ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା, ମହାନବମୀରେ ବାଜିବନି ଘଣ୍ଟ ଘଣ୍ଟା - MAHASTAMI AT SARALA TEMPLE
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 10, 2024, 10:53 PM IST
ଜଗତସିଂହପୁର: ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା' ଶାରଳାଙ୍କ ପୀଠ । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ସକାଳୁ ସକାଳୁ ଦ୍ୱାରଫିଟା ପରେ ମହାସ୍ନାନ, ବେଶ ସହିତ ଷୋଡଶ ଉପଚାର ପୂଜା ପରେ ଯଜ୍ଞ ମଣ୍ଡପରେ ଯଜ୍ଞ ଓ ଚଣ୍ଡୀପାଠ ଅନୁଷ୍ଠିତ ହେଉଛି । ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ କହିଛନ୍ତି, "ପ୍ରତ୍ୟେକ ବର୍ଷ ଷୋଡଶ ଦିନାତ୍ମକ ପୂଜା 18 ଦିନ ପଡୁଛି । ଚଳିତ ବର୍ଷ ମା'ଙ୍କ ନିକଟରେ 17 ଦିନ ପୂଜା ଅନୁଷ୍ଠିତ ହେଉଛି । ମହାଷ୍ଟମୀ ଅବସରରେ ହଜାର ହଜାର ଭକ୍ତ ମା'ଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି ।"
ଏହା ବି ପଢନ୍ତୁ...ମହାସପ୍ତମୀ; କାହିଁକି ନବପତ୍ରିକା ପୂଜା କରାଯାଏ, କ'ଣ ରହିଛି ପରମ୍ପରା ? ଏହା ବି ପଢନ୍ତୁ...ସମ୍ବଲପୁର କାଳୀବାଡ଼ି ଦୁର୍ଗାପୂଜା, ଜାଣନ୍ତୁ ବଙ୍ଗୀୟ ପରମ୍ପରା ପଛର ଇତିହାସ |
ସକାଳର ଅବକାଶ ନୀତି ସମ୍ପନ୍ନ ପରେ ମା’, ମହିଷା ମର୍ଦ୍ଦିନି ବେଶରେ ଦର୍ଶନ ଦେଉଛନ୍ତି । ସନ୍ଧ୍ୟାରେ ଆଳତୀ ବନ୍ଦାପନା ପରେ ମା'ଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ଅର୍ଦ୍ଧରାତ୍ରରେ ମା'ଙ୍କର ସନ୍ଧି ପୂଜା ଅନୁଷ୍ଠିତ ହେବ । ପୂର୍ବରୁ ଶାରଦୀୟ ମହାପାର୍ବଣ ପୂଜାରେ ଶାରଳାଙ୍କ ମନ୍ଦିରରେ ମହିଷ ବଳି ଦିଆଯାଉଥିଲା । ମହାଷ୍ଟମୀର ନିଶାର୍ଦ୍ଧରେ ଏକ ମଇଁଷିକୁ ଅଣାଯାଇ ବଳି ପ୍ରଦାନ କରାଯାଉଥିଲା । ସେହି ମହିଷିର ମସ୍ତକ ଓ ରକ୍ତ ଚଣ୍ଡୀ ଚାମୁଣ୍ଡାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଉଥିଲା । କାଳକ୍ରମେ ଏହି ପରମ୍ପରାକୁ ବନ୍ଦ କରିଦିଆଯାଇଛି । ଏବେ ବଳିର ପ୍ରତି ବଦଳରେ କୁଇଣ୍ଟାଲ କୁଇଣ୍ଟାଲ ସୁସ୍ଵାଦୁ ପିଠା ସହିତ ବିରାଟ କୁଣ୍ଡରେ ପଣା ଭାବେ ଉତ୍ସର୍ଗୀକୃତ କରାଯାଉଛି। "ଅର୍ଦ୍ଧ ରାତ୍ରରେ 16 ଦିନ ଧରି ବ୍ରତ ପାଳନ କରୁଥିବା ବ୍ୟକ୍ତି କଳିକା ବେଶ ହେବା ପରେ ବଡ ପଣ୍ଡାଙ୍କ ଠାରୁ ଖଡଗ ନେଇ କଳିକା ନୃତ୍ୟ ପରିବେଷଣ କରିବେ । ଆସନ୍ତାକାଲି (ଶୁକ୍ରବାର) ପୀଠରେ ସମସ୍ତ ନୀତିକାନ୍ତି ପାଳନ କରାଯିବ। କିନ୍ତୁ ମହାନବମୀରେ ପୀଠରେ ମା' ବିଶ୍ରାମ ନେଉଥିବାରୁ କୌଣସି ବାଦ୍ୟ ଘଣ୍ଟଘଣ୍ଟା କାହାଳୀ ଆଦି ବାଜିବ ନାହିଁ । ଶୁକ୍ରବାର ଦିନ ଅପରାଜିତା ପୂଜା ସାଙ୍ଗକୁ ଶ୍ରାବଣା ନକ୍ଷତ୍ର ଆସୁଥିବାରୁ ଘଟ ବିସର୍ଜନ କରାଯିବ" ବୋଲି ଶାରଳା ସଂସ୍କୃତି ଗବେଷକ କହିଛନ୍ତି।
ଏହା ବି ପଢନ୍ତୁ...କାହିଁକି ହୁଏ ବେଲବରଣୀ ? ଷଷ୍ଠୀ ପୂଜାର ବିଶେଷତ୍ବ ଜାଣନ୍ତୁ ଏହା ବି ପଢନ୍ତୁ...ଫୁଲ ଫଳରେ ମା’ ଦୁର୍ଗା, ବାଲୁକା କଳାରେ ବିଶ୍ବଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ |
ଇଟିଭି ଭାରତ, ଜଗତସିଂହପୁର