ପାଳନ ହେଲା ଶହୀଦ ସ୍ମୃତି ଦିବସ,ଯୋଗଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - Sahid smruti Divas 2024

By ETV Bharat Odisha Team

Published : Aug 24, 2024, 8:50 PM IST

thumbnail
SAHID SMRUTI DIVAS 2024 (ETV Bharat Odisha)

SAHID SMRUTI DIVAS 2024: ନବରଙ୍ଗପୁର: ରକ୍ତ ତୀର୍ଥ ପାପଡାହାଣ୍ଡି ଠାରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଦେଶପାଇଁ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସହିଦ ସ୍ମୃତି କମିଟି ପକ୍ଷରୁ ପ୍ରଜ୍ଵଳିତ ଶହୀଦ ମଶାଲ ନବରଙ୍ଗପୁରରୁ ଏକ ଶୋଭାଯାତ୍ରାରେ ବାହାରି ଭାରତ ମାତାର ଜୟ ଗାନ ସହ ପାପଡାହାଣ୍ଡି ଶହୀଦ ସ୍ମୃତି ମୀନାର ନିକଟରେ ପହଞ୍ଚିଥିଲା । 

ଶହୀଦ ସ୍ମୃତି ଦିବସ:

ଶହୀଦ ସ୍ମୃତି ମିନାର ଠାରେ ମଶାଲ ସ୍ଥାପନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସ୍ମୃତି ସୌଧଠାରେ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ତୁରୀ ନଦୀ ପଠାରେ ତିଳ ତର୍ପଣ ପୂର୍ବକ ଅମର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଯାଇଥିଲା । ଏଥିସହ ଜିଲ୍ଲା ପୋଲିସ ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ ସାମରିକ ଅଭିବାଦନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ନବରଙ୍ଗପୁର ବିଧାୟକ ଗୈାରୀ ଶଙ୍କର ମାଝୀ,ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନା ଖାଁ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର,ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ପ୍ରମୁଖ ଯୋଗ ଦେଇଥିଲେ ।

ଶହୀଦ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା :

ଏହି କାର୍ଯ୍ୟକ୍ରମରେ ଗୁଳିକାଣ୍ଡରେ ଶହୀଦ ହୋଇଥିବା ପରିବାର ବର୍ଗଙ୍କ ଦାୟଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପାପଡାହାଣ୍ଡିର ଶହୀଦ ମୀନାରକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ସହ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ କରିବାକୁ ଦାବି ହୋଇଛି ।

କାହିଁକି ପାଳନ କରାଯାଏ ଶହୀଦ ସ୍ମୃତି ଦିବସ:

ସୂଚନା ଯୋଗ୍ୟ ଯେ ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ସମୟରେ ଅଗଷ୍ଟ ମାସ ୨୪ ତାରିଖ ଦିନ ମାଧବ ପ୍ରଧାନୀଙ୍କ ନେତୃତ୍ଵରେ ଡାବୁଗାଁ ଅଭିମୁଖେ ଆନ୍ଦୋଳନ ପାଇଁ ଯାଉଥିବା ସମୟରେ ପାପଡାହାଣ୍ଡିର ତୁରୀ ନଦୀ ନିକଟରେ ବ୍ରିଟିଶ ଗୁଳିରେ ସ୍ଵାଧୀନତା ସଂଗ୍ରାମୀମାନେ ପ୍ରାଣବଳୀ ଦେଇଥିଲେ । ଘଟଣା ସ୍ଥଳରୁ ୧୧ ଜଣ ସଂଗ୍ରାମୀଙ୍କ ମୃତଦେହ ମିଳିଥିବାବେଳେ , ୮ ଜଣ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ଅନେକେ ଟୁରୀ ନଦୀରେ ଡେଇଁ ମୃତ୍ୟୁବରଣ କରିଥିଲେ । ସେହି ଶହୀଦ ମାନଙ୍କ ସ୍ମୃତିରେ ୧୯୮୫ ମସିହାରେ ଶହୀଦ ମୀନାର ନିର୍ମାଣ କରାଯାଇ ୧୯ ଜଣ ସଂଗ୍ରାମୀଙ୍କ ନାମ ଲିପିବଦ୍ଧ କରାଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.