ଭବାନୀପାଟଣା: ଆଜି ହେଉଛି ଭାଇଚାରା ଓ କୃଷି ଭିତ୍ତିକ ମହାନ ପର୍ବ ପୁଷ୍ପୁନି । ଏନେଇ ପାରମ୍ପରିକ ନାଚଗୀତ ସହ ପିଠାପଣାରେ ମହକି ଉଠୁଛି ପୁରପଲ୍ଲୀ । କଳାହାଣ୍ଡି ଜିଲ୍ଲାର କୃଷି ଭିତ୍ତିକ ପର୍ବମାନଙ୍କ ମଧ୍ୟରେ ପୁଷ୍ପୁନି ହେଉଛି ଅନ୍ୟତମ । ନୂଆଖାଇ ପରେ ପୁଷ୍ପୁନି ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଦିନ ଅମଳ ଧାନକୁ ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଚାଷୀ ପର୍ବ ପାଳନ କରୁଥିବା ବେଳେ ପୁଷ୍ପୁନି ଦିନ ଚାଷ କାମ ଭଲରେ ସରିଯାଇଥିବାରୁ ପୁଷ୍ପୁନି ପର୍ବ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ମୁଖ୍ୟ ଜୀବିକା କୃଷି ହୋଇଥିବାରୁ ଏହି ପର୍ବଟି କୃଷି ସହିତ ଜଡ଼ିତ । ଆଜିର ଦିନରେ ଶ୍ରମିକମାନେ ସେମାନଙ୍କ ମାଲିକଙ୍କ ପାଖରୁ ମୁକୁଳିଥାନ୍ତି । ସେମାନଙ୍କର ପାରିଶ୍ରମିକ ବାବଦକୁ ପାଉଣା ପାଇ ଏ ପର୍ବକୁ ମନଭରି ଉପଭୋଗ କରିଥାନ୍ତି ।
ପୌଷ ପୂର୍ଣ୍ଣିମାକୁ ପୁଷ୍ପୁନି କୁହାଯାଏ । ପୁଷ୍ପୁନି ହେଉଛି ଏକ କୃଷି ଭିର୍ତ୍ତିକ ପର୍ବ । ଚାଷୀର ବର୍ଷକର ଚାଷ କାମ ସରି ଯାଇଥାଏ ଓ ଭଲ ଅମଳରୁ ଦୁଇ ପଇସା ରୋଜଗାର ମଧ୍ୟ ହୋଇଥାଏ । ଆଉ ଏହି ଖୁସିରେ ଚଷା ପୁଅ ପାଳନ କରେ ପୁଷ୍ପୁନି ପର୍ବ । ଫସଲ ପରେ ଏହି ପର୍ବ ପାଳନ କରାଯାଉଥିବାରୁ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି କରାଯାଏ। ପିଠା ସହିତ ଆମିଷ ରୋଷେଇ କରି ମଧ୍ୟ ଗାଁ ସାରା ବଣ୍ଟାଯାଏ। ଭୋଜନ ପରେ ଗାଁ ଦାଣ୍ଡରେ କୁସ୍ତି, କସରତ ସାଙ୍ଗକୁ ବିଭିନ୍ନ ପ୍ରକାର କ୍ରୀଡ଼ାର ଆୟୋଜନ କରାଯାଏ। ତେବେ ଏହି ପର୍ବକୁ ନେଇ ଆଦିବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଗାଁ ଗାଁରେ ଜମୁଛି ନାଚ ଗୀତର ଆସର ।
ଏହା ମଧ୍ୟ ପଢନ୍ତୁ-ପୁଷ୍ପୁନିକୁ ନେଇ ଉତ୍ସାହିତ ଆଦିବାସୀ, ଦୁଲୁକି ଉଠିଲାଣି ଗାଁ ଦାଣ୍ଡ
ଏହି ପର୍ବର ଅନ୍ୟତମ ଆକର୍ଷଣୀୟ ବିଭବ ହେଉଛି ‘ଛେର୍ଛେରା ମଗା’। ଗୀତ, ନାଚ ସହିତ ଏହା ସଂଶ୍ଳିଷ୍ଟ। ପୌଷ ପୂର୍ଣ୍ଣିମାର ପାଞ୍ଚ-ସାତ ଦିନ ପୂର୍ବରୁ ଗାଁର କୁନି କୁନି ପିଲାମାନେ ହାତରେ ଖଣ୍ଡେ ଖଣ୍ଡେ ବାଡ଼ି ଧରି ଦୁଆର ଦୁଆର ବୁଲି ଗୀତ ଗାଆନ୍ତି। ସମତାଳରେ ଭୂଇଁ ଉପରେ ବାଡ଼ି ବଜାଇ ଠକ୍ଠକ୍ କରନ୍ତି। ଗୀତରେ ‘ଛେର୍ଛେରା’ ଶବ୍ଦ ବାରମ୍ବାର ଉଚ୍ଚାରଣ କରୁଥାଆନ୍ତି । ଏନେଇ ସେମାନଙ୍କୁ ପ୍ରତ୍ୟେକ ଘରୁ ଚାଉଳ, ଡାଲି ଓ ଟଙ୍କା ମଧ୍ୟ ମିଳିଥାଏ । ଏହାକୁ ନେଇ ସେମାନେ ଭୋଜି କରିଥାନ୍ତି । ଯାହାକୁ ଛେରଛେରା ବୋଲି କୁହାଯାଏ ।
ଇଟିଭି ଭାରତ, କଳାହାଣ୍ଡି