ଭୁବନେଶ୍ୱର: ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ହୋମ ଯଜ୍ଞ ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ନାଦରେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି । ଏହି ଐତିହାସିକ ମେଳା ଶୁକ୍ରବାର ଅର୍ଥାତ ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ବେଳେ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ । ରାମଚରିତମାନସ, ନାମ ସଂକୀର୍ତ୍ତନ ଓ ବିଶ୍ୱଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାଦଦେଶ । ଏଥିପାଇଁ ଓଡ଼ିଶା ସମେତ କାଶୀ ଓ ବାରଣାସୀ, ହରିଦ୍ୱାର, ବନାରସ, ନାସିକ, ମଧ୍ୟପ୍ରଦେଶ, ଜମ୍ମୁ, ପ୍ରୟାଗ ଆଦି ବିଭିନ୍ନ ସ୍ଥାନରୁ ପ୍ରାୟ ୫ଶହ ପଞ୍ଚଦଶନାମୀ ନାଗାସାଧୁ, ବୈଷ୍ଣବ ସାଧୁ, ସନ୍ୟାସିନୀ ଆସି ଏକାଠି ହୋଇଛନ୍ତି ।
ମେଳାର ପ୍ରଥମ ଦିନରେ ଖଣ୍ଡଗିରି, ଉଦୟଗିରିରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ମେଳାକୁ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥ ଆସିଥିବାରୁ ସେମାନଙ୍କ ସାନିଧ୍ୟ ଲାଭ କରିବା ସହ ଆର୍ଶୀବାଦ ପାଇବା ପାଇଁ ପର୍ଯ୍ୟଟକମାନେ ଏହି ପବିତ୍ର କୁମ୍ଭ ମେଳାରେ ଭିଡ ଲଗାଇଛନ୍ତି । ଶୁକ୍ରବାର ପ୍ରାତଃ ସମୟରେ ମା’ ବାରଭୂଜାଙ୍କ ଆଳତୀ ପରେ ସକାଳ ଖଣ୍ଡଗିରି ଭୋଗ ହେବା ପରେ ମା’ଙ୍କ ପାଖରେ କଳସ ସ୍ଥାପନ ହୋଇଥିଲା । ଏହାପରେ ବୈଦିକ ରୀତିନୀତିରେ କୋଣାର୍କରୁ ଅଗ୍ନି ଓ ଜଳ ଆସିବା ପରେ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ନାମ ସଂକୀର୍ତ୍ତନ ସହିତ ୧୦୮ କଳସ, ୧୦୮ସାଧୁ ଏବଂ ଅନ୍ୟାନ୍ୟ ପ୍ରାୟ ୧ ହଜାର ସାଧୁ ସନ୍ଥଙ୍କ ମେଳରେ ପୂର୍ବାହ୍ନ ୧୧ଟାରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।
ଅପରାହ୍ନରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭଣ୍ଡାର ବା ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସନ୍ଧ୍ୟାରେ ପ୍ରଭୁ ଅନନ୍ତ କେଶରୀ ଏକ ବିରାଟ ଶୋଭାଯାତ୍ରାରେ ଜାଗମରା ନାଗାମଠରୁ ବାହାରିଥିଲେ । ବାଜା, ବାଣ ରୋଷଣୀ ସହିତ ସଂକୀର୍ତ୍ତନ, ପାରମ୍ପରିକ ଘଣ୍ଟଘଣ୍ଟା ବାଦ୍ୟରେ ଅନନ୍ତକେଶୀଙ୍କୁ ସୁସଜ୍ଜିତ ବିମାନରେ ଗାଁ ପରକ୍ରମା କରାଯାଇଥିଲା । ଏହପରେ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଠାକୁର ବିଜେ କରିଥିଲେ । ସେଠାରେ ପୂଜାର୍ଚ୍ଚନା ସହିତ ଭୋଗଲାଗି ହେବା ପରେ ପୁଣିଥରେ ରାତି ପ୍ରାୟ ୧୨ଟା ବେଳକୁ ନାଗାମଠକୁ ଫେରିଥିଲେ ।
