ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃବିଶ୍ବବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଆଜି ଉଦଯାପିତ ହୋଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ସାହିତ୍ୟିକ କ୍ଷେତ୍ରରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ।
ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଏପରି କାର୍ଯ୍ୟକ୍ରମ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ଅଭିନବ ଯୋଜନା ଏବଂ ଛାତ୍ରବୃତ୍ତି ପ୍ରଣୟନ କରିଛନ୍ତି । ଭିତ୍ତିଭୂମି ଉନ୍ନୟନ, ଉପଲବ୍ଧ ସୁବିଧାଗୁଡ଼ିକର ଆଧୁନିକୀକରଣ ଏବଂ ସମସାମୟିକ ଶିକ୍ଷା ବ୍ୟବସ୍ଥା ସହିତ ଗତି କରିବା ପାଇଁ ଉନ୍ନତ ପାଠ୍ୟକ୍ରମ ପ୍ରଚାଳନ ପାଇଁ ଅର୍ଥ ବିନିଯୋଗ କରାଯାଇଛି ।
ଶିକ୍ଷାଦାନରେ ଉତ୍କର୍ଷ ଓ ନବସୃଜନର ସଂସ୍କୃତି ପ୍ରତିପାଦନ କରି ଓଡ଼ିଶା ସରକାର କେବଳ ଏହି ସମ୍ମାନଜନକ ଅନୁଷ୍ଠାନଗୁଡ଼ିକର ଐତିହ୍ୟ, ସଂସ୍କୃତିକୁ ସରଂକ୍ଷଣ କରୁନାହାଁନ୍ତି ବରଂ ଏକବିଂଶ ଶତାବ୍ଦୀରେ ଶିକ୍ଷା ପାଇଁ ଗତିଶୀଳ କେନ୍ଦ୍ର ଭାବରେ ସ୍ଥାନିତ କରିଛନ୍ତି । ଯୁବପିଢି ଓଡ଼ିଶାର ଇତିହାସ ଓ ମହାପୁରୁଷଙ୍କୁ ଜାଣିବା ଦରକାର ଏବଂ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ । ବିଶ୍ବବିଦ୍ୟାଳୟ ହେଉଛି ଉଚ୍ଚଶିକ୍ଷା ଏବଂ ଗବେଷଣାର ଏକ ଅନୁଷ୍ଠାନ । ଏହି ଅନୁଷ୍ଠାନ ଗୁଡିକ ଏକ ଉନ୍ନତ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ସହିତ ସେମାନଙ୍କ ଜୀବନର ମାନବୀୟ ମୂଲ୍ୟବୋଧକୁ ପରିପୁଷ୍ଟ କରାଯାଇଥାଏ । ମା’ ରମାଦେବୀଙ୍କ ପରି ନାରୀମାନେ ସବୁବେଳେ ଜାତିକୁ ବାଟ ଦେଖାଇଛନ୍ତି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ .... ତେଜିଲା ରାଉରକେଲାରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦାବି, ସରକାର ଅବହେଳା କରୁଥିବା ଅଭିଯୋଗ
ଏନେଇ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି ଯେ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଗବେଷଣା, ନୂତନତ୍ବ ଓ ଜିଜ୍ଞାସା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ଓ ବ୍ୟବସ୍ଥା ସୃଷ୍ଟି କରାଯାଉଛି । ସେହିସବୁ ସୁବିଧା ସୁଯୋଗର ଭରପୂର ଉପଯୋଗ କରିଲେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନୂତନ ଇତିହାସ ରଚି ପାରିବ । ସୂଚନା ଅନୁଯାୟୀ, ଦୁଇଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ରାଜ୍ୟର ୧୮ ଟି ବିଶ୍ବବିଦ୍ୟାଳୟରୁ ବହୁସଂଖକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଓଡିଆ ଭାଷା ସାହିତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ବହୁଭାଷୀ ପ୍ରବନ୍ଧ ଲିଖନ, ବହୁଭାଷୀ ତର୍କ, ଡ୍ରାମା, କବିତା ପାଠ, ଡ୍ୟାନ୍ସ, ସଙ୍ଗୀତ, କୁଇଜ, ଚିତ୍ରାଙ୍କନ, କମେଡ଼ି, କ୍ଷୁଦ୍ର ଚଳଚ୍ଚିତ୍ର, ହାସ୍ୟରସାତ୍ମକ କଥା ପ୍ରଭୃତି ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ଏନେଇ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର