ହାଇଦ୍ରାବାଦ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ତଥ୍ୟ ଅନୁସାରେ ଦେଶରେ ଆର୍ଥିକ ଠକେଇ ବୃଦ୍ଧି ପାଉଛି । ଲୋକଙ୍କୁ ଏଥିପ୍ରତି ସଚେତନ କରାଯାଉଥିଲେ ସୁଦ୍ଧା ଠକମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଫଳରେ ସେମାନଙ୍କ ଟ୍ରିକରେ ଫସିଯାଉଛନ୍ତି ନିରୀହ ଜନତା । ଏପରି ଭାବେ ଲୋକେ ନିଜର କଷ୍ଟ ଅର୍ଜିତ ଧନକୁ ହରାଉଛନ୍ତି । ବିଶେଷ କରି ୱାନ-ଟାଇମ ପାସୱର୍ଡ (OTP) ମାଧ୍ୟମରେ ଅଧିକାଂଶ ଠକେଇ ହେଉଥିବା ଦେଖିବାକୁ ମିଳୁଛି ।
ସାଇବର ଠକଙ୍କ ଏପରି ଠକେଇର ଶିକାର ଯେପରି ସାଧାରଣ ଜନତା ନ ହୁଅନ୍ତି, ସେଥିଲାଗି ଭାରତ ସରକାରଙ୍କ ସାଇବର ଏଜେନ୍ସି ସର୍ଟ-ଇନ କିଛି ସେଫ୍ଟି ଟିପ୍ସ ମୋବାଇଲ ୟୁଜର୍ସଙ୍କ ଲାଗି ସେୟାର କରିଛି । ଏହାକୁ ଅନୁସରଣ କରିବା ଲାଗି ଏଜେନ୍ସି ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି ।
Safety tip of the day: Beware of OTP frauds.#indiancert #cyberswachhtakendra #staysafeonline #cybersecurity #besafe #staysafe #mygov #Meity #onlinefraud #cybercrime #scamming #cyberalert #CSK #CyberSecurityAwareness pic.twitter.com/sXFbs3YPhY
— CERT-In (@IndianCERT) September 13, 2024
OTP ଠକେଇ କଣ ?
ଠକମାନେ ବିଭିନ୍ନ ପ୍ରକାର କଥା କହି କୌଶଳକ୍ରମେ ଲୋକଙ୍କଠାରୁ OTP ନେଇଯାଉଛନ୍ତି । ଏହାପରେ ସେମାନେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ, ଡିଜଟାଲ ୱଲେଟ୍ ଓ ଅନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ କରିନେଉଛନ୍ତି । ମୋବାଇଲକୁ ଆସୁଥିବା ଓଟିପି ହାତେଇବା ଲାଗି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ କହୁଛନ୍ତି ତ କେତେବେଳେ ପୋଲିସ ଆଦିର ପରିଚୟ ଦେଉଛନ୍ତି । ନିରୀହ ଜନତାଙ୍କୁ ନିଜ ଜାଲରେ ଫସାଇବା ଲାଗି ଏଭଳି ବାଟ ବାଛୁଛନ୍ତି ଠକ ଗୋଷ୍ଠୀ ।
କେମିତି ହେଉଛି ଠକେଇ ?
ଠକମାନେ ସାଧାରଣତଃ ଲୋକଙ୍କ ଇ-ମେଲ ବା ମୋବାଇଲକୁ ମେସେଜ ପଠାଉଛନ୍ତି । ଉକ୍ତ ମେସେଜରେ ଏକ ନକଲି ୱେବସାଇଟ ଓ ଲିଙ୍କ ପଠାଉଛନ୍ତି । ଅସାବଧାନତା ବଶତଃ ଯଦି ଜଣେ ବ୍ୟକ୍ତି ଉକ୍ତ ଲିଙ୍କ ଉପରେ କ୍ଲିକ କରୁଛି ବା ନିଜର ବ୍ୟକ୍ତିଗତ ତଥ୍ୟ ଓ OTP ଦେଉଛି, ଏହାଦ୍ବାରା ଠକମାନେ ଉକ୍ତ ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟ ଚଳୁ କରୁଛନ୍ତି । ବେଳେ ବେଳେ ଠକମାନେ ନିଜକୁ କଷ୍ଟମର ସର୍ଭିସ କର୍ମଚାରୀ କହି ଲୋକଙ୍କଠାରୁ OTP ସଂଗ୍ରହ କରିନେଉଛନ୍ତି ।
କଣ କହୁଛନ୍ତି ସରକାର ? : ଏଭଳି ଅନଲାଇନ ଠକେଇରୁ ବର୍ତ୍ତିବା ଲାଗି ସରକାରୀ ଏଜେନ୍ସି ପକ୍ଷରୁ କିଛି ସେଫ୍ଟି ଟିପ୍ସ ସେୟାର କରାଯାଇଛି ଏବଂ OTP ଫ୍ରଡରୁ ବର୍ତ୍ତିବା ଲାଗି ସତର୍କ କରାଯାଇଛି ।
- କୌଣସି ବ୍ୟାଙ୍କ ବା ଅଧିକୃତ କମ୍ପାନୀର ଟୋଲ-ଫ୍ରି ନମ୍ବର ପରି ଦିଶୁଥିବା ଅଜଣା କଲ୍ ପ୍ରତି ସାବଧାନ ରହିବା ଆବଶ୍ୟକ ।
- ଫୋନ କିମ୍ବା ଅନଲାଇନ ଯୋଗେ ନିଜ Credit/Debit Card ତଥ୍ୟ, ସିଭିଭି, ଓଟିପି, ଆକାଉଣ୍ଟ ନମ୍ବର, ଜନ୍ମ ତାରିଖ, ଡେବିଟ ଓ କ୍ରେଡିଟ କାର୍ଡର ଏକ୍ସପାରୀ ଡେଟ୍ ଆଦି ସେୟାର କରନ୍ତୁ ନାହିଁ ।
- ସନ୍ଦେହ ହେଲେ ସବୁବେଳେ ବ୍ୟାଙ୍କ ବା କୌଣସି ଅଧିକୃତ କମ୍ପାନୀର ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ ।
- କ୍ୟାସବ୍ୟାକ୍ ବା ରିୱାର୍ଡ ନାଁ ଶୁଣି ଫୋନ କଲ୍, ଇମେଲ ବା SMS ମାଧ୍ୟମରେ OTP ସେୟାର କରନ୍ତୁ ନାହିଁ ।