ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା - Kargil Vijay Diwas Tiranga rally

By ETV Bharat Odisha Team

Published : Jul 27, 2024, 9:11 PM IST

thumbnail
KARGIL VIJAY DIWAS TIRANGA RALLY (ETV Bharat Odisha)

TIRANGA RALLY:ଭୁବନେଶ୍ବର/ବାଲେଶ୍ବର: କାରଗିଲ ଯୁଦ୍ଧରେ ବିଜୟ ଲାଭ କରିବା ଭାରତୀୟ ଇତିହାସରେ ଏକ ଅବିସ୍ମରଣୀୟ ଦିନ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ଶତୃପକ୍ଷକୁ ଧରାଶାୟୀ କରି ବିଜୟୀ ହୋଇଥିଲେ । ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗତକାଲି ଦେଶବ୍ୟାପୀ ୨୫ତମ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଇଥିବା ବେଳେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି ।  
 

ତ୍ରିରଙ୍ଗା ଯାତ୍ରା:-
ଆଜି ୧୦୦୦ ମିଟର ଲମ୍ବ ତ୍ରିରଙ୍ଗାକୁ ଧରି ୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ-ଯୁବତୀମାନେ ଭୁବନେଶ୍ୱର ସ୍ଥିତ ବଢ଼େଇବାଙ୍କ ଛକରୁ ମାଷ୍ଟରକ୍ୟାଟିନ୍ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହି ତ୍ରିରଙ୍ଗା ଯାତ୍ରାରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ଉପସଭାପତି ତଥା ଯୁବମୋର୍ଚ୍ଚାର ପ୍ରଭାରୀ ବିରଂଚି ତ୍ରିପାଠୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । 
 

'ଇତିହାସ ସହ ଯୁବପିଢ଼ୀକୁ ପରିଚିତ କରାଇବା ଲକ୍ଷ୍ୟ':

ଏହି ଅବସରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବଢ଼େଇବାଙ୍କଠାରେ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ କାର୍‌ଗିଲ ଦିବସ ଓ ତ୍ରିରଙ୍ଗା ଯାତ୍ରା ପାଳନ କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ, ଆଜିର ନୂତନ ଯୁବପିଢ଼ୀ କାର୍‌ଗିଲ ଯୁଦ୍ଧ ସମ୍ପର୍କରେ ଅବଗତ ନାହାନ୍ତି । ସେହି ଇତିହାସ ସହ ଯୁବପିଢ଼ୀକୁ ପରିଚିତ କରାଇବା ସହ ବଳିଦାନ ଦେଇଥିବା ସୈନିକମାନଙ୍କର ପରିବାରକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି । 

ବାଲେଶ୍ବରରେ ତ୍ରିରଙ୍ଗା ଶୋଭାଯାତ୍ରା:- 

ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ବିଧାନସଭା ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବାଲେଶ୍ୱର ଆସିଛନ୍ତି । ସକାଳେ ସେ ବାଲେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ କୁରୁଡ଼ା ଛକ ଠାରୁ ଏକ ବାଇକ ଶୋଭାଯାତ୍ରାରେ ସ୍ୱାଗତ କରାଯାଇ ରେମୁଣା ନିଆଯାଇଥିଲା। ସେଠାରୁ ସେ ବାଲେଶ୍ୱର ସହରର ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାରଗିଲ ବିଜୟ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ପରେ ଫାଣ୍ଡି ଛକରୁ ପାଣିଟାଙ୍କି ଛକ ଯାଏଁ ଏକ 100 ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । 

'ବିରୋଧୀ ଏବଂ ଶାସକ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବି'

ଏହି ଅବସରରେ ବିଧାୟକ ତଥା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି ଯେ, ସାଧାରଣ ଲୋକଙ୍କ ସରକାର ସବୁବେଳେ ସାଧାରଣ ଲୋକଙ୍କ ପାଇଁ ହିଁ କାମ କରିବ । ବିଧାନ ସଭାରେ ଲୋକଙ୍କ ସମସ୍ୟା ଉଠାଇବା ପାଇଁ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କେମିତି ହେବ ସେ ଦାଇତ୍ୱ ସୁଚାରୁ ରୁପେ ତୁଲାଇବି । ବାଲେଶ୍ଵରର ପ୍ରଗତି ଦିଗରେ ମଧ୍ୟ ନିଶ୍ଚିତ ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ଏହି ଅବସରରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ୫୨୭ ଜଣ ଯବାନଙ୍କ ଉଦ୍ଦେଶ୍ୟରେ ୫୨୭ଟି ବୃକ୍ଷରୋପଣ କରାଯାଇଥିଲା । 

ଏହା ବି ପଢନ୍ତୁ- କାର୍ଗିଲ ବିଜୟଗାଥା, ହିନ୍ଦୁସ୍ତାନ ସେନାର ପରାକ୍ରମରେ ହାରିଲା ପାକିସ୍ତାନ, କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା; 13 ଓଡିଆ ଯବାନଙ୍କ ବଳିଦାନକୁ ଝୁରୁଛି ଓଡିଶା

ଇଟିଭି ଭାରତ, ଭୁବନେଶ୍ବର/ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.