କଟକ: ବିବାହକୁ ପବିତ୍ର ବନ୍ଧନ ଭାବେ ବିବେଚନା କରାଯାଏ । ବିବାହ ସାତ ଜନ୍ମ ପାଇଁ ଏକ ବନ୍ଧନ । ଏହା ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଜନ୍ମଜନ୍ମାନ୍ତର ଏକ ସ୍ୱର୍ଗୀୟ ସମ୍ପର୍କ । ବିବାହ ବେଦୀରେ ସାତ ଫେରା ଦେଇ ଜନ୍ମ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କ ସୁଖ ଦୁଃଖର ସାଥୀ ହେବା ପାଇଁ ବଚନ ଦିଅନ୍ତି । ହେଲେ ଯୁଗ ବଦଳିବା ସହ ଏହି ବଚନରେ ମଧ୍ୟ ବ୍ୟତିକ୍ରମ ଆସୁଛି । ସାମାନ୍ୟ କଳି ଝଗଡ଼ାକୁ ନେଇ କଥା ସିଧା ଛାଡ଼ପତ୍ର ପାଖରେ ପହଞ୍ଚୁଛି । ଯଦିଓ ପୂର୍ବରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାର ନଜିର ରହିଛି ମାତ୍ର ଆଜିକାର ଯୁବପିଢିଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ତେବେ ଦିନକୁ ଦିନ କାହିଁକି ବଢ଼ୁଛି ଛାଡପତ୍ର ମାମଲା । କାହିଁକି ମନ ସାଥେ ମନ ମିଶୁନାହିଁ । କେଉଁ ବର୍ଗଙ୍କ ପାଖରେ ଏହି ସମସ୍ୟା ବେଶୀ ଦେଖାଯାଉଛି ? କେବେ ଠାରୁ ଏହି ସମସ୍ୟା ଅତି ସଙ୍ଗୀନ ହେଉଛି ? ବିବାହ ବିଚ୍ଛେଦ ପାଇଁ ପ୍ରମୁଖ କାରଣ କଣ ? ମଧ୍ୟସ୍ଥତାଙ୍କ ଭୂମିକା କେମିତି ରହୁଛି ? ଏଭଳି ମାମଲା ପାଇଁ ଆଇନଜୀବୀଙ୍କ ଭୂମିକା କେମିତି ରହିବା କଥା । ସେନେଇ ସୂଚନା ଦେଇଛନ୍ତି ଆଇନଜୀବୀ ବନଜାରାଣୀ ପଣ୍ଡା ।
ଆଇନଜୀବୀ ବନଜାରାଣୀ ପଣ୍ଡା କହିଛନ୍ତି, "ବର୍ତ୍ତମାନ ଦେଖା ଯାଉଛି ଯେ, ବିବାହ ପରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ସଠିକ ତାଳମେଳ ରହୁନାହିଁ । ବିଶେଷ କରି ଗୋଟିଏ ପରିବାରରେ ଖାପଖୁଆଇ ଚଳିବା ସମ୍ଭବ ହେଉନାହିଁ । ବିବାହ ପରେ ପତ୍ନୀଟିଏ ଯେତେବେଳେ ନିଜର ବାପ ଘର ଛାଡି ଶାଶୁଘର ଯାଇଥାଏ, ଆଉ ସେଠାକାର ପରିବେଶ ଆଉ ପରମ୍ପରା ସହିତ ତାଳ ଦେଇ ଚଳିପାରେ ନାହିଁ, ସେତେବେଳେ ମଧ୍ୟ କୌଣସି କାରଣରୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଯାଏ । ଫଳରେ ବିଚ୍ଛେଦ ପାଇଁ ଅଦାଲତରେ ମଧ୍ୟ ଆଶ୍ରୟ ନେଇଥାନ୍ତି । କେବେଳ ସେତିକି ନୁହେଁ ବିବାହ ପରେ ଅବିଭାବକଙ୍କ ମାତ୍ରାଧିକ ହସ୍ତକ୍ଷେପ ମଧ୍ୟ ବିବାହ ବିଚ୍ଛେଦର ପ୍ରମୁଖ କାରଣ ପାଲଟି ଥାଏ । କୌଣସି ମାମଲାରେ ଯଦି ଉଭୟ (ପତି ଏବଂ ପତ୍ନୀ ) ପରିବାର ଲୋକଙ୍କ ହସ୍ତକ୍ଷେପ ରହୁଛି ତାହା ବି ବିବାଦ ହେଉଛି ଏବଂ ଯାହାକି ବିଚ୍ଛେଦର ପ୍ରମୁଖ କାରଣ ବୋଲି କୁହାଯାଉଛି ।"
