ଭୁବନେଶ୍ବର: ପୂର୍ବ-ତଟୀୟ ରାଜ୍ୟ ଓଡିଶା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯେପରି ପରସ୍ପର ସହଚର । ଦୀର୍ଘ ଉପକୂଳ ଓ ବିସ୍ତିର୍ଣ୍ଣ ବେଳାଭୂମି ଥିବା ଓଡିଶା ପ୍ରତିବର୍ଷ ସାମୁଦ୍ରିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରତିବର୍ଷ ଛୋଟ-ବଡ ଏକାଧିକ ବାତ୍ୟା ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରି ପ୍ରଭୂତ କ୍ଷତି ଘଟାଉଛନ୍ତି । ଧନ-ଜୀବନ କ୍ଷୟକ୍ଷତି ଉଜାଡୁଛି ରାଜସ୍ବ । ପ୍ରଗତିରେ ବାଧକ ସାଜୁଛି ବିପର୍ଯ୍ୟୟ । ତେବେ ଓଡିଶାର ପୂର୍ବରେ ଥିବା ବଙ୍ଗୋପସାଗରର ଅବସ୍ଥିତି ଓ ଉକ୍ତ କ୍ଷେତ୍ରର ଭୌଗଳିକ ସମୀକରଣ ହିଁ ବାରମ୍ବାର ସାମୁଦ୍ରିକ ଝଡ ସୃଷ୍ଟି ହେବା ଓ ପୂର୍ବ-ଉପକୂଳ ମୁହାଁ ହେବାର ମୁଖ୍ୟ କାରଣ । କିନ୍ତୁ ପଶ୍ଚିମ-ଉପକୂଳ ଆରବ ସାଗରରେ ତୂଳନାରେ ବଙ୍ଗୋପସାଗରରେ ଅଧିକ ଓ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବା ପଛରେ ରହିଛି ଏକାଧିକ ଜଟିଳ ଭୌଗଳିକ ସମୀକରଣ । ଆସନ୍ତୁ ଜଳବାୟୁ ବିଶେଷଜ୍ଞଙ୍କଠାରୁ ଜାଣିବା ସେ ସମ୍ପର୍କରେ...
- IIT ବିଶେଷଜ୍ଞଙ୍କ ମତ ଅନୁସାରେ...
ଏସମ୍ପର୍କରେ ଦୁଇ ବରିଷ୍ଠ ଜଳବାୟୁ ବିଶେଷଜ୍ଞ ତଥା ଭୁବନେଶ୍ବର ‘ଆଇଆଇଟି’ର ସହକାରୀ ପ୍ରାଧ୍ୟାପକ ସନ୍ଦୀପ ପଟ୍ଟନାୟକ ଓ ଦେବଦତ୍ତ ସ୍ବାଇଁଙ୍କ ସହ ଆଲୋଚନା କରିଥିଲା ‘ଇଟିଭି ଭାରତ’ ଟିମ୍ । ଏକାଧିକ ଜଟିଳ ଭୌଗଳିକ କାରଣ ସମ୍ପର୍କରେ ଉଭୟ ମତବ୍ୟକ୍ତ କରିଥିଲେ । ସେମାନଙ୍କ କହିବା କଥା ଓଡିଶା ଦେଇ ବାୟୁମଣ୍ଡଳର ଉପରସ୍ତରରେ ଶୁଷ୍କ ଆଉ ଉତ୍ତପ୍ତ ବାୟୁ ଉତ୍ତର-ପଶ୍ଚିମ ଭାରତରୁ ବଙ୍ଗୋପସାଗରକୁ ପ୍ରବେଶ କରୁଛି । ସେହି ସମୟରେ ବହୁମାତ୍ରାରେ ଆଦ୍ରତାପୂର୍ଣ୍ଣ ବାୟୁ ବଙ୍ଗୋପସାଗରରୁ ସ୍ଥଳଭାଗକୁ ମଧ୍ୟ ପ୍ରବେଶ କରୁଛି । ଏହି ଦୁଇ ବାୟୁର ସମିଶ୍ରଣରେ ସୃଷ୍ଟି ହେଉଥିବା ସମୀକରଣରେ ସ୍ଥିତି ବଦଳୁଛି ଓ ଲଘୁଚାପ ସୃଷ୍ଟି ହେଉଛି ।
- ଓଡିଶା ଉପକୂଳର ତାପମାତ୍ରା ବାତ୍ୟା ପାଇଁ ଅନୁକୂଳ କେମିତି !
