ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଜିରାଫ ଖୁସିକୁ ମିଳିଲା 2 ଜିରାଫ ସାଥି - Nandankanan Zoo gets 2 Giraffes

By ETV Bharat Odisha Team

Published : Sep 2, 2024, 12:37 PM IST

Updated : Sep 2, 2024, 2:03 PM IST

thumbnail
NANDANKANAN ZOO (ETV BHARAT ODISHA)

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଦୀର୍ଘ ବର୍ଷ ପରେ ଏକାକୀ ଜୀବନ ବିତାଉଥିବା ଖୁସି ପାଇଁ ଆସିଛି ଖୁସି ଖବର। ଏହା ସହ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ମିଳିଛି ଖୁସି ଖବର। ନନ୍ଦନକାନନକୁ ଆସିଛି ଏକ ହଳ ଜିରାଫ। ଯାହା ନନ୍ଦନକାନନର ସୋନ୍ଦର୍ଯ୍ୟ ବଢାଇବ। ବର୍ତ୍ତମାନ ଏହି ଜିରାଫକୁ ସଂଗରୋଧରେ ରଖାଯାଇଛି । 

ନନ୍ଦନକାନନରେ 3 ଜିରାଫ:
 

ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ନିୁହଁ ବରଂ 3 ଟି ଜିରାଫ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ଗତକାଲି ମଧ୍ୟ ରାତିରେ କୋଲକାତା ଆଲିପୁର ଚିଡ଼ିଆଖାନରୁ ଏକ ହଳ ଜିରାଫ ଆସିଛନ୍ତି। ଅଣ୍ଡିରା ଜିରାଫର ବୟସ 1ବର୍ଷ 5 ମାସ ଓ ମାଈ ଜିରାଫର ବୟସ ପ୍ରାୟ ଏକ ବର୍ଷ ଏକ ମାସ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

କେଉଁ ଖୁଆଡରେ ରହିବେ ସମସ୍ତ ଜିରାଫ:


ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି, "ବର୍ତ୍ତମାନ ସମୟରେ ଏହି ଦୁଇ ଜିରାଫଙ୍କୁ ସଂଗରୋଧରେ ରଖାଯାଇଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଉଛି। ଏହା ପରେ ସମସ୍ତ ଜିରାଫ ‘ଖୁସି' ରହୁଥିବା 100 ନମ୍ବର ଖୁଆଡ଼ ପାଖରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ।''

ଦୀର୍ଘ 12 ବର୍ଷର ଅପେକ୍ଷା ପରେ ଖୁସି ମିଳିଲା ଖୁସି: 

ଦୀର୍ଘ 12 ବର୍ଷ ହେଲା ଏକୁଟିଆ ନିଃସଙ୍ଗ ଜୀବନ ବିତାଉଥିଲା ‘ଖୁସି'। ଜୀବନ ସାଥି ପାଇଁ ଅନେକ ବାର କର୍ତ୍ତୃପକ୍ଷ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ଅଟେ ବର୍ଷ ପରେ ଖୁସି ଜୀବନରେ ଖୁସି ପହଞ୍ଚିଛି ବୋଲି ଚର୍ଚ୍ଚା ହେଉଛି  ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। 2012ମସିହାରେ ଖୁସିକୁ ପାଟନା ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା। ଏହାପୂର୍ବରୁ 2008 ମସିହାରେ ଆଲିପୁର ପ୍ରାଣୀ ଉଦ୍ୟାନରୁ ଜିରାଫ ଆଣିବା ପାଇଁ ଗୋଟିଏ ଚେଷ୍ଟା କରାଯାଇଥିଲା। କିନ୍ତୁ ବିଦ୍ୟୁତ୍ ତାର କାରଣରୁ ତାର ମୃତ୍ୟୁ ହୋଇଥିଲା। ଜିରାଫ ଆଣିବାର ଆଉ ଏକ ପ୍ରୟାସ 2016 ମସିହାରେ କରାଯାଇଥିଲା। ଏଥର ଅଣ୍ଡିରା ଜିରାଫ ସଫଳତାର ସହ ନନ୍ଦନକାନନକୁ ଆସିଥିଲା କିନ୍ତୁ ଥିଏଲେରୋସିସ୍ ରୋଗ କାରଣରୁ 6 ଦିନ ପରେ ଜିରାଫର ମୃତ୍ୟୁ ହୋଇଥିଲା।  

ରାସ୍ତା ମାଧ୍ୟ ଦେଇ ଜୀରାଫ ଆଣିବା ଏକ ଚ୍ୟାଲେଞ୍ଜ: 


ରାସ୍ତାରେ ଜିରାଫ ଆଣିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଏବଂ ଏକ ବଡ ଚ୍ୟାଲେଞ୍ଜ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ସତର୍କତା ଅବଲମ୍ବନ କରିଛନ୍ତି। ଜିରାଫ ଆଣିବା ପୂର୍ବରୁ ନନ୍ଦନକାନନର ଏକ ଟିମ୍ ଏହି ମାର୍ଗର ପ୍ରାଥମିକ ସର୍ଭେ କରିଥିଲେ ଏବଂ ବିପଦ ସ୍ଥାନ ଚିହ୍ନଟ କରିଥିଲେ। ବ୍ୟବହାର ହେବାକୁ ଥିବା ନିମ୍ନ ଶଯ୍ୟା ବିଶିଷ୍ଟ ଟ୍ରେଲର ଏବଂ ସ୍ୱତନ୍ତ୍ର କ୍ରେଟ୍ ସହିତ ପରିବହନ ଯୋଜନା ଡିଜାଇନ୍ କରାଯାଇଥିଲା  ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। 

୨୫ ଘଣ୍ଟାର ସଫର୍:
 

ଏହି ଟିମ୍ ଅଗଷ୍ଟ ୩୧ ତାରିଖ ମଧ୍ୟ ରାତିରେ କୋଲକାତା ଆଲିପୁର ଚିଡ଼ିଆଖାନରୁ ଜିରାଫକୁ ନେଇ ଯାତ୍ରା ଆରମ୍ଭ କରି ୨୫ ଘଣ୍ଟା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଥିଲା ନନ୍ଦନକାନନର ଏକ ସ୍ବତନ୍ତ୍ର ଟିମ। ପରିବହନ ସାମଗ୍ରୀ ଭୂମିରୁ ୧୬.୬ ଫୁଟ ଉଚ୍ଚରେ ଥିଲା ଏବଂ ଘଣ୍ଟା ପ୍ରତି ହାରାହାରି ୨୫ କିଲୋମିଟର ବେଗରେ ଗତି କରୁଥିଲା ଗାଡ଼ି। ନିୟମିତ କିଛି ସମୟ ବ୍ୟବଧାନରେ ଉଭୟ ଜିରାଫକୁ ଯାଞ୍ଚ କରାଯାଉଥିଲା। ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଥିଲା। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଦେଇ ଆସିଥିଲା ଜୀରାଫ। ବର୍ତ୍ତମାନ ନନ୍ଦନକାନନରେ ଜିରାଫ୍ ସଂଖ୍ୟା 3 କୁ ବୃଦ୍ଧି" ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। 


ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 2, 2024, 2:03 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.