ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ “ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ ୩ ତାରିଖ ଦିନ ବିଦ୍ୟାଳୟସ୍ତର, ୪ ତାରିଖରେ ବ୍ଲକ ସ୍ତରରେ ଓ ୫ ତାରିଖରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମଗ୍ର ଶିକ୍ଷାର “ଅଭିନବ ଶିକ୍ଷା” ଯୋଜନାରେ ମାତୃଭାଷା ଦିବସରେ ପ୍ରଦର୍ଶନୀ ଲାଗି ପ୍ରତ୍ୟେକ ବିଦ୍ୟାଳୟକୁ ୩ ହଜାର ଟଙ୍କା ଏବଂ ଗପ ଶୁଣିବା ଓ କହିବା ପାଇଁ ପ୍ରାଥମିକ ବିଦ୍ୟାଳୟକୁ ୧ ହଜାର ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଓଡ଼ିଆ ଭାଷାର ପ୍ରଚାର ପାଇଁ ପ୍ରତିଶ୍ରୁତି ଦେବେ । ବିଦ୍ୟାଳୟ, ବ୍ଲକ୍ ଓ ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପାଳନ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଓସେପା ପକ୍ଷରୁ ସୂଚନା ଅନୁଯାୟୀ, ଗପ ଶୁଣିବା ଓ ଗପ କହିବା କାର୍ଯ୍ୟକ୍ରମ ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୦ଟି ଜିଲ୍ଲାରୁ ୨୭ ହଜାର ୧୧୮ ସ୍କୁଲ ମଧ୍ୟରେ ଖର୍ଚ୍ଚ ହେବ ୨୭୧.୧୮ ଲକ୍ଷ ଟଙ୍କା । ସେହିପରି ମାତୃଭାଷା ଦିବସରେ ପ୍ରଦର୍ଶନୀରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୩୦ଟି ଜିଲ୍ଲାରୁ ୪୩ ହଜାର ୪୩ ସ୍କୁଲ ରହିଥିବା ବେଳେ ଏଥିରେ ଖର୍ଚ୍ଚ ହେବ ୨୨୯୧.୨୯ ଲକ୍ଷ । ମୋଟାମୋଟି ଭାବେ ୧୫୬୨.୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ସ୍କୁଲରେ ହେବ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ; ଖର୍ଚ୍ଚ ହେବ ୬ କୋଟି
ବ୍ଲକସ୍ତରୀୟ କାର୍ଯ୍ୟକଳାପ ବ୍ଲକରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହେବ । ବିଦ୍ୟାଳୟ ସ୍ତରୀୟ ଉତ୍ସବରେ ଚୟନ ହୋଇଥିବା ସର୍ବୋତ୍ତମ ପ୍ରକଳ୍ପ, ଚିତ୍ରକଳା ଇତ୍ୟାଦି ବ୍ଲକ ସ୍ତରରେ ପ୍ରଦର୍ଶିତ ହେବ । ପ୍ରତ୍ୟେକ କ୍ଲଷ୍ଟର ଉତ୍ସ କେନ୍ଦ୍ର ଅତି କମରେ ସେମାନଙ୍କର ୫ଟି ସର୍ବୋତ୍ତମ ପ୍ରକଳ୍ପ ପ୍ରଦର୍ଶନ କରିବେ । ବିଦ୍ୟାଳୟସ୍ତରରୁ ମନୋନୀତ ଓଡ଼ିଶାର ବିଭିନ୍ନ କଳା, ସାହିତ୍ୟ, ସଂଗୀତ, ନୃତ୍ୟ ଏବଂ ଐତିହାସିକ କଳାକୃତିର ପ୍ରଦର୍ଶନ କରାଯିବ ।
ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ବିଜେତାମାନେ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ
ବିଜେତାମାନଙ୍କୁ ଛୋଟ ପୁରସ୍କାର କିମ୍ବା ପ୍ରମାଣପତ୍ର ପ୍ରଦାନ କରିବାକୁ ବ୍ଲକକୁ ଉତ୍ସାହିତ କରାଯିବ । ଚତୁର୍ଥରୁ ଷଷ୍ଠ ଶ୍ରେଣୀ ଏବଂ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ପ୍ରତିଯୋଗିତା ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ସଂସ୍କୃତି ଉପରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ ହେବ ।
ଇଟିଭି ଭାରତ, ଭୁବନେଶ୍ବର