ସହକାରୀ ପ୍ରଫେସର ଡଃ. ଦେବଦତ୍ତ ସ୍ବାଇଁ କହିଛନ୍ତି, ଦକ୍ଷିଣ-ଚୀନ ସଗାର ଓ ଭିଏତନାମ-ସାଗରୀୟ କ୍ଷେତ୍ରର ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ । ପରେ ଏହା ସ୍ଥଳଭାଗ ମୁହାଁ ହେବାରେ ଲାଗେ । ଉପକୂଳ ଏରିଆରେ ସମୁଦ୍ର ମଧ୍ୟରେ ବାତ୍ୟା ଦୁର୍ବଳ ହେଲେ ଏହା ସ୍ଥଳଭାଗ ଆଡକୁ ଅଗ୍ରସର ହୁଏ । ଯେଉଁ ବାୟୁମଣ୍ଡଳୀୟ କ୍ଷେତ୍ରରେ ଅନୁକୂଳ ପାଣିପାଗ ଶକ୍ତି ଯୋଗାଏ, ବାତ୍ୟା ସେହି ଦିଗରେ ବଢେ । ଓଡିଶାରେ ବିଶାଳ ଚିଲିକା ହ୍ରଦ ଓ ଅନ୍ୟ ନଦୀ ଉପରସ୍ତରରେ ତାପମାତ୍ରା ଅନୁକୂଳ ରହୁଛି । ସ୍ଥଳଭାଗ ବାୟୁମଣ୍ଡଳ ଅପେକ୍ଷା ନଦୀ ଉପର ପୃଷ୍ଠରେ ଅଧିକ ତାପମାତ୍ରା ରହୁଥିବାରୁ ଏହା ବାତ୍ୟାକୁ ସେହିଦିଗରେ ଗତି କରିବା ପାଇଁ ବଳ ଯୋଗାଇଥାଏ । ଯାହା ଉପକୂଳ ଓଡିଶାରେ ଏକାଧିକ ନଦୀର ଉପସ୍ଥିତି କାରଣରୁ ବାତ୍ୟା ସ୍ଥଳ ଭାଗ ମୁହାଁ ହେବାରେ ଏକ ଅନୁକୂଳ ସମୀକରଣ ସୃଷ୍ଟି କରେ ।
- ବାତ୍ୟା ବଡ ହେଲେ ବାଂଲାଦେଶ ଓ ଛୋଟ ହେଲେ ଓଡିଶା ମୁହାଁ
ଅନ୍ୟପଟେ ବାତ୍ୟାଟି ଛୋଟ କିମ୍ବା ମଧ୍ୟମଧରଣର ହୋଇଥିଲେ ଏହା ସମୁଦ୍ର ମଧ୍ୟରେ ଘନୀଭୂତ ହୋଇ ଅଧିକ ସମୟ ରହିପାରନ୍ତି ନାହିଁ କିମ୍ବା ବାରମ୍ବାର ରିକର୍ଭ କରି ଲମ୍ବା ଦୂରତା ଅତିକ୍ରମ କରିପାରେ ନାହିଁ । ଫଳରେ ସେ କେନ୍ଦ୍ରୀୟ ବଙ୍ଗୋପସାଗରରୁ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଆଡକୁ ଗତିକରିବା ପରିବର୍ତ୍ତେ ନିକଟବର୍ତ୍ତୀ ଓଡିଶା ଉପକୂଳକୁ ବଢେ । ଓଡିଶା ଉପକୂଳରେ ବାତ୍ୟା ଅନୁକୂଳ ତାପମାତ୍ରା ଓ ଅନ୍ୟ ବାୟୁମଣ୍ଡଳୀୟ ସମୀକରଣ ପାଇବା ପାଇବା ଏହା ଲ୍ୟାଣ୍ଡଫଲ କରିଥାଏ ।
ଅନ୍ୟ ଜଣେ ଆଇଆଇଟି ସହକାରୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ଥିବା ବାୟୁମଣ୍ଡଳୀୟ ସ୍ଥିତି ବାତ୍ୟା ସୃଷ୍ଟି ହେବାର ସର୍ବୋତ୍କୃଷ୍ଠ ସ୍ଥିତି ଯୋଗାଏଇଥାଏ । ପ୍ରଶାନ୍ତ ମହାସାଗର ମଧ୍ୟ ବଙ୍ଗୋପସାଗର ସଲଗ୍ନ ରହିଛି । ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ‘ଟାଇଫୁନ’ର ଆଂଶିକ ପ୍ରଭାବ ମଧ୍ୟ ବଙ୍ଗୋପସାଗରର ସ୍ଥିତିରେ ପରିବର୍ତ୍ତନ ଆଣିଥାଏ ।