ସ୍ବାମୀ-ସ୍ତ୍ରୀ ସମ୍ପର୍କରେ କାହିଁକି ଉପୁଜୁଛି ବିବାଦ:
ତେବେ ବର୍ତ୍ତମାନ ଅନେକ ଲୋକ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି । ଯୌଥ ପରିବାର ଛାଡି ଏକା ରହିବାକୁ ମଧ୍ୟ ଅନେକ ପସନ୍ଦ କରୁଛନ୍ତି । ସେମାନଙ୍କର ଯଦି ଗୋଟିଏ ଝିଅ ହୋଇଥାଏ ଏବଂ ଝିଅର ବିବାହ ପରେ ଶାଶୁଘରେ ଯଦି କେହି କିଛି କହୁଛନ୍ତି ଅର୍ଥାତ ଛୋଟ କଥାକୁ ନେଇ ବଡ଼ ବିବାଦ ହୋଇଥାଏ । ଏହି ଭଳି କ୍ଷେତ୍ରରେ ଝିଅର ବାପା ଏବଂ ମା' ଶାଶୁ ଘର ଛାଡ଼ି ନିଜ ଘରକୁ ଡାକି ଦିଅନ୍ତି । ଝିଅଟି ମଧ୍ୟ ନିଜ ବାପା ମା'ଙ୍କ ପାଖରେ ରହି ଥାଏ । ଫଳରେ ଝିଅ ଟିଏ ଆଉ ନିଜର ଶାଶୁ ଘରକୁ ଫେରିବାକୁ ଆଗ୍ରହ କରେ ନାହିଁ ଏବଂ ବିଚ୍ଛେଦ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥାଏ । ଏହି ଭଳି ପରିସ୍ଥିତିରେ ଝିଅର ପରିବାର ଲୋକଙ୍କର ଗୁରୁତ୍ୱ ଭୂମିକା ନେବା କଥା । ଝିଅକୁ ନିଜ ଘରକୁ ନ ଡାକି ବିବାଦକୁ ଯଦି ଆପୋଷ ବୁଝାମଣାରେ ସମାଧାନ କରାଯାଆନ୍ତି ତେବେ ବିଚ୍ଛେଦ ହୁଅନ୍ତା ନାହିଁ । ସାମାନ୍ୟ କଥାରେ ଅଭିଭାବକଙ୍କ ହସ୍ତେକ୍ଷେପ ବିବାହ ବିଚ୍ଛେଦର ଅନ୍ୟ ଏକ କାରଣ ।
କେଉଁ ବୟସର ଲୋକମାନଙ୍କ କ୍ଷେତ୍ରରେ ବିବାହ ବିଚ୍ଛେଦ ଦେଖାଯାଉଛି :
ଏହା ମଧ୍ୟ ପଢ଼ନ୍ତୁ...ଡିଭୋର୍ସ ତ ଡିଭୋର୍ସ, ପୁଣି ଗ୍ରେ-ଡିଭୋର୍ସ କ'ଣ ? - Grey Divorce |
ବର୍ତ୍ତମାନର ଯୁବକ ଯୁବତୀଙ୍କ ମଧ୍ୟରେ ବଢୁଛି ବିଚ୍ଛେଦ:
ଯଦିଓ ବିବାହ ବିଚ୍ଛେଦ ପୂର୍ବରୁ ବହୁ କଷ୍ଟ ହେଉଥିଲା । କାରଣ ସେତେବେଳେ ଯଦି ସ୍ୱାମୀ ବିଚ୍ଛେଦ ପାଇଁ ଚାହୁଁ ଥିଲା ସ୍ତ୍ରୀ ରାଜି ହେଉ ନଥିଲା । ଆଉ ସ୍ତ୍ରୀ ଯଦି ଚାହୁଁ ଥିଲା ସ୍ୱାମୀ ରାଜି ହେଉ ନଥିଲା । ଏଭଳି ସ୍ଥିତିରେ ବିଚ୍ଛେଦ ପାଇଁ ବହୁ କଷ୍ଟ ହେଉଥିଲା । କାରଣ ଅଦାଲତ ଦୌଡ଼ିବାକୁ ପଡ଼ିବା ସହ ସମୟ ନଷ୍ଟ ହେଉଥିଲା । ମାତ୍ର ଏବେ ଉଭୟଙ୍କ ସହମତିରେ ବିଚ୍ଛେଦ ସହଜରେ ହୋଇପାରୁଛି । ସେହିପରି କମ ବୟସର ଯୁବକ ଯୁବତୀମାନେ ପ୍ରେମ କରି ବିବାହ କରୁଛନ୍ତି । ନିଜ ଇଚ୍ଛାରେ ବିବାହ କରୁଛନ୍ତି । ରେଜଷ୍ଟ୍ରି କିମ୍ବା ମନ୍ଦିର ଯାଇ ବିବାହ କରିଦେଉଛନ୍ତି । କିଛି ଦିନ ପରେ ଯେତେବେଳେ ଚଳିବା ପାଇଁ ଅକ୍ଷମ ହେଉଛନ୍ତି ତାକୁ ନେଇ ଆରମ୍ଭ ହେଉଛି ବିବାଦ । ଆଉ ବିବାହ ବିଚ୍ଛେଦ ପାଇଁ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି । କହିବାକୁ ଗଲେ ବର୍ତମାନର ଯୁବକ ଯୁବତୀଙ୍କ ମଧ୍ୟରେ ଏହି ବିଚ୍ଛେଦ ସଂଖ୍ୟା ଏବେ ବଢି ଚାଲିଛି ।
