thumbnail

By ETV Bharat Odisha Team

Published : Jun 25, 2024, 7:42 PM IST

ETV Bharat / Videos

ପାଖେଇ ଆସୁଛି କାଳିଆର ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରଥ ନିର୍ମାଣରେ ବ୍ୟସ୍ତ ସେବକ - Ratha Yatra 202

Chariot Construction Work: ପୁରୀ: ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଗତକାଲି ପୋଟଳ ପଟା ନ ଥିବାରୁ କାମ ଧିମେଇ ଯାଇଥିଲା । ତେବେ ଏହି ସମସ୍ୟା ଦୂର ପରେ କାମ ଆଗେଇ ଚାଲିଛି । ଗତକାଲି 3 ରଥରେ ଚାରି ନାହାକା ଚାରି ପଟେ ଚଉଦ ନାହାକା ବୁଲିବା ସହ 3 ରଥ ପ୍ରଥମ ଭୂଇଁ ଛ'କାଠିରେ ପାଖୁଡ଼ା ଲାଗି ହୋଇ ଦ୍ୱିତୀୟ ଭୂଇଁ ଟୁଙ୍ଗୁରା ବା ସଂଯୋଗ ଶେଷ ହୋଇଥିଲା । ବିଶ୍ୱକର୍ମା ସେବକ ଏବଂ ଭୋଇ ସେବକମାନଙ୍କ ସହଯୋଗରେ 3 ରଥର ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ ଶେଷ ହୋଇଛି । ଏଥିସହ ରଥର ଆଗ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ିବାପରେ ସେଥିରେ କଣ୍ଟା ବଢିଆ ଶେଷ ହୋଇଛି । 


3 ରଥର କଇଞ୍ଚି ନିର୍ମାଣ ପାଇଁ ରଥ ଅମୀନ 3 ରଥ ଚାଳିକୁ ତିନୋଟି ଲେଖାଏଁ ୨୦ ଫୁଟିଆ କାଠ ଫାଳୀ ଭୋଇ ସେବକଙ୍କ ମାଧ୍ୟାମରେ ଯୋଗାଇ ଦେଇଛନ୍ତି । ସେଥିରେ ମହାରଣା ସେବକମାନେ ମାପ ପ୍ରକାରେରେ ମୂଳ ଭୂଇଁ ଏବଂ ମଝି ଭୂଇଁକୁ ମଜଭୁତ କରିବା ପାଇଁ କଇଞ୍ଚି ନିର୍ମାଣ ଜାରି ରଖିଛନ୍ତି । ଏଥିସହ 3 ରଥର ମହାରଣା ସେବକମାନେ 4ଟି ଲେଖାଏଁ ଧ୍ଵଜବତା ନିର୍ମାଣ ଜାରି ରଖିଛନ୍ତି । ରଥର କନକ ପେଣ୍ଡି ଏବଂ କନକ ମୁଣ୍ଡି ନିର୍ମାଣ ମହାରଣା ସେବକମାନେ ଜାରି ରଖିଛନ୍ତି । ରଥର ବଡଥଳ ବା ବଡ ଧାରା ପୋଟଳ ନିର୍ମାଣ ଆରମ୍ଭ ହୋଇଛି । ଏହି ବଡଧାରା ପୋଟଳ ଅଗ ଭୂଇଁ ବା ତୃତୀୟ ଭୂଇଁ ଉପର ପୋଟଳ ଖମ୍ବିରେ ସେଟ୍ କରାଯିବ ।  

ଏହା ମଧ୍ୟ ପଢ଼ନ୍ତୁ...ପାଖେଇ ଆସୁଛି ରଥ ଯାତ୍ରା; ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - RathaKhala Halchal

ରୂପକାର ସେବକମାନେ ତିନି ରଥର ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ରଥର ଗୋଟିଏ ଗୋଟିଏ ଚାର ପରିଛାରେ ଚିତ୍ର ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତେର ପରସ୍ଥ ପୋଟଳ ଚାରିପାର୍ଶ୍ୱରେରେ ବସିବା ପାଇଁ ୪ ଫୁଟର ପୋଟଳ କଣ୍ଟା, କଳସ ଏବଂ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ ରଥ ଚକ, ଦଣ୍ଡା ଏବଂ ଗୁଜ ଗୁଡିକରେ ଧଳା ପ୍ରାଇମାର ଦେଇ ରଙ୍ଗ କାର୍ଯ୍ୟ କରିବା ସହ ପାର୍ଶ୍ଵ ଦେବଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.