ସମ୍ବଲପୁର: ବିଗତ କିଛି ମାସ ହେଲା ସମ୍ବଲପୁର ଜିଲ୍ଲାର ଜୁଯୁମୁରା, ରେଙ୍ଗାଲି ଓ ଧନକଉଡ଼ା ବ୍ଲକରେ ବେଆଇନ ପାଉଁଶ ଡମ୍ପିଂ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଏନେଇ ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଆଲୋଚନା ତଥା ହୋହାଲ୍ଲା ହୋଇଥିଲା । ସେତେବେଳେ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଏହି ସବୁ ପାଉଁଶ ଝାରସୁଗୁଡାରୁ ଆସୁଛି । ଏଥିପାଇଁ ଝାରସୁଗୁଡାର ବେଦାନ୍ତ କମ୍ପାନୀକୁ ବେଆଇନ ଫ୍ଲାଇଆସ ଡମ୍ପିଂ ପାଇଁ 71.16 କୋଟି ଫାଇନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତେବେ ଶିଳ୍ପାନୁଷ୍ଠାନର ପାଉଁଶ କେଉଁଠି ପଡ଼ିବା କଥା ? କଣ ରହିଛି ଏହାର ନୀତି ନିୟମ । ସେ ସମ୍ପର୍କରେ ସାଧାରଣରେ ପ୍ରଶ୍ନ ଉଠିଛି ।
ଝାରସୁଗୁଡାର ବେଦାନ୍ତ କମ୍ପାନୀକୁ 71.16 କୋଟି ଫାଇନ:-
ଗତ ବୁଧବାର ଦିନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଝାରସୁଗୁଡାର ବେଦାନ୍ତ କମ୍ପାନୀକୁ ବେଆଇନ ଫ୍ଲାଇଆସ ଡମ୍ପିଂ ପାଇଁ 71.16 କୋଟି ଫାଇନ କରିଛି । ଏହି ଫାଇନ ମଧ୍ୟରୁ 13କୋଟି 11ଲକ୍ଷ 47ହଜାର ଟଙ୍କା ଜୋରିମାନା କରିବାକୁ ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୁପାରିଶ କରିଥିଲେ । ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୀନରେ ଥିବା ସମ୍ବଲପୁର ଜିଲ୍ଲାର 8ଟି ସ୍ଥାନ ଓ ବରଗଡ଼ ଜିଲ୍ଲାର 2ଟି ସ୍ଥାନରେ ବୋର୍ଡର ବିନା ଅନୁମତିରେ ବେଆଇନ ଭାବେ ବେଦାନ୍ତ କମ୍ପାନୀ ପାଉଁଶ ଡମ୍ପିଂ କରିଥିବାର ପ୍ରମାଣ ପାଇବା ପରେ ରାଜ୍ୟ ବୋର୍ଡକୁ ଏନେଇ ଅବଗତ କରାଯାଇ ଫାଇନ କରିବାକୁ ସୁପାରିଶ କରାଯାଇଥିଲା ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁର ଶାଖାର ରିଜିଓନାଲ ଅଧିକାରୀ ଡ଼ ସତ୍ୟ ନାରାୟଣ ନନ୍ଦ ସୂଚନା ଦେଇଛନ୍ତି ।
ଧରାପକାଇଲା ସରପ୍ରାଇଜ୍ ଭିଜିଟ୍:-
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ ସତ୍ୟନାରାୟଣ ନନ୍ଦ କହିଛନ୍ତି, "ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଗୋଟିଏ ସ୍ଥାନରେ ବେଦାନ୍ତ କମ୍ପାନୀ ବେଆଇନ ଫ୍ଲାଇଆସ ପକାଉଥିଲା । ଖବର ପାଇବା ପରେ ଆମେ ସର୍ପ୍ରାଇଜ ଇନସ୍ପେକସନ କରିଥିଲୁ । ତାପରେ ଆମର କିଛି ପବ୍ଲିକ ରିପ୍ରେଜେନଣ୍ଟେଟିଭ ବି ଆମ ନିକଟରେ ଅଭିଯୋଗ କରିଥିଲେ । ସେଠି ଯାଇକି ଆମେ ଦେଖିଥିଲୁ । ଦେଖି ସାରିବା ପରେ ଆମେ ଜାଣିଲୁ ଯେ ସମ୍ବଲପୁର ଜିଲ୍ଲାର 8ଟି ଓ ବରଗଡ଼ ଜିଲ୍ଲାର 2ଟି ଜାଗାରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ବିନା ଅନୁମତିରେ ଡିସପୋଜାଲ କରୁଥିଲେ । ଏନେଇ ଆମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଥିଲୁ l "
ଶିଳ୍ପାନୁଷ୍ଠାନରୁ ବାହାରୁଥିବା ପାଉଁଶ କେଉଁଠି ପଡ଼ିବା କଥା ?
