Odisha Team

Published : Aug 15, 2024, 10:18 PM IST

thumbnail
WATER LOGGING PROBLEM IN DADHIBAMAN JEW SCHOOL (ETV Bharat Odisha)

ଢେଙ୍କାନାଳ: ସ୍କୁଲ ସାମ୍ନାରେ ଲହଡି ଭାଙ୍ଗୁଛି ଦୁଇ ଫୁଟର ବର୍ଷା ପାଣି । ଟ୍ରଲିରେ ବୁହାହୋଇ ସ୍ୱାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ । ସ୍କୁଲ ବାହାରେ ଓ ଭିତରେ ଲହଡି ମାରୁଛି ପାଣି ଢେଉ । ଏହାରି ଭିତରେ ଟ୍ରଲିରେ ବୁହାହୋଇ ସ୍କୁଲକୁ ଯାଇ ସ୍ୱାଧୀନତା ଦିବସ ପାଳିଲେ ଶତାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁ ୧୩ ନଂ ଓ୍ବାର୍ଡରେ ଥିବା ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ । 

ସ୍କୁଲକୁ ଯିବା ରାସ୍ତାରେ ଓ ସ୍କୁଲ ପରିସରରେ ଦୁଇ ଫୁଟର ପାଣି ଲହଡି ମାରୁଥିବା ବେଳେ ବିପଦସଙ୍କୁଳ ଭାବେ ଟ୍ରଲିରେ ବୁହାହୋଇ ସ୍କୁଲ ଗଲେ ଛାତ୍ରଛାତ୍ରୀ । ଦଧିବାମନ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ମାତ୍ର ବର୍ଷା ଦିନେ ଜଳ ନିଷ୍କାସନର ସୁବିଧା ନଥିବାରୁ ଗାଁର ଉପରମୁଣ୍ଡରୁ ଆସୁଥିବା ଅପରିଷ୍କାର ପାଣି ସ୍କୁଲ ପରିସରରେ ଜମା ହୋଇ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ । ଫଳରେ ସେଠାରେ ଦୁଇ ଫୁଟର ପାଣି ଲହଡି ମାରିଥଏ । ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍କୁଲକୁ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ ।

 
ଏହା ମଧ୍ୟ ପଢନ୍ତୁ ....ସ୍ବାଧୀନତା ଦିବସରେ ଗ୍ରାଣ୍ଡ ସେଲିବ୍ରେସନ, ରାମୋଜୀ ଫିଲ୍ମ ସିଟିରେ ଉଡ଼ିଲା ତ୍ରିରଙ୍ଗା - Independence Day Celebration

ଶ୍ରେଣୀଗୃହରେ ଲହଡି ଭାଙ୍ଗୁଛି ପାଣି: 

ଗ୍ରାମବାସୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏ ସମ୍ପର୍କରେ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସ୍କୁଲ ରାସ୍ତାରେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଆଜି ଭଳି ସ୍ୱାଧୀନତା ଦିବସରେ ମଧ୍ୟ ଟ୍ରଲିରେ ବୁହାହୋଇ ସ୍କୁଲକୁ ଆସିଲେ ଛାତ୍ରଛାତ୍ରୀ । ସେହିପରି ବର୍ଷାଦିନେ ଦୁଇ-ତିନୋଟି ଶ୍ରେଣୀଗୃହ ପାଣିରେ ବୁଡି ରହୁଛି । ଫଳରେ ପିଲାମାନଙ୍କ ପାଠ ପଢିବାରେ ବହୁ ଅସୁବିଧା ହେଉଥିବା କହିଛନ୍ତି ଗ୍ରାମବାସୀ । ସ୍କୁଲ ପରିସରରେ ପାଣି ଜମି ରହୁଥିବାରୁ ପିଲାମାନେ କାଛୁ,କୁଣ୍ଡିଆ ଓ ଅନ୍ୟାନ୍ୟ ଚର୍ମରୋଗର ଶିକାର ହେଉଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ତେଣୁ ତୁରନ୍ତ ସ୍କୁଲ ରାସ୍ତାରେ ଜଳନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ସେ । 

ଇଟିଭି ଭାରତ,ଢେଙ୍କାନାଳ  
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.