ଆରମ୍ଭ ହେଲା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା, ଆୟୁର୍ବେଦିକ ଔଷଧ ପାଇଁ ଲୋକଙ୍କ ଭିଡ଼ - Keonjhar
🎬 Watch Now: Feature Video
Published : Feb 16, 2024, 9:57 AM IST
Kalinga Herbal Mela 2024: କେନ୍ଦୁଝର: ଜିଲ୍ଲାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଛି କଳିଙ୍ଗ ହର୍ବାଲ ମେଳା । ବନ ବିଭାଗ ପକ୍ଷରୁ ଏହି ଆଞ୍ଚଳିକ ହର୍ବାଲ ମେଳା ଆୟୋଜନ କରାଯାଇଥିବା ବେଳେ ମେଳାରେ ୬୦ଟି ଷ୍ଟଲ ଖୋଲାଯାଇଛି । ଏଥିସହ ଆୟୁର୍ବେଦିକ ଡାକ୍ତର ସମ୍ମିଳନୀ ସହିତ ବରିଷ୍ଠ ନାଗରିକଙ୍କ ପାଇଁ ପୁରାତନ ରୋଗ ଉପଚାର ସମ୍ପର୍କରେ ଆଲୋଚନାଚକ୍ର ମଧ୍ୟ କରାଯିବ । ଗୁରୁବାରଠାରୁ ଏହି ମେଳା ଆରମ୍ଭ ହୋଇଥିବା ବେଳେ ପ୍ରତିଦିନ ସକାଳ ୧୦ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଆୟୁର୍ବେଦିକ ଡାକ୍ତରମାନଙ୍କ ଦ୍ବାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଢେଙ୍କାନାଳ, ଦେବଗଡ଼ ଜିଲ୍ଲାର ବୈଦ୍ୟଙ୍କ ସହ ଆୟୁର୍ବେଦିକ ଡାକ୍ତରମାନେ ଯୋଗଦେବେ । ଗୁରୁବାର ସନ୍ଧ୍ୟାରେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଧରଣୀଧର ବିଶ୍ଵବିଦ୍ୟାଳୟର ଉପ-କୁଳପତି ପ୍ରତାପ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ଜନଜାତିଙ୍କ ପାରମ୍ପରିକ ଖାଦ୍ୟ ପଦାର୍ଥର ପ୍ରକ୍ରିୟାକରଣ ପାଇଁ ଯୋଜନା କରାଯାଇଥିବା ନେଇ ସୂଚନା ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ.. ସରିଲା ରେଡ଼ିଓ ମେଳା; ଦେଶ ବିଦେଶର ୩ ହଜାର ସଂସ୍ଥା ସାମିଲ
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଯୋଗଦେଇ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏକ ହର୍ବାଲ ଗାର୍ଡେନ ନିର୍ମିତ ହେଉଥିବା ପ୍ରକାଶ କରିଥିଲେ । ରାଜ୍ୟ ବୈଦ୍ୟ ସଂଘ ରାଜ୍ୟ ସଭାପତି ହରେକୃଷ୍ଣ ମହାନ୍ତ ଯୋଗଦେଇ ବୈଦ୍ୟମାନଙ୍କ ପାଇଁ ସରକାର ପ୍ରୋତ୍ସାହନ ଆବଶ୍ୟକତା ଯୋଗାଇବା ନେଇ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ୍ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସୂଚନା ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ ପରିଚାଳନା କରିଥିଲେ । ପ୍ରଥମ ଦିନରେ ହିଁ ଆୟର୍ବେଦିକ ମେଡିସିନ ପାଇଁ ସାଧାରଣ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।
ଇଟିଭି ଭାରତ, କେନ୍ଦୁଝର