ଏହା ମଧ୍ୟ ପଢ଼ନ୍ତୁ...କ୍ରିକେଟରେ ଷ୍ଟାର୍, ବୈବାହିକ ଜୀବନରେ ଫ୍ଲପ୍; କାହିଁକି କ୍ରିକେଟରଙ୍କ ସଂସାରରେ ଉଠୁଛି ଝଡ, ହାତ ଛାଡୁଛନ୍ତି ସାତ ଜନ୍ମର ସାଥୀ ? - Indian cricketers who got divorced |
କେଉଁ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଏପରି ବିଚ୍ଛେଦ ଘଟିଥାଏ ?
ବିବାହ ବିଚ୍ଛେଦ କୌଣସି ଶ୍ରେଣୀର ପରିସର ଭୁକ୍ତ ନୁହେଁ । କାରଣ ବିଚ୍ଛେଦ ଜଣେ ଗରିବ ଲୋକ ପକ୍ଷରେ ଘଟିଥାଏ ଏବଂ ଧନୀ ଶ୍ରେଣୀର ଲୋକଙ୍କ ସହ ଘଟିଥାଏ । ଏକଥା ସତ ଯେ, ଜଣେ ଧନୀ ଶ୍ରେଣୀର ଲୋକ ପାଇଁ ବିଚ୍ଛେଦ କୌଣସି ପ୍ରଭାବ ପକାଇବ ନାହିଁ । କାରଣ ତା ପାଖରେ ପ୍ରଚୁର ଅର୍ଥ ଥିବ । ଯେକୌଣସି ସ୍ଥିତିରେ ଚାହିଁବ ବିଚ୍ଛେଦ କରିପାରିବ । ମାତ୍ର ଜଣେ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପକ୍ଷେ ଏହା ବହୁ କଷ୍ଟ । କାରଣ ଅଦାଲତରେ ଟଙ୍କା ଖର୍ଚ୍ଚ କରିବା ତା ପାଇଁ ନିହାତି ପକ୍ଷେ କଷ୍ଟସାଧ୍ୟ । ନଜିର ଅଛି ଅନେକ ଗରିବ ଶ୍ରେଣୀର ଲୋକମାନଙ୍କ କ୍ଷେତ୍ରରେ ଯଦି ଏପରି ଘଟେ ତେବେ ଅଦାଲତ ନଯାଇ ସେମିତି ଚୁପ ହୋଇ ବସି ପଡ଼ି ଏକା ଏକା ତାର ଜୀବନ କାଟିଦିଏ ।
ବିବାହ ବିଚ୍ଛେଦର ସମାଧାନ କଣ :
ଆଇନଜୀବୀ ବନଜାରାଣୀ ପଣ୍ଡାଙ୍କ କହିବା ଅନୁସାରେ, ବିବାହ ବିଚ୍ଛେଦ ଏକ ଭଲ ପରମ୍ପରା ନୁହେଁ । ହିନ୍ଦୁ ଧର୍ମରେ ଏହା ଆଦୌ ଶୁଭଙ୍କର ନୁହେଁ । କଥାରେ ଅଛି ବିବାହ କଲେ ସାତ ଜନ୍ମ ପାଇଁ ସାଥି ହେବାକୁ ପଡିଥାଏ । ଯାହାକୁ ମାନିବା ଆବଶ୍ୟକ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଝାଟି ଅର୍ଥାତ ମତାନ୍ତର ମନାନ୍ତର ହେବ । ଏହା ଏବେକାର ନୁହେଁ ଯୁଗ ଯୁଗ ଧରି କୁହାଯାଉଛି କି ଝଗଡା ହୁଏ ଏବଂ ଏହାର ସମାଧାନ ହୁଏ । ତେଣୁ ଏହାକୁ ନେଇ ବିଚ୍ଛେଦ ପାଇଁ ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରଥମେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବଣ୍ଡିଂ ରହିବା ଆବଶ୍ୟକ । କାର୍ଯ୍ୟବ୍ୟସ୍ତ କାରଣରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖାଯାଉଛି । କାରଣ ଅଫିସର କାର୍ଯ୍ୟ ବ୍ୟସ୍ତ ହେଉ କିମ୍ବା ଅନ୍ୟ କାରଣ ହେଉ, ଯେଉଁ କାରଣରୁ ଉଭୟ ଉଭୟଙ୍କୁ ସମୟ ଦେଇ ପାରୁ ନାହାଁନ୍ତି । ଯାହାକି ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । କୌଣସି ଘଟଣାକୁ ନେଇ ଯଦି ବିବାଦ ଉପୁଜିଛି ତେବେ ଆପୋଷ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଉଭୟ ଉଭୟଙ୍କୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ ।
ଏହା ମଧ୍ୟ ପଢ଼ନ୍ତୁ...ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା - Hardik pandya Natasa divorce |
ମଧ୍ୟସ୍ଥତା ଆଉ ଆଇନଜୀବୀଙ୍କ ଭୂମିକା କେମିତି ରହିବା କଥା:
ବିବାହ ବିଚ୍ଛେଦ ମାମଲା ନେଇ ଯଦି ଜଣେ ଅଦାଲତର ଦ୍ୱାରସ୍ଥ ହୁଏ, ତେବେ ଏହା ସଙ୍ଗେ ସଙ୍ଗେ ହୋଇପାରିବ ନାହିଁ । ଏଥିପାଇଁ ସମୟ ଲାଗେ । ଏହି ପ୍ରକ୍ରିୟାରେ ମଧ୍ୟସ୍ଥତା କେନ୍ଦ୍ରରେ ଜଣେ ମଧ୍ୟସ୍ଥତା ଉଭୟଙ୍କୁ ପ୍ରଥମେ କାଉନସେଲିଂ କରିବେ । ଜଣେ କାଉନସିଲରଙ୍କ ମଧ୍ୟ ବଡ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । କାଉନସିଲରେ ଉଭୟଙ୍କୁ ସଠିକ ଭାବରେ ବୁଖାସୁଝା କଲେ ଉଭୟଙ୍କ ସମସ୍ୟାର ସମାଧାନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ସେହିପରି ଜଣେ ଆଇନଜୀବୀଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହୁଛି । ଜଣେ ଯେତେବେଳେ ବିବାହ ବିଚ୍ଛେଦ ନେଇ ପ୍ରଥମେ ଆଇନଜୀବୀଙ୍କ ପାଖକୁ ଯାଇଥାଏ, ସେତେବେଳେ ଆଇନଜୀବୀ ନିଜର ରୋଜଗାର ପାଇଁ ମହକିଲଙ୍କୁ ପ୍ରର୍ବତ୍ତାଇ ଥାଏ । ଏପରିକି ମାମଲା ଆଗକୁ ନେବା ସପକ୍ଷରେ କହିଥାନ୍ତି । ତେବେ ଏଭଳି ସ୍ଥିତିରେ ଉଭୟଙ୍କ ସମ୍ପର୍କ ସୁଦୃଢ଼ ହେବାର ଦୂରର କଥା ମାତ୍ର ଆହୁରି ବିଗିଡିଥାଏ । ତେଣୁ ଜଣେ ଆଇନଜୀବୀ ଏହାକୁ ଦୃଷ୍ଟିରେ ରଖି ନିଜର ମହକିଲଙ୍କୁ ଭଲ ବାଟରେ ଯିବା ପାଇଁ ଅର୍ଥାତ ସମସ୍ୟାର ଆପୋଷ ସମାଧାନ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ଆଇନଜୀବୀ କହିଛନ୍ତି ।
ଇଟିଭି ଭାରତ, କଟକ