ବାତ୍ୟା ମୁଖ୍ୟତଃ ଦୁଇ ପ୍ରକାର:-
ପ୍ରଫେସର ସନ୍ଦୀପ ପଟ୍ଟନାୟକ ଆହୁରି କହିଛନ୍ତି, ସାମୁଦ୍ରିକ ବାତ୍ୟା ମୁଖ୍ୟତଃ ସେମାନେ ସୃଷ୍ଟି ହେଉଥିବା ସମୟ ଆଧାରରେ ଦୁଇ ପ୍ରକାର ହୋଇଥାଏ । ପ୍ରି-ମନସୁନ (ମୌସୁମୀ ପୂର୍ବବର୍ତ୍ତୀ) ଓ ପୋଷ୍ଟ-ମନସୁନ (ମୌସୁମୀ ପରବର୍ତ୍ତୀ) ବାତ୍ୟା । ପ୍ରି-ମନସୁନ ବାତ୍ୟା ସମୁଦ୍ର ମଧ୍ୟରେ ରିକର୍ଭ କରେ ଓ ପୋଷ୍ଟ-ମନସୁନ ବାତ୍ୟା ପ୍ରାୟତଃ ସ୍ଥଳଭାଗ ଛୁଏଁ ।
ଆରବ ସାଗର ଅପେକ୍ଷା କାହିଁକି ଅଧିକ ଅଶାନ୍ତ ବଙ୍ଗୋପସାଗର ?
ପୂର୍ବ ଉପକୂଳ ପରି ପଶ୍ଚିମ ତଟ ଆରବ ସାଗର କ୍ଷେତ୍ରରେ ତାହା ଦେଖାଯାଏ ନାହିଁ । ଏହି ବ୍ୟତିକ୍ରମର ଏକାଧିକ କାରଣ ମଧ୍ୟ ରହିଛି । ଆରବ ସାଗରରେ ବାତ୍ୟା ଘନୀଭୂତ ହେଲେ, ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରେ । କିନ୍ତୁ ଏହା ଆରବ ମରୁଭୂମିର ଗରମ ଓ ଶୁଷ୍କ ବାୟୁ ପ୍ରଭାବରେ ଏହା ବିଶେଷ ସ୍ଥଳଭାଗ ନିକଟରେ ଅନୁକୂଳ ପରିବେଶ ପାଇନଥାଏ । ଫଳରେ ଏହା ମଧ୍ୟପ୍ରାଚ୍ୟର ଆରବୀୟ ଉପକୂଳ ପରିବର୍ତ୍ତେ ଏହା ଉତ୍ତର-ପୂର୍ବ ମୁହାଁ ହୋଇ ଭାରତୀୟ ଉପକୂଳ ମୁହାଁ ହୁଏ । ଫଳରେ ଗୁଜୁରାଟ ଉପକୂଳରେ ଆରବ ସାଗରୀୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳେ ।
ନିକଟ ଅତୀତରେ ଗୁଜୁରାଟରେ ଲ୍ୟାଣ୍ଡଫଲ୍ କରିଥିବା ବାତ୍ୟା ‘ବିପର୍ଯ୍ୟୟ’ ଏହି ସମୀକରଣ ଅନୁସରଣ କରିଥିଲା । କିନ୍ତୁ ବଙ୍ଗୋପ ସାଗରରେ ସେପରି ଭୌଗଳିକ ସ୍ଥିତି ନଥିବାରୁ ସୃଷ୍ଟି ହେଉଥିବା ବାତ୍ୟା ଅନୁକୂଳ ବାତାବରଣ କାରଣରୁ ଅଧିକ ଘନୀଭୂତ ହୋଇଥାଏ । ପରେ କ୍ରମଶଃ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତିକରି ପୂର୍ବ ଉପକୂଳରେ ମାଡ ହୁଏ । ଫଳରେ ବିଶେଷ ଭାବେ ଆନ୍ଧ୍ର ପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହୋଇଥାନ୍ତି । ଓଡିଶା ଏହି ଦୁଇ ରାଜ୍ୟର ମଝିରେ ଥିବାରୁ କେବେ ସିଧାସଳଖ, କେବେ ଆଶିଂକ ଭାବେ ବାତ୍ୟାରେ ପ୍ରଭାବିତ ହୋଇଥାଏ ।
- ଓଡିଶା ଉପକୂଳରେ ବାତ୍ୟା ତାଣ୍ଡବର ଇତିହାସ:-
୧୯୯୯ ମସିହାରେ ମହାବାତ୍ୟା ଓଡ଼ିଶାରେ କେଉଁଭଳି ପ୍ରଳୟ ରଚିଥିଲା, ତାହା ସାରା ବିଶ୍ବ ଦେଖିଥିଲା । ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ବିପର୍ଯ୍ୟୟର ଦୁର୍ଦ୍ଦଶା ମନରୁ ଲିଭିନଥିବା ବେଳେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ମୂକସାକ୍ଷୀ ପାଲଟିଛି ଓଡିଶା । ଫାଇଲିନ, ହୁଡ଼ହୁଡ଼ ଓ ଫନି ପରି ବଡ ବାତ୍ୟା ଓଡିଶା ଉପକୂଳରେ ବ୍ୟାପକ କ୍ଷତି ଘଟାଇଛନ୍ତି । ସେପଟେ ଇତିହାସ କୁହେ 1890 ମସିହାରୁ ଓଡିଶାକୁ ବାତ୍ୟା ମାଡ଼ ହୋଇ ଆସୁଛି । କେତେବେଳେ ସିଧାସଳଖ ସ୍ଥଳଭାଗ ଛୁଇଁଛି ତ ଆଉ କେତେବେଳେ ଓଡିଶା ଦେଇ ପଡୋଶୀ ରାଜ୍ୟକୁ ଯାଇଛି ବାତ୍ୟା ।
- ଗତ ଶତାବ୍ଦୀରେ ୪୦୦ ବାତ୍ୟା ଦେଖିଛି ଓଡ଼ିଶା
୧୮୯୦ ମସିହାରୁ ୨୦୨୪ ଅକ୍ଟୋବର ମଧ୍ୟରେ ପ୍ରାୟ 4 ଶହରୁ ଊର୍ଦ୍ଧ୍ବ ବାତ୍ୟା ଓଡିଶା ଉପକୂଳ ଛୁଇଁଛି । ୧୯୯୯ ମହାବାତ୍ୟା ଖାଲି ଦେଶ ନୁହେଁ ସମଗ୍ର ବିଶ୍ୱରେ ଏକ ଛାତିଥରା ପରିସ୍ଥିତି ସୃଷ୍ଟି କରିଥିଲା । ପ୍ରାକୃତିକ ବିପର୍ଯ୍ୟୟ କଣ , ସାଧାରଣରେ ଅନୁଭୂତ ହେଲା । ତେବେ ଭୌଗଳିକ ଅବସ୍ଥିତି ଓଡିଶାକୁ ସର୍ବଦା ସାମୁଦ୍ରିକ ବିପର୍ଯ୍ୟୟର ସାମ୍ନା କରିବାକୁ ବାଧ୍ୟ କରିଛି । ଓଡିଶା ମଧ୍ୟ ବିପର୍ଯ୍ୟୟ ମୁକାବିଲା ରଣନୀତିରେ ଦୀର୍ଘମିଆଦି ପ୍ରଭାବୀ ଯୋଜନା, ମୁକାବିଲା ରଣନୀତି, ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରି ଜିରୋ-କାଜୁଆଲଟି ମୋଡରେ ବିପର୍ଯ୍ୟୟର ସାମ୍ନା କରିବାରେ ଅନୁଭବ ହାସଲ କରିଛି ।
ଇଟିଭି ଭାରତ, ଭୁବନେଶ୍ବର