thumbnail

By ETV Bharat Odisha Team

Published : Jun 1, 2024, 11:03 PM IST

ETV Bharat / Videos

ନିର୍ବାଚନ ପରିଚାଳନାରେ ଗୁରୁତର ତ୍ରୁଟି, ବିଳମ୍ବିତ ରାତି ଯାଏଁ ହେଲା ମତଦାନ - Voting in Jagatsinghpur

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅଳସୁଧା ପଞ୍ଚାୟତରେ ଭୋଟ୍ ଗ୍ରହଣ ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ 88 ନମ୍ବର ବୁଥରେ ମତଦାତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ପଞ୍ଚାୟତ ଭୋଟରଙ୍କ ସଂଖ୍ୟା 18 ଶହରୁ ଅଧିକ ହୋଇଥିବା ବେଳେ ଏହି ପଞ୍ଚାୟତରେ ମାତ୍ର 2ଟି ବୁଥ କରାଯାଇଥିଲା । 87 ନମ୍ବର ବୁଥରେ ମାତ୍ର 500 ଭୋଟରଙ୍କୁ ମତଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ 88 ନମ୍ବର ବୁଥରେ ପ୍ରାୟ 1300 ଲୋକଙ୍କ ପାଇଁ ମତଦାନର ବ୍ୟବସ୍ଥା ହୋଇଥିଲା । ନିର୍ଦ୍ଧାରିତ ସମୟ ସକାଳ 7ଟାରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ଇଭିଏମରେ ତ୍ରୁଟି ଦେଖିବାକୁ ମିଳିଥିଲା ।  

ଏହା ବି ପଢନ୍ତୁ- ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳାର ସହ ଶେଷହେଲା ମତଦାନ  

ମତଦାନ ପ୍ରକ୍ରିୟା ଦିନ 9ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା । ଦିନ 9ଟା 30 ବେଳକୁ ମତଦାନ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା । ଅନଭିଜ୍ଞ ପୋଲିଂ ଅଧିକାରୀଙ୍କ ଯୋଗୁଁ ମତଦାନ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବ ଯୋଗୁଁ 300ରୁ ଅଧିକ ପୁରୁଷ ଓ ମହିଳା ଭୋଟରଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା । ରାତି 8ଟା ବେଳକୁ ଆହୁରି 200 ଭୋଟର ଭୋଟ୍ ଦେବା ପାଇଁ ଅପେକ୍ଷା କରି ରହିଥିଲେ । ନିର୍ବାଚନ ପରିଚାଳନା କ୍ଷେତ୍ରରେ ଏଭଳି ଗୁରୁତର ତ୍ରୁଟିକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ମତଦାତାମାନେ ଅଭିଯୋଗ କରିଛନ୍ତି ଯେ ଗୋଟିଏ ପଞ୍ଚାୟତରେ ମାତ୍ର ଦୁଇଟି ବୁଥ କରାଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି 11ଟା ପର୍ଯ୍ୟନ୍ତ ମହିଳାମାନେ ଭୋଟ୍ ଦେବା ପାଇଁ ଲାଇନରେ ରହୁଛନ୍ତି । ପ୍ରଶାସନିକ ଅପାରଗତା ଯୋଗୁଁ ଏହିଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଅନୁପ କୁମାର ସାହାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ନିର୍ବାଚନରେ ଏହି ଗୁରୁତର ତ୍ରୁଟିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.