ଏହି ମହାକୁମ୍ଭ ମହାମିଳନରେ ହର୍ହର୍ ମହାଦେବ ଧ୍ୱନିରେ କମ୍ପୁଛି ଖଣ୍ଡଗିରି । କିଏ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି ତ ଆଉ କିଏ ବାଘଛାଲ ଭଳି ବସ୍ତ୍ର, ପୁଣି କିଏ କୌପିନି ପିନ୍ଧିଛନ୍ତି ତ ଆଉ କିଏ ସମ୍ପୂର୍ଣ୍ଣ ନିବସ୍ତ୍ର । ମୁଣ୍ଡରେ ଶରୀରରେ ଭସ୍ମ ବା ବିଭୁତି ବୋଳି ହାତରେ ଚିଲମ ଧରି ନାଗ ସାଧୁମାନେ ପ୍ରଭୁ ପ୍ରେମରେ ଭିଜୁଛନ୍ତି । ଖଣ୍ଡଗିରି ପାଦଦେଶରେ କଳସ ସ୍ଥାପନ କରି ହୋମଯଜ୍ଞରେ ଲୀନ ହୋଇଥିବା ସାଧୁମାନେ ତାଙ୍କ ପାଖକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛନ୍ତି । ବିଶ୍ୱର କଲ୍ୟାଣ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ..ଆରମ୍ଭ ହେଲା ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା, ଆୟୁର୍ବେଦିକ ଔଷଧ ପାଇଁ ଲୋକଙ୍କ ଭିଡ଼
କୁମ୍ଭ ମେଳାରେ ସାଧୁମାନେ ଆସ୍ଥା ବିଶ୍ୱାସ, ଭକ୍ତି ଆକର୍ଷଣ ଓ ଆଶୀର୍ବାଦର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ କୁମ୍ଭମେଳାକୁ ଫେରିଛନ୍ତି ଷ୍ଟାଣ୍ଡିଂବାବା । ବାବାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ମଧ୍ୟପ୍ରଦେଶ ଜବଳପୁରର ଜୁନା ଆଖଡ଼ାରୁ ଆସିଥିବା ଷ୍ଟାଣ୍ଡିଂ ବାବା ୧୪ ବର୍ଷରୁ ସଂସାର ତ୍ୟାଗ କରିବା ପରେ ସେ ଆଧ୍ୟାତ୍ମିକ ଚିନ୍ତନ ଆଡକୁ ଢଳିଥିଲେ । ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଠିଆ ହୋଇ ରହିଛନ୍ତି ଏହି ବାବା । ବିଶ୍ୱ ଶାନ୍ତି ପାଇଁ ନିଜ ଶରୀରକୁ ଏପରି ଦଣ୍ଡ ଦେଇ କଠୋର ବ୍ରତ ପାଳନ କରିଆସୁଛନ୍ତି ।
ସେହିପରି ବାବା ଦେହରେ ବିଭୂତି ବୋଳି ହୋଇ ଲୋକଙ୍କୁ ଆଶୀର୍ବାଦ କରିବା ସହ ଖଣ୍ଡଗିରି ମେଳାର ମାହାତ୍ମ୍ୟ ବୁଝାଉଛନ୍ତି । ସେହିପରି ଏଥର ଆୟୁର୍ବେଦ ବା ଡାକ୍ତର ବାବା ଆସିଛନ୍ତି । ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ବିଶ୍ୱାସକୁ ନେଇ ସେ ଆୟୁର୍ବେଦିକ ମେଡିସିନର ପରାମର୍ଶ ଦେଉଥିବା ବେଳେ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ।
ମେଳାରେ ପ୍ରାୟ ୩୬୦ଟି ଷ୍ଟଲ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ପ୍ରଥମ ଦିନରୁ ହିଁ ଖାଦ୍ୟପାନୀୟ ସମେତ ଖେଳନା, ଗୃହଉପକରଣ, ସାଜସଜ୍ଜା ଆଦି ବିଭିନ୍ନ ଦୋକାନ ଖୋଲାଯାଇଛି । ଏଥିସହ ମେହେନ୍ଦି, ଟାଟୁ ସମେତ ପିଲାଙ୍କ ଦୋଳି, ବୁଲା ବିକାଳିଙ୍କ ପସରା ମେଲିଛି । ତେବେ ଆଜି(ଶନିବାର)ଠାରୁ ପ୍ରାୟ ସମସ୍ତ ଦୋକାନ ଖୋଲାଯିବ ବୋଲି ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ୱର