ପୁରୀ ପୋଲିସକୁ ନାହିଁ ଅପରାଧିଙ୍କ ଭୟ, ହୋମଗାର୍ଡଙ୍କ ଉପସ୍ଥିତିରେ ଫୁଟିଲା ବୋମା - Puri Bomb Hurled

By ETV Bharat Odisha Team

Published : Apr 6, 2024, 9:45 AM IST

thumbnail

Bomb Hurled in Puri: ପୁରୀ: ପୁଣି ଫୁଟିଲା ବୋମା । ଗତ ଦୁଇ ତଳେ ଏକ ବୋମାମାଡ ଓ ହତ୍ୟାକାଣ୍ଡ ଘଟଣା ଘଟିଥିବା ବେଳେ ପୁଣି ପୁରୀରେ ବୋମା ଫୁଟିଛି । ହୋମଗାର୍ଡଙ୍କ ଉପସ୍ଥିତିରେ ବୋମାମାଡ ହୋଇଛି । ବାସେଳୀ ସାହି ଥାନା ଅନ୍ତର୍ଗତ ବାରବାଟି ଜାଗା କଲ୍ୟାଣ ମଣ୍ଡପ ନିକଟରେ ବୋମା ଫୁଟିଥିବା ବେଳେ ପାର୍କିଂରେ ଗାଡ଼ି ରଖୁଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି । ରାସ୍ତା ଉପରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ଫଳରେ ଭୟଭୀତ ହୋଇ ପଡିଛନ୍ତି ଯାତ୍ରୀମାନେ । ତେବେ ବୋମାମାଡରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ବାସେଳି ସାହି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । 

ରାସ୍ତା ଉପରେ ଗୋଟିଏ ବୋମା ଫୁଟିଥିବା ବେଳେ ଆଉ ଏକ ଅଫୁଟା ବୋମା ପୋଲିସ ଜବତ କରିଛି । ଗତକାଲି(ଶୁକ୍ରବାର) ପ୍ରାୟ ଦିନ ସାଢେ ୧୨ଟା ବେଳେ ଜଣେ ବ୍ୟକ୍ତି ଦୁଇଟି ବୋମା ସାଙ୍ଗରେ ନେଇ ଯାଉଥିଲେ । ତେବେ ସେ ଚାଲି ଚାଲି ଯାଉଥିବା ସମୟରେ ଗୋଟିଏ ବୋମା ରାସ୍ତାରେ ଫୁଟିଥିବା ବେଳେ ଆଉ ଗୋଟିଏ ବୋମା ତଳେ ପଡ଼ିଥିଲେ ମଧ୍ୟ ଫୁଟି ନଥିଲା । କୌଣସି ଅପରାଧ ଘଟାଇବା ପାଇଁ ଉକ୍ତ ବ୍ୟକ୍ତି ସାଙ୍ଗରେ ବୋମା ନେଇ ଯାଉଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେପଟେ ଗତ ମଙ୍ଗଳବାର ପୁରୀରେ ଜଣେ ହୋଟେଲ କର୍ମଚାରୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା, ତା ସାଙ୍ଗକୁ ବୁଧବାର ଜଣେ ଆଇନଜୀବୀଙ୍କ ଉପରକୁ ବୋମାମାଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଗତକାଲି ବାରବାଟି ଜାଗା କଲ୍ୟାଣ ମଣ୍ଡପ ନିକଟରେ ଏଭଳି ବୋମା ଫୁଟିବା ଘଟଣାକୁ ନେଇ ସହରରେ ଭୟର ବାତାବରଣ ଖେଳି ଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୋଲିସ ତୁରନ୍ତ ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ପୁରୀ ସହରବାସୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହାଟରେ ଫୁଟିଲା ବୋମା, ଗୋରୁ ବେପାରୀଙ୍କଠୁ ୧୪ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଲୁଟେରା

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.