ନିମାପଡା: ରାସ୍ତାକଡରେ ଫୁଲ ତୋଳୁଥିବା ବେଳେ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ । ଆଜି (ଗୁରୁବାର) ସକାଳେ ପୁରୀ ଜିଲ୍ଲା ଗୋପ-ନିମାପଡ଼ା-କୋଣାର୍କ ରାସ୍ତାର ବାୟାକୁଦା ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ମୃତକ ହେଲେ ସ୍ଥାନୀୟ ବଡମଠ ଗ୍ରାମର ରେଣୁବାଳା ବେହେରା । ଏଥିରେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇ କାର୍ ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୋପ ବାୟାକୁଦା ବଡମଠ ଗ୍ରାମର ରେଣୁବାଳା ବେହେରା ଓ ରଞ୍ଜିତା ପ୍ରଧାନ ଆଜି ଭୋରରୁ ରାସ୍ତାକଡରେ ଫୁଲ ତୋଳୁଥିଲେ । ଏହି ସମୟରେ ଗୋପ ପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା । ଏହାପରେ କୋଣାର୍କ ପଟୁ ଆସୁଥବା ଆଉ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା କାର୍ । ଏଥିରେ ଘଟଣାସ୍ଥଳରେ ରେଣୁବାଳା ପ୍ରାଣ ହରାଇଥିବା ବେଳେ ରଞ୍ଜିତା ପ୍ରଧାନ ଓ ବାଇକ ଆରୋହୀ ନିରଞ୍ଜନ ପ୍ରଧାନ ଗୁରୁତର ଆହତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଲକ୍ଷ୍ମୀ ବସ ଧକ୍କାରେ ଲିଭିଗଲା ଜଣଙ୍କ ଜୀବନ ଦୀପ - Laxmi Bus Accident
ଏହା ମଧ୍ୟ ପଢନ୍ତୁ: ବିବାହ ବାର୍ଷିକୀରେ ଛକିଥିଲା ଯମ, ବସ୍ ଧକ୍କାରେ ଆଖିବୁଜିଲେ ଗୋଟିଏ ପରିବାରର 5 ଜଣ - Tamil Nadu Accident
ଏହି ଖବର ପାଇ ଗୋପ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୋପ ମେଡିକାଲରେ ଭର୍ତ୍ତ କରିଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଦୁହିଁଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୁର୍ଘଟଣା ପରେ କାର୍ ଡ୍ରାଇଭର ଗାଡି ଛାଡି ଫେରାର୍ ହୋଇଯାଇଥିବା ଜଣାପଡିଛି । ଅଭିଯୁକ୍ତ କାର୍ ଚାଳକଙ୍କ ପରିଚୟ ମିଳିପାରିନି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ କାର ଚାଳକଙ୍କୁ ଧରିବାକୁ ଛାନଭିନ୍ କରୁଛି । ଏଥିସହ ମୃତଦେହ ଉଦ୍ଧାର କରି ଗୋପ ମେଡିକାଲକୁ ପଠାଇଛି । ସକାଳୁ ସକାଳୁ ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଇଟିଭି ଭାରତ, ନିମାପଡ଼ା