ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ମଙ୍ଗଳ ଆଳତି ବିଳମ୍ବ, ସେବାୟତ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ - rituals break in puri
🎬 Watch Now: Feature Video
Published : Jun 19, 2024, 1:30 PM IST
ପୁରୀ: ପବିତ୍ର ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଖୋଉଥିବାବେଳେ ଏହାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ଘନଘନ ପ୍ରସ୍ତୁତି ବୈଠକ ଜାରି ରଖିଛି ପ୍ରଶାସନ । ମାତ୍ର ମନ୍ଦିର ମଧ୍ୟରେ ସେବାୟତ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ଓ ବିବାଦ କାରଣରୁ ଶୃଙ୍ଖଳାରେ ଶେଷ ହୋଇପାରୁନି ଠାକୁରଙ୍କ ନୀତିକାନ୍ତି । ଗତକାଲି ରାତିରେ ନୀତି ବିଭ୍ରାଟ ଯୋଗୁଁ ଆଜି (ବୁଧବାର) ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇପାରିନି । ସୂଚନା ଅନୁଯାୟୀ ଗତକାଲି ମହାପ୍ରଭୁଙ୍କ ଋକ୍ମିଣୀ ହରଣ ଏକାଦଶୀ ଥିଲା । ଏହି ନୀତିରେ ମହାପ୍ରଭୁଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ଥିଲା । ଏଥିରେ ଦୁଇ ସେବାୟତ ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖାଯାଇଥିଲା ।
ସିଂହାରୀ ଓ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସଠିକ ସମୟରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇ ପାରିନଥିଲା । ଫଳରେ ନୀତିରେ ବିଭ୍ରାଟ ହେବା ସହ ପରବର୍ତ୍ତୀ ନୀତିକାନ୍ତି ମଧ୍ୟ ବିଳମ୍ବ ହୋଇଛି । ଯାହାର ପ୍ରଭାବ ଆଜି ସକାଳୁ ଦେଖିବାକୁ ମିଳିଛି । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇପାରିନାହିଁ । ନୀତି ବିଳମ୍ବିତ ହୋଇଛି । ଭୋର 3ଟା 15ରେ ସଂଧ୍ୟାଧୂପ ପୂଜା ଅନୁଷ୍ଠିତ ହୋଇଛି । ଯାହାକି ଗତକାଲି ରାତି 10ଟା ସୁଦ୍ଧା ଶେଷ ହେବା କଥା । ତେବେ ଏଭଳି ନୀତି ବିଳମ୍ବକୁ ନେଇ ଭକ୍ତ ଓ ସେବାୟତଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେଇଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।
ଇଟିଭି ଭାରତ, ପୁରୀ