ମୟୂର ପ୍ରେମରେ ରେଞ୍ଜର ସାହେବ, ଭିଜିଲାନ୍ସ ରେଡ୍ ପରେ ସାମ୍ନାକୁ ଆସିଲା ସତ - PEACOCK SPOTTED IN FARMHOUSE

By ETV Bharat Odisha Team

Published : Aug 22, 2024, 7:26 PM IST

thumbnail
ମୟୂର ପ୍ରେମରେ ରେଞ୍ଜର ସାହେବ (ETV Bharat Odisha)

କଟକ: ବାଡ଼ ଖାଇଲା ଫସଲ । ଭିଜିଲାନ୍ସ ଜାଲରେ ପଡିଥିବା ଢେଙ୍କାନାଳ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ରଙ୍କର ଏକ ଫର୍ମହାଉସରେ ରେଡ ପରେ ଠାବ ହେଲା ମୟୂର । ଗୋଟିଏ କି ଦୁଇଟି ନୁହେଁ ବରଂ ରେଡ ବେଳେ ଠାବ ହେଲା ଚାରି ଚାରିଟି ମୟୂର । ବଡ଼ କଥା ହେଉଛି ମୟୂରଗୁଡିକୁ ଯେଉଁ ଭଳି ଅବସ୍ଥାରେ ରଖା ଯାଇଥିଲା, ତାହା ସମସ୍ତଙ୍କୁ ଚକିତ କରିଦେବ । କାରଣ ଛୋଟ କୋଠରୀରେ ଏଭଳି ଅବସ୍ଥାରେ ମୟୂର ଗୁଡିକ ଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଖୋଦ ପ୍ରାଣୀ ସମ୍ପଦ ବିଭାଗର ଅଧିକରିଣୀ ଶୁଭଲକ୍ଷ୍ମୀ ସାହୁ । କେବଳ ମୟୂର ନୁହେଁ ବରଂ ନିଜ ଫାର୍ମ ହାଉସରେ ରଖିଛନ୍ତି ୨୦ରୁ ଉର୍ଦ୍ଧ୍ବ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ।

ମୟୂର ପ୍ରେମରେ ସରକାରୀ ବଡ଼ବାବୁ:

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଫରେଷ୍ଟ ବିଭାଗର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ ବିଭାଗ ।ଏହି କ୍ରମରେ କଟକ ଆଠଗଡ଼ ରାହାଙ୍ଗୋଳ ସ୍ଥିତ ଫାର୍ମହାଉସରେ ରେଡ କରିଛି ଭିଜିଲାନ୍ସ । ଜଣେ ରେଞ୍ଜର ହୋଇ ନିଜେ ଫାର୍ମ ହାଉସରେ ରଖିଥିଲେ ମୟୂର । ଗୋଟିଏ କି ଦୁଇଟା ନୁହେଁ ବରଂ ନିଜର ଫାର୍ମହାଉସରେ ରଖିଛନ୍ତି ୪ଟି ମୟୂର । 

ଫାର୍ମହାଉସରେ କିପରି ରଖିଲେ ମୟୂର?

ଯେଉଁ ଅବସ୍ଥାରେ ମୟୂର ମାନଙ୍କୁ ରଖିଛନ୍ତି ତାହା ବି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଛୋଟ କୋଠରୀଟିଏ ତାହା ପୁଣି ୬ ଫୁଟରେ ୪ ଫୁଟର ଓସାର ହେବ । ଯାହାକି ଆଇନଗତ ଅପରାଧ । ଏକଥା କାହାକୁ ବା ଅଜଣା ! କାରଣ ଜାତୀୟ ପକ୍ଷୀ ମୟୂର ରଖିବା କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଜାମିନ ବିହୀନ । ଏକଥା ରେଞ୍ଜର ବାବୁଙ୍କୁ ଭଲ ଭାବରେ ଜଣା । ମାତ୍ର ଆଇନ୍ ଜାଣି ମଧ୍ୟ କିପରି ସେ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି, ତାହାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।  
 

ମୟୂର ପାଳିବା ଦଣ୍ଡନୀୟ ଅପରାଧ: 

ପ୍ରାଣୀ ସମ୍ପଦ ବିଭାଗର ଅଧିକାରିଣୀ ଶୁଭଲକ୍ଷ୍ମୀ ସାହୁ କହିଛନ୍ତି," ବିଭୂଦାନନ୍ଦ ମିଶ୍ର ନିଜ ଫର୍ମହାଉସରେ ବିଭିନ୍ନ ପ୍ରକାର ପକ୍ଷୀ ରଖିବା ସହ ୪ଟି ମୟୂର ରଖିଛନ୍ତି । ଯାହାକି ସମ୍ପୂର୍ଣ୍ଣ ବେଆଇନ୍ । ଜାତୀୟ ପଶୁଙ୍କୁ ଏପରି ରଖିବା ଅନୁଚିତ । ମୁକ୍ତ ସ୍ଥାନରେ ମୟୂର ମାନେ ରୁହନ୍ତି ।ଏହି ୪ଟି ମୟୂର ମାନଙ୍କ ବୟସ ପ୍ରାୟ ଦେଢ଼ ବର୍ଷରୁ ଦୁଇ ବର୍ଷ ହେବ । ଛୋଟ ଛୋଟ ମୟୂର ମାନଙ୍କୁ ଜଣେ ଫରେଷ୍ଟ ରେଞ୍ଜ ଅଫିସର ଏପରି ରଖିବା ଯାହାକି ଜଘନ୍ୟ ଅପରାଧ । ଏନେଇ ଉପରସ୍ତ ଅଧିକାରୀଙ୍କୁ ଅବଗତ କରାଯିବ । "

ଏହା ମଧ୍ୟ ପଢନ୍ତୁ .....ଭିଜିଲାନ୍ସ ଜାଲରେ ସଦର ରେଞ୍ଜର; ପାଇଖାନା ଫ୍ଲସ୍‌ରୁ ମିଳିଲା ବିଡା ବିଡା ଟଙ୍କା, ହାଇଦ୍ରାବାଦରେ ବି ରହିଛି ଫ୍ଲାଟ, ୮ ସ୍ଥାନରେ ଚଢାଉ ଜାରି - Dhenkanal Forest Ranger

କ୍ଷମତାର ଅପବ୍ୟବହାର:

ଏହି ମୟୂର ଗୁଡିକ ସେ କେଉଁଠାରୁ ଆଣିଲେ ! ନିଜର କ୍ଷମତାର ଅପବ୍ୟବହାର କରି ସେ ଏପରି କାର୍ଯ୍ୟ କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ଏନେଇ ଆଉ ଏକ ମାମଲା ରୁଜୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଜଙ୍ଗଲ ବିଭାଗ ଏହା ଉପରେ ଆଉ ଏକ ମାମଲା କରିବା ଆବଶ୍ୟକ । 

 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.