ଭବାନୀପାଟଣା: "ଆମ ଓଡ଼ିଶା, ନବୀନ ଓଡ଼ିଶା" କାର୍ଯ୍ୟକ୍ରମରେ ହଙ୍ଗାମା । ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କରାଯାଉଥିବା କହି ପ୍ରତିବାଦ କରିବା ସହ ଚେୟାର, ଟେବୁଲ୍ ଭଙ୍ଗାରୁଜା ଓ ବ୍ୟାନର ଚିରିଲେ ଗ୍ରାମର ଯୁବଗୋଷ୍ଠୀ । କାର୍ଯ୍ୟକ୍ରମ ଅଧାରୁ ଛାଡ଼ି ଛତ୍ରଭଙ୍ଗ ଦେଲେ ଦଳୀୟ କର୍ମୀ ଓ ବ୍ଲକ୍ ପ୍ରଶାସନ । ତେବେ ଏଭଳି ଅପ୍ରିତିକର ସ୍ଥିତି ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିରିକୋଟ ପଞ୍ଚାୟତରେ ଆୟୋଜିତ "ଆମ ଓଡ଼ିଶା ନବୀନ ଓଡ଼ିଶା" ର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ । ଏଥିରେ ଯୋଗ ଦେଇଥିବା ଅତିଥିମାନେ ସରକାରଙ୍କ ବିକାଶମୂଳକ ଯୋଜନାମାନ ସମ୍ପର୍କରେ କହୁଥିବା ବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମର କିଛି ଯୁବଗୋଷ୍ଠୀ ।
ସୂଚନା ଅନୁଯାୟୀ, ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିରିକୋଟ ପଞ୍ଚାୟତ ରେ ଆୟୋଜିତ "ଆମ ଓଡ଼ିଶା ନବୀନ ଓଡ଼ିଶା" ର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ବିରିକୋଟ ସରପଞ୍ଚ ଜୟନ୍ତୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ ଓ ମୁଖ୍ୟ ବକ୍ତା ଭାବେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧୃବଚରଣ ମୁଦୁଲି, ସମ୍ମାନିତ ଅତିଥି ଭାବରେ ବ୍ଳକ ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ବିରିକୋଟ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 5T ଜରିଆରେ କରାଯାଉଥିବା ରୂପାନ୍ତରୀକରଣ ଏବଂ ବିକାଶ କ୍ଷେତ୍ରରେ ନେଇଥିବା ପ୍ରମୁଖ ପଦକ୍ଷେପଗୁଡିକ ବିଷୟରେ କହୁଥିବା ବେଳେ ଏହାକୁ ଗ୍ରାମବର କିଛି ଯୁବଗୋଷ୍ଠୀ ବିରୋଧ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଧାରଣା
ଲୋକଙ୍କୁ ସଚେତନତା ନାଁରେ ରାଜନୈତିକ ପ୍ରଚାର ପ୍ରସାର କରାଯାଉଥିବା କହିବା ସହ ଏହି କାର୍ଯ୍ୟକ୍ରମକୁ ଦୃଢ଼ ବିରୋଧ କରିଥିଲେ । ଥୁଆମୂଳ ରାମପୁର ବ୍ଲକ ବିଭିନ୍ନ ସମସ୍ୟା ଘେରରେ ଥିବା ବେଳେ, ଲୋକମାନେ 4 ମାସ ଧରି ଚାଉଳ ପାଉନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର କାର୍ଯ୍ୟକ୍ରମମାନ କରୁଛନ୍ତି ବୋଲି ଯୁବକମାନେ ଅଭିଯୋଗ କରିଥିଲେ । ଯୁବଗୋଷ୍ଠୀଙ୍କ କହିବାନୁଯାୟୀ, ରାମପୁର ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ମୌଳିକ ସୁବିଧା ପହଞ୍ଚି ପାରିନଥିବା ବେଳେ ଏଭଳି ସଚେତନ ଶିବିରରେ ମିଥ୍ୟା ପ୍ରସାର ପ୍ରଚାର କରାଯାଉଛି l ଗ୍ରାମକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ଠୁ ଆରମ୍ଭ କରି ଅନେକ ରୋଗୀ ଖଟିଆରେରେ ବୁହା ହୋଇ ମେଡିକାଲ ଯାଉଛନ୍ତି । ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ସେଥିପ୍ରତି ଦୃଷ୍ଟି ଦିଆନଯାଇ ମିଥ୍ୟା ପ୍ରଚାର ପ୍ରସାର କରାଯାଉଥିବା ଯୁବଗୋଷ୍ଠୀ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି