ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପୁଣି ଥରେ ସ୍ପେଡେକ୍ସ ଡକିଂକୁ ଘୁଞ୍ଚାଇଛି । ଆଜି ସକାଳ 8ଟାରେ ଏହି ପ୍ରକ୍ରିୟା ମହାକାଶରେ ଆରମ୍ଭ ହୋଇଥାନ୍ତା । ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଇସ୍ରୋ ଘୁଞ୍ଚାଇଛି । ଯୋଜନାବଦ୍ଧ ସାଟେଲାଇଟ୍ ମନିଭର୍ରେ ପରିବର୍ତ୍ତନ ହୋଇଥିବା ଯୋଗୁଁ ଡକିଂ ପ୍ରକ୍ରିୟାକୁ ସଂସ୍ଥା ସ୍ଥଗିତ ରଖିଛି ବୋଲି X ସାଇଟ୍ରେ ପୋଷ୍ଟ କରି ସୂଚନା ଦେଇଛି । ଏହି ପ୍ରକ୍ରିୟା ପ୍ରଥମେ ଜାନୁଆରୀ 7ତାରିଖରେ ହେବାର ଥିଲା । ପରେ ଏହା ଜାନୁଆରୀ 9 ତାରିଖରେ ହେବ ବୋଲି ସଂସ୍ଥା ସୂଚନା ଦେଇଥିଲା ।
ଇସ୍ରୋ SpaDeX ମିଶନ ଜରିଆରେ ଦୁଇଟି ସ୍ପେଶକ୍ରାଫ୍ଟ SDX01 ଓ SDXO2କୁ ମହାକାଶକୁ ଉତକ୍ଷେପଣ କରିଛି । ଡିସେମ୍ବର 30 ତାରିଖ ରାତି ପ୍ରାୟ 10ଟା ବାଜି 15 ସେକେଣ୍ଡରେ ଏହାକୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରକୁ ଲଞ୍ଚ କରାଯାଇଥିଲା । ଏହି ମିଶନ ମାଧ୍ୟମରେ ମହାକାଶରେ ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରିବ ଇସ୍ରୋ । କହି ରଖୁଛୁ କି, 'ଡକିଂ'ର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣକୁ 'ଅନଡକିଂ' କୁହାଯାଏ ।
While making a maneuver to reach 225 m between satellites the drift was found to be more than expected, post non-visibility period.
— ISRO (@isro) January 8, 2025
The planned docking for tomorrow is postponed. Satellites are safe.
Stay tuned for updates.#ISRO #SPADEX
କାହିଁକି ପୁଣି ଥରେ ଘୁଞ୍ଚିଲା ତାରିଖ ?
ଇସ୍ରୋର କହିବାନୁସାରେ, ଯେତେବେଳେ ପ୍ରଥମ ସାଟେଲାଇଟ୍କୁ ଦ୍ବିତୀୟ ସାଟେଲାଇଟ୍ ନିକଟକୁ ଆଣିବା ଲାଗି ଆଜି ଉଦ୍ୟମ କରାଯାଇଥିଲା । ପ୍ରଥମ ସାଟେଲାଇଟ୍କୁ 500ମିଟର ଦୂରରୁ 225 ମିଟର ଦୂରତ୍ବକୁ ଅଣାଯାଉଥଲା । ମନିଭର୍ ସମୟରେ ସାଟେଲାଇଟ୍ ଆଶା କରାଯାଉଥିବା ସ୍ଥାନରୁ ଅଧିକ ନିକଟକୁ ଚାଲିଆସିଥିଲା । ଏଥିଲାଗି ଏହି ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାୟାଇଛି । ଉଭୟ ସାଟେଲାଇଟ୍ ଏବେ ସୁରକ୍ଷିତ ଅଛି ବୋଲି ଇସ୍ରୋ ସୂଚନା ଦେଇଛି । ତେବେ ଜାନୁଆରୀ 7 ତାରିଖରେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ପ୍ରି-ଲଞ୍ଚିଂ ବେଳେ କିଛି ସମସ୍ୟା ଯୋଗୁଁ ଡକିଂ ପ୍ରକ୍ରିୟାକୁ ଇସ୍ରୋ ସ୍ଥଗିତ ରଖିଥାଇପାରେ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଥିଲେ । ଆଜି ପୁଣି ଡକିଂ ପ୍ରକ୍ରିୟା ସ୍ଥଗିତ ରହିଛି ।
As we eagerly await the docking, watch this short video to learn more about the groundbreaking SpaDeX mission. Stay tuned for updates!
— ISRO (@isro) January 1, 2025
🚀✨ #SpaDeX #ISRO pic.twitter.com/MAEMar37Q7
ଏହି ମିଶନ ସଫଳ ହେଲେ କଣ ହେବ ?
ସୂଚନା ଥାଉ କି ‘ସ୍ପେଡେକ୍ସ ମିଶନ’ ସଫଳ ହେଲେ ଇସ୍ରୋକୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବା ସହ ମହାକାଶରେ 'ଡକିଂ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ । ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-4 ମିଶନକୁ ମଧ୍ୟ ଏଥିରୁ ବହୁ ଫାଇଦା ମିଳିବ । ଏହାସହ ମହାକାଶରେ ଇସ୍ରୋ ବହୁ କାମ କରିବାରେ ସଫଳ ହେବ ଉଦାହରଣ ସ୍ବରୂପ, ମହାକାଶରେ ସାଟେଲାଇଟର ମରାମତି କରିବା, ଇନ୍ଧନ ଭରିବା ଓ ଅଦରକାରୀ ପଦାର୍ଥ ହଟାଇବା ଇସ୍ରୋ ପାଇଁ ସହଜ ହେବ ।