thumbnail

By ETV Bharat Odisha Team

Published : May 28, 2024, 10:45 PM IST

ETV Bharat / Videos

ନିଆଳିରେ ନିର୍ବାଚନୀ ହିଂସା; ପ୍ରଚାର ଗାଡି ଡ୍ରାଇଭର, ସରପଞ୍ଚ ଓ ସମିତିସଭ୍ୟାଙ୍କୁ ମାଡ଼ ଅଭିଯୋଗ - Election violence in Niali

Election violence in Niali: ନିଆଳି: କଟକ ଜିଲ୍ଲା ନିଆଳିରେ ପ୍ରଥମ ନିର୍ବାଚନ ହିଂସା । ପ୍ରଚାର ଗାଡ଼ି ଡ୍ରାଇଭର୍, ସରପଞ୍ଚ ଓ ସମିତିସଭ୍ୟାଙ୍କୁ ମାଡ଼ ଅଭିଯୋଗ । ପ୍ରଚାରକୁ ନେଇ କଟକ ଜିଲ୍ଲା ନିଆଳି ଥାନା କପାସି ପଞ୍ଚାୟତରେ ପ୍ରଥମ ନିର୍ବାଚନ ହିଂସାକାଣ୍ଡ ଘଟିଛି । ଏନେଇ ନିଆଳି ଥାନାର ଦ୍ବାରସ୍ଥ ହୋଇଛନ୍ତି ଗାଡି ଡ୍ରାଇଭର, ସରପଞ୍ଚ ଏବଂ ସମିତିସଭ୍ୟା । ଅଭିଯୋଗ ଅନୁସାରେ କଟକ ଜିଲ୍ଲା ନିଆଳି ଥାନା କପାସି ପଞ୍ଚାୟତରେ ବିଜେପି ପ୍ରଚାର ଗାଡି ପ୍ରଚାର କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ପ୍ରଚାର ଗାଡିକୁ ଅଟକାଇବା ସହିତ ଗାଡି ଡ୍ରାଇଭରଙ୍କୁ ମାଡ ମାରିଥିବା ନେଇ ନିଜେ ଡ୍ରାଇଭର ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକରେ ନିର୍ବାଚନୀ ହିଂସା ! ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଗାଡି ଡ୍ରାଇଭର ହିମାଂଶୁ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ପ୍ରଚାର ସମୟର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକେ ପ୍ରଚାର ବନ୍ଦ କରିବା ପାଇଁ ବାଧ୍ୟ କରିଥିଲେ, ନକରିବାରୁ ମାଡ ମାରିଥିଲେ । ସେହିପରି କପାସି ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ନାୟକ କହିଛନ୍ତି, "ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କ ପାଇଁ ଘର ଘର ବୁଲି ପ୍ରଚାର କରୁଥିବା ସମୟରେ କିଛି ବ୍ୟକ୍ତି ଠେଙ୍ଗା ବାଡ଼ି ଧରି ପୁସିଙ୍ଗ୍‌ କାର୍ଡ ଛଡାଇବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ, ମୋତେ ଏବଂ ସମିତିସଭ୍ୟାଙ୍କୁ ମାଡ଼ ମାରିଥିଲେ । ବିଜେପିର ଶକ୍ତି ବୃଦ୍ଧି ହେଉଛି ବୋଲି ସେମାନଙ୍କ ମୁଣ୍ଡ କାମ କରୁନି । ଭୋକ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କଲେଣି । ଆମେ ଲୋକ ପ୍ରତିନିଧି ହୋଇ ଯଦି ନିଜକୁ ନିରାପଦ ମଣୁନାହୁଁ, କପାସିରେ ସାଧାରଣ ଲୋକେ ନିହାତି ଭାବେ ଅସୁରକ୍ଷିତ । ସେଥିପାଇଁ ନିଆଳି ଥାନାର ଦ୍ବାରସ୍ଥ ହୋଇଛି ।" ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ସରପଞ୍ଚ । ସେହିପରି କପାସି ପଞ୍ଚାୟତ ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ଲେଙ୍କାଙ୍କର ମଧ୍ୟ ସମାନ ଅଭିଯୋଗ ରହିଛି । ଏଥିପାଇଁ ନିଆଳି ଥାନାର ଦ୍ବାରସ୍ଥ ହୋଇଛନ୍ତି ବିଜେପି ସମର୍ଥକଙ୍କ ସହ ସରପଞ୍ଚ ଏବଂ ସମିତିସଭ୍ୟା । ଏନେଇ ପୋଲିସ ଏବଂ ପ୍ରତିପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.