କଟକ : ଜିଲ୍ଲାର ନୂତନ ଡିସିପି ଭାବରେ ଡ଼ଃ କନଓ୍ୱର ବିଶାଲ ସିଂ କାର୍ଯ୍ୟଭାର ସମ୍ଭାଳିଛନ୍ତି । କଟକ ଡିସିପି ଭାବରେ ସେ ଆଜି ତାଙ୍କ ଦାୟିତ୍ବ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଡିସିପି ସମସ୍ତ ଥାନାଧିକାରୀ ଓ ସମସ୍ତ କର୍ମଚାରୀଙ୍କ ସହ ସାକ୍ଷାତ କରିଥିଲେ । ସହରରେ କ୍ରାଇମ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଡ଼ିସିପି ବିଶାଲ ସିଂ ।
ନୂତନ ଡ଼ିସିପି ବିଶାଲ ସିଂ କହିଛନ୍ତି , ‘‘ କଟକ ସହର ହେଉଛି ଭାଇଚାରାର ସହର । ଏହି ଭାଇଚାରା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । କ୍ରାଇମ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ।’’ ସେ ସମସ୍ତ ଥାନାକୁ ଯାଇ ସ୍ଥିତି ସମୀକ୍ଷା କରିବେ । ସେହିପରି କଟକ ସହରର ସମସ୍ତ ପୂଜା କମିଟି,ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ଭେଟିବେ । ତେବେ ଡିସିପି ବିଶାଲ ସହର ପାଇଁ ନୂଆ ହେବା ସଙ୍ଗେ ସଙ୍ଗେ ତାଙ୍କ ଟିମ ମଧ୍ୟ ନୂଆ। ପୁରୁଣା ଥାନାଧିକାରୀ ମାନଙ୍କର ବଦଳି ହୋଇଯାଇଥିବା ବେଳେ ସେ ଏବେ ନୂତନ ଟିମକୁ ନେଇ କାର୍ଯ୍ୟ କରିବେ । ସହରରେ ଶାନ୍ତି ବଜାଇ ରଖିବା ପାଇଁ ସେ ସହରବାସୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ସେହିପରି ଆଗକୁ ନିର୍ବାଚନ ଆସୁଥିବାରୁ ତାଙ୍କ ପାଇଁ ଏହା ଚ୍ୟାଲେଞ୍ଜିଙ୍ଗ ହେବ ବୋଲି ସୋ କହିଛନ୍ତି । ତାହା ପାଇଁ ସେ ସ୍ୱତନ୍ତ୍ର ରଣନୀତି ଖୁବଶୀଘ୍ର ପ୍ରସ୍ତୁତ କରିବେ ବୋଲି କହିଛନ୍ତି । ଅପରାଧ ପାଇଁ ଜିରୋ ଟଲରାନ୍ସ ନୀତି ପାଳନ କରାଯିବ ବୋଲି ଅପରାଧୀ ମାନଙ୍କୁ ଚେତାବନୀ ଦେଇଛନ୍ତି ବିଶାଲ ।
ଏହା ମଧ୍ୟ ପଢ଼ନ୍ତୁ... ପୁରୀ ଏସପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର, କହିଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ପାଇଛି ସେବାର ସୁଯୋଗ
ସେହିପରି ଆଜି ପୁରୀ ଜିଲ୍ଲାର ନୂଆ ଏସପି ଭାବେ ପିନାକ ମିଶ୍ର ଦାଇତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ପିନାକ ମିଶ୍ର କହିଛନ୍ତି, ପୁରୀ ଭଳି ପବିତ୍ର ଜାଗାରେ ଅପରାଧର ସ୍ଥାନ ନାହିଁ । ଅପରାଧୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟନୁଷ୍ଠାନ ।" ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ ଏକ ବୈଠକରେ ସେ ଯୋଗ ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପୁରୀ ଭଳି ସ୍ଥାନରେ ସେ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ଵ ନେଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ପୁରୀବାସୀଙ୍କ ସେବା ପାଇଁ ଏଠାରେ ତାଙ୍କୁ ସୁଯୋଗ ମିଳିଥିବା ସେ କହିଛନ୍ତି ।
ଇଟିଭି ଭାରତ, କଟକ