ଅନ୍ୟପଟେ ଆଉ ଗୋଟି ପ୍ରଶ୍ନ ଉଠେ ଯେ ଯଦି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମତି ଦେଉଛନ୍ତି ତେବେ ଏଠାରୁ ନିର୍ଗତ ହେଉଥିବା ଫ୍ଲାଇ ଆସ୍ କେଉଁଠି ପକାଯିବ ? ଏଥିପାଇଁ କଣ ରହିଛି ଆଇନ ? ଭାରତ ସରକାର ଫ୍ଲାଇ ଆସ୍ ନୋଟିଫିକେସନ ଜାରି କରିଛନ୍ତି । ଏହା ଅନୁସାରେ ଏହି ପାଉଁଶ ବା ଫ୍ଲାଇ ଆସ୍ ସେହି ଭଳି ଜମିରେ ପକା ଯାଇପାରିବ ଯେଉଁ ଜମିର କିଶମ ଅଣଚାଷ ଜମି, ପତିତ, ଘରବାଡ଼ି, ଶିଳ୍ପ ଜମି ହୋଇଥିବା ତଥା ଜମିଟି ଖାଲୁଆ ହୋଇଥିବା ଦରକାର । କିନ୍ତୁ ଏଥିପାଇଁ ପ୍ରଥମେ ରାଜ୍ୟ ନିୟନ୍ତ୍ରଣ ବୋର୍ଡଠାରେ ଆବେଦନ କରିବାକୁ ପଡିଥାଏ । ଏହାପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର ତର୍ଜମା ବା ତଦନ୍ତ କରିଥାଏ । ତଦନ୍ତ ପରେ ସେହି ସ୍ଥାନଟା ଉପଯୁକ୍ତ ମନେ କଲେ ପାଉଁଶ ପକେଇବାକୁ ଅନୁମତି ଦିଆଯାଇଥାଏ । ଅନ୍ୟପଟେ ପାଉଁଶ ପକେଇବା ପରେ ପାଉଁଶ ଉପରେ ମାଟିର ଏକ ମୋଟା ଆସ୍ତରଣ ଆଚ୍ଛାଦିତ କରିବାକୁ ଗାଇଡ଼ ଲାଇନ ରହିଛି ।
ଏହା ବି ପଢନ୍ତୁ- ବେଆଇନ ପାଉଁଶ ପରିଚାଳନାକୁ ବିରୋଧ
ତେବେ ସମ୍ବଲପୁର ଜିଲ୍ଲାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା କେତେକ ଅସାଧୁ ଲୋକ ରାଧି ଅଧିଆ ଏହି ବିଷାକ୍ତ ପାଉଁଶ ଆଣି ପ୍ରାଇଭେଟ ଜମି, ରାସ୍ତାକଡ଼, ରାଜ୍ୟ ରାଜପଥ କଡ଼, ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଡମ୍ପିଂ କରୁଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ସମ୍ବଲପୁର