ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ତିନି ରଥର ଚାଲିଛି ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ - PURI RATH YATRA 2024

By ETV Bharat Odisha Team

Published : Jun 8, 2024, 9:59 AM IST

thumbnail
ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ତିନି ରଥର ଚାଲିଛି ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ (ETV Bharat Odisha)

Construction work of chariot going on for Puri  Rath Yatra 2024 , ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏବେ ତିନି ରଥର ଶେଷ ତିନି ଚକ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ । ତିନି ରଥର ୩୯ ଗୋଟି ଚକର ଉଭୟ ପାର୍ଶ୍ଵ ପନ୍ଦାରିରେ ଦୁଇଟି ଲେଖାଏଁ ପନ୍ଦାରି ଚାବି ବା ପନ୍ଦାରି ଯୋକିଆ କରାଯାଇଛି । ତିନି ରଥର ବାକି ରହିଥିବା ଗୋଟିଏ ଗୋଟିଏ ଚକର ଅଖ ବିନ୍ଧ ତୁଲିଆ କାର୍ଯ୍ୟ ସହ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓଝା ସେବକମାନେ ତିନି ରଥର ଶେଷ ହୋଇଥିବା ୩୯ ଗୋଟି ଚକ ଉଭୟ ପାର୍ଶ୍ଵ ପନ୍ଦାରିରେ ଦୁଇଟି ଲେଖାଏଁ ଜୋକିଆ କଣ୍ଟା ବା ପନ୍ଦାରି ଚାବି ବାଡିଆ ଶେଷ କରିଛନ୍ତି  । ତିନି ରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଏବଂ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ ଗୋଟି ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ ପାଇଁ ମାପ ଚିହ୍ନ ପଡ଼ିଛି ।
 

ଏଥିସହ ତିନିରଥ ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଜାରି ରହିଛି । ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଗରଗରା ଏବଂ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । କରତୀ ସେବକମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ୪୦ ଫୁଟିଆ ପୋଲ ଗୟଳ କାଠର ଗୋଟିଏ ପାର୍ଶ୍ଵ ବାରିସୀରେ ଚାଞ୍ଛି ସମତଳ କରିଛନ୍ତି  । ଅନ୍ୟ ପାର୍ଶ୍ଵ ସମତଳ କାର୍ଯ୍ୟ ଶେଷ ପରେ ଚିରଟ କାର୍ଯ୍ୟ ଆରମ୍ଭ ହେବ। ରୂପକାର ସେବକମାନେ ତିନି ରଥର କୋଣ ଗୁଜରେ ରୂପ ଖୋଦେଇ ଜାରି ରଖିବା ସହ ପଲିସ କାର୍ଯ୍ୟ ଜାରି ରହିଛି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଦଣ୍ଡା କଣ୍ଟା, ଗରାଗରା କଣ୍ଟା ଶେଷ କଲାପରେ ଗୟଳ କଣ୍ଟା ଏବଂ ଭୂଇଁ କଣ୍ଟା ଏବଂ ଚାର ପରିଛା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଭୋଇ ସେବକମାନେ ଯନ୍ତା ଗାଡ଼ କାର୍ଯ୍ୟ ଶେଷ ହୋଇଥିବାରୁ ଏଥିରେ ମାଟି ପକାଇ ଯନ୍ତାଗାଡ ବନ୍ଦ କରିଛନ୍ତି ।

 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.