ବୌଦ୍ଧର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ବାହୁଡ଼ା ଯାତ୍ରା ଅନୁଷ୍ଠିତ - Bahuda yatra 2024

By ETV Bharat Odisha Team

Published : Jul 15, 2024, 11:07 PM IST

thumbnail
Rath Yatra 2024 (ETV Bharat Odisha)

Bahuda Yatra 2024: ବୌଦ୍ଧ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା'ଙ୍କ ଘରକୁ ନବଦିନାତ୍ମକ ଯାତ୍ରା କରିଥିଲେ । ଆଜି ନିଜ ମନ୍ଦିରକୁ ବାହୁଡିଛନ୍ତି ବଡ଼ଦିଅଁ । ଜିଲ୍ଲା ସଦରମହକୁମା ଠାରେ ଶହ ଶହ ବର୍ଷ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଛି ଏହି ରଥଯାତ୍ରା । ଜିଲ୍ଲାର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ଦୁର୍ଲଭ ଚନ୍ଦନ କାଠରେ ନିର୍ମାଣ ହୋଇଥିବା ତଥା ଏହାକୁ ନେପାଳ ଦେଶର ରାଜା ବୌଦ୍ଧ ରାଜାଙ୍କୁ ପ୍ରଦାନ କରିଥିବା ସଂସ୍କୃତି ଗବେଷକ ମତ ପ୍ରକାଶ କରିଛନ୍ତି । 

ଏଠାରେ ଚତୁର୍ଦ୍ଧା ବିଗ୍ରହଙ୍କୁ କେବେ ମଧ୍ୟ ନବକଳେବର କରା ନଯାଇ କେବଳ କିଛି ଚିତ୍ରଣ କରାଯାଇଥାଏ । ଏହା ବ୍ୟତୀତ ବୌଦ୍ଧର ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥ ସବୁଠାରୁ ବିସ୍ମୟ । ଉଭୟ ଉତ୍ତର ଓ ଦକ୍ଷିଣ ମୋଡ଼ ହୋଇ ପାରୁଥିବା ଘୂର୍ଣ୍ଣାୟମାନ ରଥ ଗଡ଼ଜାତ ଶାସନ କାଳରେ ନିର୍ମାଣ କରାଯାଇଥିଲା । ଏଭଳି ବିରଳ ତଥା ଘୂର୍ଣ୍ଣାୟମାନ ରଥ ସାରା ବିଶ୍ବରେ ଦେଖିବାକୁ ମିଳେନାହିଁ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବୌଦ୍ଧରେ ପ୍ରଥମେ ବଡ଼ ଠାକୁରଙ୍କ ନିକଟରେ ଚକାଛଡା ଭୋଗ ଲାଗି ହେବାପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ବ୍ରାହ୍ମଣ ସେବାୟତମାନେ ପ‌ହଣ୍ଡିରେ ଆଣି ରଥାରୂଢ଼ କରିଥିଲେ । ବିଳମ୍ବିତ ସମୟରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହି ରଥ ସହିତ ପୋଡାପୋଡାର ହରିଗୁଡି ରଥକୁ କେବଳ ମହିଳାମାନେ ଆନନ୍ଦ ଉଲ୍ଲାସର ସହିତ ରଥଖଳା ପର୍ଯ୍ୟନ୍ତ ଟାଣି ନେଇଥିଲେ । ତେବେ ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ବିଳମ୍ବିତ ସନ୍ଧ୍ୟାରେ ରଥାରୂଢ଼ ହୋଇଥିବା ବେଳେ ରଥଖଳାରେ ରଥ ବିଳମ୍ବିତ ସମୟରେ ପହଞ୍ଚିଥିଲା । ମଙ୍ଗଳବାର ଦିନ ତମାମ ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ରହି ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ  ।

ଏହା ମଧ୍ୟ ପଢ଼ନ୍ତୁ...ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାପ୍ରଭୁ, କେଉଁଠି କେମିତି ହେଲା ବାହୁଡା ଯାତ୍ରା - Bahuda Yatra 2024

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.