ଭୁବନେଶ୍ବର: ଖସିବ ସର୍ବନିମ୍ନ ତାପମାତ୍ରା, ବଢିବ ଶୀତ । ଆଜି ଠାରୁ ତାପମାତ୍ରାରେ ହ୍ରାସ ପାଇବା ସହ ଆଗାମୀ ୩ ଦିନରେ ୩ ରୁ ୫ ଡିଗ୍ରୀ କମିବ ରାତ୍ରି ତାପମାତ୍ରା ଓ ପୁଣି ଶୀତର ଅନୁଭୂତି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବା ନେଇ ବିଭାଗ ସୂଚନା ଦେଇଛି ।
ଏସବୁ ଜିଲ୍ଲାରେ ଅଧିକ ପ୍ରକୋପ:
ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଦେବଗଡ ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । "ଡିସେମ୍ବର ମାସ ୯ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ପ୍ରବଲ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର ସିଷ୍ଟମ ପାଇଁ ଏବର୍ଷ ସାମାନ୍ୟ ଶୀତ ରହିଛି" ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ବାୟୁର ଦିଗ ପରିବର୍ତ୍ତନ ସହ ପାଗରେ ପରିବର୍ତ୍ତନ ହେବ । ଆଜି ରାତିଠାରୁ ସର୍ବନିମ୍ନ ରାତ୍ରି ତାପମାତ୍ରା ହ୍ରାସ ପାଇବା ସହ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
24 ଘଣ୍ଟାରେ ହାଲୁକା ବର୍ଷା:
ସେପଟେ ବାୟୁ ଚଳାଚଳ ସହ ଆର୍ଦ୍ରତା ମାତ୍ରାକୁ ନେଇ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ରାଜ୍ୟରେ କିଛି ଅଞ୍ଚଳରେ ହେଉଥିବାବେଳେ ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ରାଜ୍ୟରେ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ, ଦେବଗଡ ଓ ସମ୍ବଲପୁରର ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷାର ବିଶେଷ ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ...IMDର ପୂର୍ବାନୁମାନ: 24 ଘଣ୍ଟାରେ ହାଲୁକା ବର୍ଷା, ଖସିବ ତାପମାତ୍ରା
ଏହା ବି ପଢନ୍ତୁ...ଫସଲ ଉଜାଡି ଦେଲା ଅଦିନିଆ ବର୍ଷା, ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ
କେଉଁଠି କେତେ ତାପମାତ୍ରା ?
ଗତ ୨୪ ଘଣ୍ଟା ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳ କୋରାପୁଟରେ ୧୪.୬ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୨୦.୬ ଓ କଟକରେ ୧୮.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କାଁଭାଁ ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ କଳାହାଣ୍ଡି ଧର୍ମଗଡରେ ସର୍ବାଧିକ ୨୯.୦୦ ମିମି ବର୍ଷା ରେକର୍ଡ ହୋଇଛି।
ଇଟିଭି ଭାରତ, ଭୁବନେଶ୍ବର