ହାଇଦ୍ରାବାଦ: କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଦେଶରେ ଇଲେକ୍ଟ୍ରିକ ସ୍କୁଟର ବିକ୍ରିକୁ ପ୍ରୋତ୍ସାହିତ କରୁଛନ୍ତି । ଏଥିଲାଗି ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ମଧ୍ୟ ହାତକୁ ନିଆଯାଇଛି । ଯେଉଁଥିରେ ସବୁଠୁ ପରିଚିତ ହେଉଛି ଫେମ-II ଯୋଜନା । କିନ୍ତୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଇଲେକ୍ଟ୍ରିକ ମୋବିଲିଟି ପ୍ରମୋସନ ପାଇଁ ଆଉ ଏକ ନୂଆ ଯୋଜନା ଆରମ୍ଭ କରାଯାଇଥିଲା । ଯାହାର ନାମ ରଖାଯାଇଥିଲା ଇଲେକ୍ଟ୍ରିକ ମୋବିଲିଟି ପ୍ରମୋସନ ସ୍କିମ (EMPS) ।

ଏହି ଯୋଜନା ଅଧିନରେ କିଛି ନିର୍ଦ୍ଦିଷ୍ଟ ଇଲେକ୍ଟ୍ରିକ ସ୍କୁଟର ଉପରେ ଏହାର ଏକ୍ସ-ଶୋରୁମ ଦାମ ଉପରେ 10ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଥିଲା । ଏହି ସବସିଡି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିଲା । କିନ୍ତୁ ଏହି ଯୋଜନା ସରକାରଙ୍କ ପକ୍ଷରୁ କେବଳ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଯାହାର ଅବଧି ଆସନ୍ତା ମାସ ଶେଷ ହେବାକୁ ଯାଉଛି ।

ଧ୍ୟାନ ଦେବା କଥା ହେଉଛି, ଏହି ଯୋଜନାର ଅବଧିକୁ ବୃଦ୍ଧି କରିବା ଲାଗି ସରକାରଙ୍କ ପକ୍ଷରୁ ସେପରି କୌଣସି ସୂଚନା ଦିଆଯାଇନାହିଁ । ଏଣୁ ଯଦି ଆପଣ କୌଣସି ଇଲେକ୍ଟ୍ରିକ ଟୁ-ହ୍ବିଲର ଗାଡ଼ି କିଣିବାକୁ ଆଗ୍ରହ ରଖିଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଉପଯୁକ୍ତ ସମୟ ହେବ । କାରଣ ଆପଣ ସରକାରଙ୍କ ଯୋଜନା ଅନୁଯାୟୀ ଇଲେକ୍ଟ୍ରିକ ସ୍କୁଟରରେ ଅତିରିକ୍ତ ରିହାତିର ଲାଭ ଉଠାଇପାରିବେ ।

କେଉଁ ସ୍କୁଟର ଉପରେ ମିଳିବ ରିହାତି ?
ଭାରତ ବଜାରରେ ବିକ୍ରି ହେଉଥିବା କିଛି ନିର୍ଦ୍ଦିଷ୍ଟ ପ୍ରିମିୟମ ସ୍କୁଟର ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିହାତି ପ୍ରଦାନ କରାଯାଉଛି । ଇଲେକ୍ଟ୍ରିକ ମୋବିଲିଟି ପ୍ରମୋସନ ସ୍କିମ ଅଧିନରେ ସରକାର ଏହି ଡିସକାଉଣ୍ଟ ଗ୍ରାହକମାନଙ୍କୁ ପ୍ରଦାନ କରୁଛନ୍ତି । ଉକ୍ତ ସ୍କୁଟର ଗୁଡ଼ିକ ହେଉଛି Ather 450X, Ather Rizta, Ola S1 Pro, TVS iQube, Bajaj Chetak ଓ Vida V1 Pro ସାମିଲ ।
ଏହା ବି ପଢନ୍ତୁ- ବିଶ୍ବ ବଜାରରେ ଲଞ୍ଚ ହେଲା MG ZSର ନୂଆ ମଡେଲ୍, ଜାଣନ୍ତୁ ଭାରତରେ କେବେ ହେବ ଲଞ୍ଚ
ସୂଚନା ଥାଉ କି କେନ୍ଦ୍ର ସରକାରଙ୍କ ଦ୍ବାରା EMPS ଅଧିନରେ, ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ଉପରେ 778 କୋଟି ଟଙ୍କା ବଜେଟରେ ଆବଣ୍ଟନ କରାଯାଇଥିଲା । ଏଥିରେ 5,00,080 ଇଭି ସାମିଲ ଥିଲା, ଯିଏକି ସବସିଡିର ଲାଭ ଉଠାଇପାରିବେ । ଏବେ ଦେଖିବାକୁ ବାକି ରହିଲା, ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏହି ରିହାତିର ଅବଧି ଆଗକୁ ବୃଦ୍ଧି କରାଯାଉଛି କି ନାହିଁ । କିନ୍ତୁ ଆପଣ ଏହାକୁ ଆଦୌ ଅପେକ୍ଷା କରନ୍ତୁ ନାହିଁ । ସେପ୍ଟେମ୍ବର ମଧ୍ୟରେ ଯଦି ଦୁଇ ଚକିଆ ଯାନ କିଣିବାକୁ ଆଗ୍ରହ ରଖିଛନ୍ତି, ତେବେ ଇଲେକ୍ଟ୍ରିକ ସ୍କୁଟର କିଣି ସରକାରୀ ଫାଇଦାର ଲାଭ ଉଠାନ୍ତୁ ।