ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଏକାଠି ବିଜୁ ଜୟନ୍ତୀ ପାଳିଲେ ବିଧାୟକ ଓ ବିରୋଧୀ
🎬 Watch Now: Feature Video
Published : Mar 6, 2024, 7:33 AM IST
Birth Anniversary of Biju Pattnaik:ଜଗତସିଂହପୁର: ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳରେ ଲାଗି ରହିଛି ଗୋଷ୍ଠୀ ବିବାଦ । ଏହାରି ମଧ୍ୟରେ ଗତକାଲି(ମଙ୍ଗଳବାର) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଏକାଠି ପାଳନ କରିଛନ୍ତି ବିଧାୟକ ଓ ତାଙ୍କ ବିରୋଧୀ । ଉଭୟ ଦଳକୁ ଗୋଟିଏ ମଞ୍ଚରେ ଏକାଠି ବସିଥିବା ଦେଖିବାକୁ ମିଳିଥିଲା। ତେବେ ଗତ କିଛିଦିନ ତଳେ ଏରସମା ବ୍ଲକ ସଭାପତି ତଥା 3ନମ୍ବର ଜୋନର ଜିଲ୍ଲା ପରିଷଦ ପୀତବାସ ଗୋଚ୍ଛାୟତ ଏକ କର୍ମୀ ସମ୍ମିଳନୀ ଡାକି ବାଲିକୁଦା-ଏରସମା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କହିଥିଲେ । କିନ୍ତୁ ଗତକାଲି ବିଜୁ ଜୟନ୍ତୀ ଅବସରରେ ବିଧାୟକ ଓ ତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ତେବେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ବ୍ଲକ ସଭାପତି କହିଥିଲେ ଯେ, ବିଧାୟକଙ୍କ ପ୍ରତି ଯେଉଁ ଅସନ୍ତୋଷ ରହିଥିଲା ତାହା ସମାଧାନ ହୋଇଛି । ଆଗାମୀ ସାଧାରଣ ନିର୍ବାଚନରେ ଦଳ ଯାହାକୁ ପ୍ରାର୍ଥୀ କରିବ ଦଳର କର୍ମୀମାନେ ତାଙ୍କୁ ଗ୍ରହଣ କରି ବୋଲି କହିଥିଲେ ।
ବିଜୁ ଜୟନ୍ତୀ ପାଳନକୁ ନେଇ ପରୋକ୍ଷ ଭାବରେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଶକ୍ତି ପଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏରସମା ଥାନା ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମିନ କେତନ ଅମାତ,ଏରସମା ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ସଭାପତି ଲଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ମନାଇବାରେ ବିଧାୟକ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଦଳ ଭିତରେ ଥିବା ବିବାଦକୁ ପ୍ରଶମିତ କରିବା ପାଇଁ ବିଧାୟକ କେତେକାଂଶରେ ସଫଳ ହୋଇଥିବା ଜଣା ପଡ଼ିଛି ।
ଏହା ମଧ୍ୟ ପଢନ୍ତୁ- ବ୍ରହ୍ମପୁରରେ ପାଳନ ହେଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ
ଇଟିଭି ଭାରତ, ଜଗତସିଂହପୁର