ଦୁର୍ନୀତି ରୋଗର ଚିକିତ୍ସା ପାଇଁ ରାଜନୀତିକୁ ଓହ୍ଲାଇଛି: କଂଗ୍ରେସ ପ୍ରାର୍ଥିନୀ ଦେବସ୍ମିତା - Odisha Assembly Election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : Apr 25, 2024, 7:44 AM IST
କେନ୍ଦ୍ରାପଡା: ଡାକ୍ତର ଚାକିରି ଛାଡି ରାଜନୀତି ପାଇଁ ମନ ବଳାଇଛନ୍ତି ଯୁବ ଡାକ୍ତରାଣୀ ଦେବସ୍ମିତା ଶର୍ମା । କଂଗ୍ରେସରୁ ଆଳି ଟିକଟ ପାଇବା ପରେ ଏବେ ଘର ଘର ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି । କେବଳ ପ୍ରଚାର ନୁହେଁ, ହାତରେ ଷ୍ଟେଥୋସ୍କୋପ ଧରି ରୋଗୀଙ୍କ ଚିକିତ୍ସା ବି କରୁଛନ୍ତି । ଦେବସ୍ମିତା ଆଳି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 2020 ଫେବ୍ରୁଆରୀ ମାସରେ କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ ଚାକିରି ଆରମ୍ଭ କରିଥିଲେ ଡ଼ଃ ଦେବସ୍ମିତା ଶର୍ମା । ଏହାପରେ ୧୦ ମାସ ପାଇଁ କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ଚାକିରି କରିବା ପରେ ପୁନଃ କେନ୍ଦ୍ରାପଡା ଜିଲ୍ଲାକୁ ଫେରି ରାଜକନିକା ବ୍ଲକ କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ହୋଇଥିଲେ । ତେବେ ବନ୍ୟା ସମୟରେ ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇଦେବା, ଦୀନ ଦୁଃଖିଙ୍କୁ ସାହାଯ୍ୟ କରିବା ଭଳି ଜନସେବା ପାଇଁ ସେ ଆଳି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । 2014-19 ପର୍ଯ୍ୟନ୍ତ ଆଳିରୁ ବିଧାୟକ ଥିବା ଦେବସ୍ମିତାଙ୍କ ବାପା ଦେବେନ୍ଦ୍ର ନାଥଶର୍ମାଙ୍କ ଶରୀର ଅସୁସ୍ଥ ରହୁଥିବା କାରଣରୁ ଚଳିତ ନିର୍ବାଚରେ ଝିଅ ଦେବାସ୍ମିତାଙ୍କୁ ଟିକଟ ଦେଇଛି କଂଗ୍ରେସ । ଯାହାଫଳରେ ଦେବସ୍ମିତା ଏବେ ନିର୍ବାଚନ ମଣ୍ଡଳୀ ଅଧିନ ସମସ୍ତ ପଞ୍ଚାୟତ ବୁଲି ପ୍ରଚାର ଆରମ୍ଭ କରିଥିବା ବେଳେ ବେକରେ ଷ୍ଟେଥୋସ୍କୋପ ଓ ହାତରେ କାଗଜ କଲମ ଧରି ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ନିର୍ବାଚନ ଲଢିବା ସମ୍ପର୍କରେ ଦେବସ୍ମିତା କହିଛନ୍ତି, ଆଳିରେ ପାଣି, ବାଲି ଓ ମଦ ମାଫିଆଙ୍କ ରାଜ ଚାଲିଛି । ତେଣୁ ଏହି ଦୁର୍ନୀତି ରୂପକ ରୋଗର ନିରାକରଣ ପାଇଁ ସେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା