ରଥ ଖଳା ହାଲଚାଲ: ଆଜି ଗୁଜ ଅନୁକୂଳ ପୂଜା - Ratha Khala Halchal - RATHA KHALA HALCHAL
🎬 Watch Now: Feature Video
Published : May 22, 2024, 8:10 AM IST
Ratha Khala Halchal ପୁରୀ: ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆରମ୍ଭ ହୋଇଯାଇଛି ରଥ ପ୍ରସ୍ତୁତି । ରଥ ନିର୍ମାଣ କାର୍ଯ୍ଯକୁ ନେଇ ଚଳଚଞ୍ଚଳ ରଥ ଖଳା । ରଥ ନିର୍ମାଣର ଏକାଦଶ ଦିବସରେ ମହାରଣା ସେବକମାନେ ତିନି ରଥର ୪୨ ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ କରି ତୁମ୍ବ ଉଭୟ ପାର୍ଶ୍ଵରେ ପନ୍ଦାରି ବଳା ବସିବା ପାଇଁ ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ମଙ୍ଗଳବାର ସୁଦ୍ଧା ତିନିରଥର ୪୨ଟି ତୁମ୍ବର ଉଭୟ ପାର୍ଶ୍ୱର ମଧ୍ୟଭାଗରେ ପନ୍ଦାରି ବଳା ଆସିବା ପାଇଁ ତିନି ରଥର ମହାରଣା ସେବକମାନେ ନିହାଣରେ ଗୋଲାକାର ଗାଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ବୁଧବାର ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ଗୁଜ ଅନୁକୂଳ ପୂଜା ଅନୁଷ୍ଠିତ ହେବ । ଏଥିସହ ଅର କଟା ଅନୁକୂଳ, ଅର ଭୁଞ୍ଜା ଅନୁକୂଳ ଏବଂ ଜନ୍ତା ପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥର ମୁଖ୍ୟ ମହାରଣା ସେବକମାନଙ୍କ ଦ୍ଵାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହେବ । ସେଥିପାଇଁ ରଥ ଅମୀନ ଲକ୍ଷ୍ମଣ ମହାପାତ୍ର ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳିକୁ ଗୁଜ, କୁଡୁକା ଏବଂ ଜଳ ଯନ୍ତ୍ର ନିର୍ମାଣ ପାଇଁ ପ୍ରଥମ ଦଫାରେ ୧୦ ଗୋଟି ଲେଖାଏଁ ୧୨ ଫୁଟିଆ ଧଉରା ଏବଂ ଅସନ ଗୋଟା କାଠ ଯୋଗାଇଛନ୍ତି ।
ଏଥିସହ ତିନି ରଥର ଦୁଇଟି ନାହାକା ଚକାର ଅର ନିର୍ମାଣ ପାଇଁ ତିନି ରଥ ଚାଳିକୁ ୧୧ ଗୋଟି ଲେଖାଏଁ ୧୨ ଫୁଟିଆ ଅର ପଟା ଯୋଗାଇଛନ୍ତି । ଏଥିସହ ପ୍ରତ୍ୟେକ ଚାଳିକୁ ୭ ଟି ଲେଖାଏଁ ଚକ ନିର୍ମାଣ ପାଇଁ ପ୍ରଥମ ଦଫା ପଇ ଯୋଗାଇଦେଇଛନ୍ତି । ଦୋଳ ବେଦୀ ଅସ୍ଥାୟୀ କମାରଶାଳରେ ତିନି ରଥର ଓଝା ସେବକମାନେ ଅର କଣ୍ଟା ନିର୍ମାଣ ସହ ପନ୍ଦାରି ବଳା ପୋଡ଼ା କାର୍ଯ୍ୟ ଓ ମଠା କାର୍ଯ୍ୟ ଜାରି ରଖିଛନ୍ତି ।
ଇଟିଭି ଭାରତ, ପୁରୀ